ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ ‘ସୁଭଦ୍ରା’ ପଞ୍ଜିକରଣ : ଗତ କାଲି ମିଳିଲା ପ୍ରଥମ କିସ୍ତି-ପର୍ଯ୍ୟାୟକ୍ରମେ ଅନ୍ୟମାନେ ପାଇବେ କହିଲେ ମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା) ବିଜେପି ସରକାରର ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାକୁ ନେଇ ରହିଥିବା ଦ୍ୱନ୍ଦ୍ୱକୁ ଆଜି ପୁଣିଥରେ ରାଜ୍ୟ ସରକାର ଦୂର କରିବାକୁ ପ୍ରୟାସ କରିଛନ୍ତି । ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କ ଆବେଦନ ଓ ପଞ୍ଜିକରଣ ପ୍ରକ୍ରିୟା ଆସନ୍ତାବର୍ଷ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ କାଲି ( ସେପ୍ଟେମ୍ବର ୧୭ ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯୋଜନାର ପ୍ରଥମ କିସ୍ତି ଭାବେ ୫ହଜାର ଟଙ୍କା ଯାଇଛି । ଅନ୍ୟ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ପ୍ରଥମ କିସ୍ତିର ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାବର୍ଷ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଚାଲିବ। ଯୋଗ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ୱଚ୍ଛତା ଅନୁଧ୍ୟାନ ନିମନ୍ତେ ସେମାନଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଲେଖାଏଁ ପଠାଯାଇଛି । ଯାହାଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଯାଇନି ସେ ଯେ ‘ସୁଭଦ୍ରା’ ଟଙ୍କା ପାଇବେ ନାହିଁ ସେଭଳି ଦ୍ୱନ୍ଦ୍ୱରେ କେହି ନ ରହିବା ଉଚିତ୍ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ । କାହାରି ପ୍ରଲୋଭନ କିମ୍ବା ଗୁଜବରେ ବିଶ୍ୱାସ ନକରିବାକୁ ଶ୍ରୀମତୀ ପରିଡ଼ା ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସଚଳ ଅଛି କି ନାହିଁ ତାହା ଯାଂଚ କରିବାକୁ ଏବେ ଏକ ଟଙ୍କା ଲେଖାଏଁ ପଠାଯାଇଛି । ଏହି ଟଙ୍କା ପଠାଯିବା ପରେ ହିତାଧିକାରୀଙ୍କୁ ଏସଏମଏସ ମାଧ୍ୟମରେ ଅବଗତ କରାଯାଉଛି । ଆକଉଣ୍ଟକୁ ଏକ ଟଙ୍କା ପ୍ରଦାନ ଏକ ନିରନ୍ତର ପ୍ରକ୍ରିୟା । ଯେଉଁମାନଙ୍କ ଆକାଉଣ୍ଟକୁ ଏହି ଏକ ଟଙ୍କା ଯାଇ ନାହିଁ ସେମାନଙ୍କ ଫର୍ମ ଏବେ ବିଚାରାଧୀନ ରହିଛି । ଆବେଦନ ଫର୍ମଗୁଡ଼ିକର ଯାଂଚ ପରେ ଅନ୍ୟ ଯୋଗ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ରିପୋର୍ଟ : ନିମାଇଁ ପଣ୍ଡା