କଟକ (ସମୃଦ୍ଧ ଓଡିଶା) ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାର୍ଚ୍ଚ ୧୯ ତାରିଖରୁ ମାଟ୍ରିକ, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଓ ମଧ୍ୟମା ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ କରାଯିବା ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ ୧୮ତାରିଖରେ ସମସ୍ତ ପରୀକ୍ଷକ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେଇ ମୂଲ୍ୟାୟନ ସଂପର୍କରେ ପ୍ରଶିକ୍ଷଣ ନେବେ । ୧୯ତାରିଖ ଗୁରୁବାରଠାରୁ ଖାତା ମୂଲ୍ୟାୟନ ଆରମ୍ଭ ହେବ । ପ୍ରଥମେ ପାର୍ଟ-୧(ସଂକ୍ଷିପ୍ତ ଉତ୍ତରମୂଳକ) ଓ ପରେ ପାର୍ଟ-୨(ଦୀର୍ଘ ଉତ୍ତରମୂଳକ) ଖାତା ମୂଲ୍ୟାୟନ କରାଯିବ । ମୂଲ୍ୟାୟନ କାର୍ଯ୍ୟ ଏପ୍ରିଲ୍ ୧୦ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି । ଚଳିତ ବର୍ଷ ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷାରେ ମୋଟ ୫ଲକ୍ଷ ୬୨ହଜାର ୧୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ମୂଲ୍ୟାୟନ ପାଇଁ ମୋଟ ୬୧ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର କରାଯାଇଛି । ମୂଲ୍ୟାୟନ କାର୍ଯ୍ୟ ପାଇଁ ୭୮୮ଜଣ ମୁଖ୍ୟ ପରୀକ୍ଷକ, ୧୫୩୬ଜଣ ଉପ ପରୀକ୍ଷକ, ୧୧ହଜାର ୮୩୭ଜଣ ସହକାରୀ ପରୀକ୍ଷକ ଓ ୧୫୭୬ଜଣ ସ୍କ୍ରୁଟିନାଇଜର ନିଯୁକ୍ତି ହୋଇଛନ୍ତି । ମାଟ୍ରିକ୍ ପରୀକ୍ଷାରେ ୫ଲକ୍ଷ ୪୭ହଜାର ୭୮୫ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୫୩ ମୂଲ୍ୟାୟନ କେନ୍ଦ୍ର, ମୁକ୍ତ ବିଦ୍ୟାଳୟରେ ୯ ହଜାର ୭୭୧ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୪ଟି ମୂଲ୍ୟାୟନ କେନ୍ଦ୍ର ଓ ମଧ୍ୟମା ପରୀକ୍ଷାରେ ୪ ହଜାର ୫୮୧ଜଣ ପରୀକ୍ଷାର୍ଥୀଙ୍କ ଖାତା ମୂଲ୍ୟାୟନ ପାଇଁ ୪ଟି କେନ୍ଦ୍ର ଚୟନ କରାଯାଇଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୂଲ୍ୟାୟନ କେନ୍ଦ୍ରରୁ ମାର୍କ ପୋଷ୍ଟିଂ ସିଧାସଳଖ କମ୍ପ୍ୟୁଟର ଫାର୍ମକୁ ପଠାଯିବାକୁ ସ୍ଥିର କରାଯାଇଛି । ସପ୍ତାହେ ତଳେ ମୂଲ୍ୟାୟନ ପାଇଁ ଚୟନ ହୋଇଥିବା ପରୀକ୍ଷକଙ୍କ ନିଯୁକ୍ତି ପତ୍ରକୁ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଛଡାଯିବା ସହିତ ଏହି ନିଯୁକ୍ତି ପତ୍ରକୁ ଡାଉନ୍ଲୋଡ କରି ସଂପୃକ୍ତ ଶିକ୍ଷକମାନଙ୍କୁ ହସ୍ତାନ୍ତର କରିବାକୁ ବିଦ୍ୟାଳୟ ମୁଖ୍ୟମାନଙ୍କୁ କୁହାଯାଇଛି । ମୂଲ୍ୟାୟନ ପାଇଁ ୧୬ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ହୋଇଥିବା ବେଳେ ମୂଲ୍ୟାୟନ ଯେପରି ଶୃଙ୍ଖଳିତ ଓ ତ୍ରୁଟିଶୂନ୍ୟ ହେବ ସେ ଦିଗରେ ବୋର୍ଡ ଗୁରୁତ୍ବ ଦେଉଥିବା ସଭାପତି ଶ୍ରୀ ହାଜରା ଜଣାଇଛନ୍ତି ।