ମାଲକାନାଗିରିରେ ପ୍ରସ୍ତୁତ ହେଲା ନକ୍ସଲ ଦମନ ପାଇଁ ରଣନୀତି…

ମାଲକାନଗିରି (ସମୃଦ୍ଧ ଓଡିଶା) ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କୁ ଦମନ କରିବାକୁ ନିଷ୍ପତ୍ତି ନେଇଛି ସଂପୂର୍ଣ୍ଣ ହିଂସମୁକ୍ତ ଓଡ଼ିଶା ଅଭିଯାନର  ମାଲକାନଗିରି ଜିଲ୍ଲା କମିଟି । ଏଥିପାଇଁ ଚିତ୍ରକୋଣ୍ଡାର ଦୁର୍ଗମ ଘଂଚ ଜଂଗଲରେ ଅଭିଯାନର ଆବାହକ ଭାରତ ଭୂଷଣଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଚ୍ଛିନ୍ନାଞ୍ଚଳରେ ଆୟୋଜିତ ଏହି ରଣନୀତି ବୈଠକରେ ଅଭିଯାନର ଜିଲ୍ଲାସ୍ତରୀୟ ନେତୃମଣ୍ଡଳୀ ଯୋଗ ଦେଇଥିଲେ । ନୂତନ ରଣନୀତି ଅନୁଯାୟୀ ସଂପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ବିନା ହତିଆର ଓ ଅହିଂସା ଉପାୟରେ ନକ୍ସଲଙ୍କ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବାକୁ ନିଷ୍ପତ୍ତି ନେଇଥିଲା । ତେଣୁ ମାଓବାଦୀଙ୍କ ପିଏଲଜିଏ ବିରୋଧରେ ଗଠିତ ଆଣ୍ଟି ନକ୍ସଲ ପିପୋଲିସ୍ ପିସ୍ ଫୋର୍ସ ଏବଂ ମହିଳା ମୋର୍ଚ୍ଚା ସଂଗଠନକୁ  ଜିଲ୍ଲା ଓ ରାଜ୍ୟସ୍ତରରେ ମଜବୁତ କରିବା ପାଇଁ ଆଲୋଚନା କରାଯାଇଥିଲା । ସ୍ବାଭିମାନ ଅଂଚଳରେ ନବ ନିିର୍ମିତ ହିଂସାମୁକ୍ତ ଓଡ଼ିଶା ଅଭିଯାନର ମହିଳା ମୋର୍ଚ୍ଚା ଜରିଆରେ ମାଓବାଦୀ ସଂଗଠନ‌େର କାର୍ଯ୍ୟ କରୁଥିବା ମହିଳାଙ୍କୁ ଆଲୋଚନା ମାଧ୍ୟମରେ ମୁଖ୍ୟସ୍ରୋତକୁ ଆଣିବା । ସ୍ଥାନୀୟ ମହିଳାଙ୍କ ଉପ‌େର ହେଉଥିବା ଅତ୍ୟାଚାର ବନ୍ଦ କରିବା ପାଇଁ ନୂତନ ନକ୍ସଲ ବିରୋଧୀ ରଣନୀତି ପ୍ରସ୍ତୁତ କରାଯାଇଥିଲା । ଅତିଶୀଘ୍ର ମାଓବାଦୀଙ୍କ ବିରୋଧରେ ପ୍ରସ୍ତୁତ ନୂତନ ରଣନୀତିକୁ ଆଧାର କରି ହିଂସାମୁକ୍ତ ଅଡ଼ିଶା ଅଭିଯାନ ରଣଭୂମିକୁ ଓହ୍ଲାଇବ ବୋଲି କୁହାଯାଇଛି । କୌଣସି ପରିସ୍ଥିତିରେ ଆଦିବାସୀ ହତ୍ୟାକାରୀ, ଆଦିବାସୀଙ୍କ ବିକାଶ ବରୋଧୀ ନକ୍ସଲଙ୍କୁ ଛଡା ଯିବ ନାହିଁ । ଏଥିସହ ସ୍ବାଭିମାନ ଅଂଚଳରେ କିପରି ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ଏହି ସଂଗଠନରେ ଜଡିତ କରାଯିବ ସନେଇ ଆଲୋଚନା କରାଯାଇଥିଲା । ଏଥର ସିଧାସଳଖ ଓ ଜୋରଦାର ଲଢେଇ ହେବ ବୋଲି ଭାରତ ଭୂଷଣ ପ୍ରକାଶ କରିଥିଲେ । ମାଲକାନଗିରି ନକ୍ସଲଙ୍କ ନିଜର ପୈତୃକ ସଂପତ୍ତି ନୁହଁ । ଯେତେବେଳେ ସେମାନେ ଚାହିଁବେ ଲୋକେ ଗ୍ରାମରେ ରହିବେ, ଯେତେବେଳେ ସେମାନେ ଚାହିଁବେ ଗ୍ରାମରୁ ତଡିବେ । ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରଥମେ ଆଦିବାସୀ ଆସିଥିଲେ । ପରେ ନକ୍ସଲ ଏଠାକୁ ଆସି ନିଜର ପତିଆରା ବିସ୍ତାର କରିଛନ୍ତି । ସେହି ଆଦିବାସୀଙ୍କ ଦୟାରେ ସେମାନେ ଜଂଗଲରେ ଖାଇବାକୁ, ରହିବାକୁ ଏବଂ ନିଜର ଜୀବନ ବଂଚାଇବାକୁ ଚେଷ୍ଟା କରୁଛନ୍ତି। ପୁଣି ସେହି ଆଦିବାସୀଙ୍କୁ ପୁଲିସ ଇନଫର୍ମର କହି ହତ୍ୟା କରୁଛନ୍ତି। ଏହା କେତେଦୂର ଯୁକ୍ତିଯୁକ୍ତ। ଲୋକଙ୍କ ହିତ ପାଇଁ କାମ କରୁଥିବା ନକ୍ସଲ ଡିଣ୍ଡିମ ପିଟୁଛନ୍ତି। ଜିଲ୍ଲା ତଥା ରାଜ୍ୟର ବିକାଶ ନେଇ କାମ କରୁଥିବା କହୁଛନ୍ତି। କ’ଣ କ’ଣ ଉନ୍ନୟନ କାମ ସେମାନେ କରିଛନ୍ତି କହିବେ କି ପ୍ରଶ୍ନ କରିଛନ୍ତି। ଏଥିପାଇଁ ସେମାନଙ୍କୁ କେତେ ବଳିଦାନ ଦେବାକୁ ପଡିଛି ତାହା ସ୍ପଷ୍ଟ କରିବେ କି। ତେଣୁ ତୁରନ୍ତ ବନ୍ଧୁକ ଛାଡି କଥାବାର୍ତ୍ତା କରନ୍ତୁ। ବିକାଶ ପାଇଁ ସମସ୍ତେ ଚେଷ୍ଟିତ। କିନ୍ତୁ ବନ୍ଧୁକ ମୁନରେ ନୁହଁ। ଅହିଂସା ମାର୍ଗରେ ଲଢେଇ କଲେ ସଫଳ ଆପେ ଆପେ ଆସେ। ତେଣୁ ସଂପୂର୍ଣ୍ଣ ହିଂସାମୁକ୍ତ ଅଭିଯାନ ନିଜର କାୟା ବଢାଇ ସେହି ଆଦିବାସୀଙ୍କ ଦ୍ବାରା ହିଁ ନକ୍ସଲଙ୍କୁ ନିପାତ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଏହି ବୈଠକ ପରେ ନକ୍ସଲ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ହୋଇ ଉଠିବାର ସମ୍ବାବନା ରହିଛି। ଏହି ବୈଠକକୁ ନେଇ ନକ୍ସଲ ଶିବିରରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ତେବେ ନକ୍ସଲ ସଂପୂର୍ଣ୍ଣ ହିଂସାମୁକ୍ତ ଓଡିଶା ଅଭିଯାନ ବିରୋଧରେ କେଉଁ ରଣନୀତି ନେଇ କାମ କରିବ ତାହା ଦେଖିବାକୁ ବାକି ରହିଲା।