ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋସାଇଁନୂଆଗାଁ ସ୍ଥିତ ଉତ୍ତରେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମାନ୍ନା ଟ୍ରଷ୍ଟ ଅଧୀନରେ କାର୍ଯ୍ୟ କରୁଥିବା ମହିଳା ଅସ୍ଥାୟୀ ଶ୍ରମିକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହିଳା ଅସ୍ଥାୟୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ସେମାନଙ୍କର ଏକ ସଂଘ ଗଠନ କରାଯାଇଛି । ଯାହାର ନାମ ଏମଡିଏମ ସେଣ୍ଟରାଲ କିଚେନ ଲେବର ୟୁନିଅନ (MDM Cental Kitchen Labour Union) (ମଧ୍ୟାହ୍ନ ଭୋଜନ ରୋଷେଇ କେନ୍ଦ୍ର ଶ୍ରମିକ ସଂଘ, ବ୍ରହ୍ମପୁର) ରଖାଯାଇଛି । ୧୧ ଜଣ ମହିଳା ଶ୍ରମିକମାନଙ୍କୁ ନେଇ ଏକ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଛି । ଏହି ସଂଗଠନରେ ସଭାନେତ୍ରୀ ବୈଜୟନ୍ତୀ ସାହୁ, ସମ୍ପାଦିକା ଜଲି ପରିଡା, ଉପସଭାପତି ପି ରତ୍ନଲୁ, ସହ ସମ୍ପାଦିକା ସରସ୍ୱତୀ ନାହାକ ଓ କୋଷାଧ୍ୟକ୍ଷ ମଞ୍ଜୁଶ୍ରୀ ମହାରଣା ଆଦିଙ୍କୁ ମନୋନୀତ କରାଯାଇଛି । ଏହି ବୈଠକରେ ସମସ୍ତ ଅସ୍ଥାୟୀ ଶ୍ରମିକମାନଙ୍କୁ ମାନ୍ନା ଟ୍ରଷ୍ଟ ଅଧୀନରେ କାର୍ଯ୍ୟ କରିବାକୁ ଦାବି କରାଯାଇଛି । ଏହାସହ ଗଞ୍ଜାମ ସିକ୍ୟୁରିଟି ଅଧୀନରେ ଯଦି ଶ୍ରମିକମାନଙ୍କୁ ନିଆଯାଏ ତେବେ ଆଗାମୀ ଦିନରେ ବିରୋଧର ସ୍ୱର ଉଠାଇବା ସହ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି । ଏହି ବୈଠକରେ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ବୁଦ୍ଧିଜୀବୀ ଇ.ରାଜା ସୁରେଶ, ଓଡିଶା ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ସଭାପତି ପ୍ରତାପ ପ୍ରଧାନଙ୍କ ସମେତ ଓଡିଶା ଆଉଟସୋର୍ସର କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ପଣ୍ଡା