

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ପରଦା ଉପରକୁ ଆସିଲା ଦ୍ୱିଭାଷୀ-ଓଡ଼ିଆ-ଛତିଶଗଡ଼ୀ ଫିଲ୍ମ ‘ମାଲ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି’ । ଚଳଚ୍ଚିତ୍ରଟି ଗତକାଲି ରିଲିଜ ହୋଇଛି । ଏହି ଅବସରରେ ଏହି ଫିଲ୍ମର ସମସ୍ତ କଳାକାରଙ୍କ ସହ ସିନେତାରାକା ମାନେ ବ୍ରହ୍ମପୁର ରୁକମଣି ହାଲ ଠାରେ ପହଞ୍ଚି ସିନେମାର ଶୁଭାରମ୍ଭ କରିଥିଲେ । ହିରୋ ସବ୍ୟସାଚୀ, ହିରୋଇନ ଏଲିନାକୁ ଦେଖିବା ପାଇଁ ହଲ ପରିସରରେ ବହୁତ ଭିଡ଼ ଦେଖିବାକୁ ମିଳିଥିଲା, ଖାସ୍ କଥା ହେଲା ଏଥିରେ ଦର୍ଶକ ସବ୍ୟସାଚୀଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ପାଇବେ । ଏପରି ଭୂମିକା ସମ୍ପର୍କରେ ସବ୍ୟସାଚୀ କହନ୍ତି, ‘ଏଥିରେ ମୋ ଭୂମିକାଟି ହେଲା ମାଇକେଲ । ସେ ଭଲ ଭାବରେ କଥା କହିପାରେନା । ଯାହା କିଛି କରିବାକୁ ଚାହୁଁଛି ଭାଗ୍ୟ ତାହାର ସାଥ୍ ଦେଉ ନାହିଁ । ତେଣୁ ସବୁବେଳେ ସେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଯାଉଛି । ହେଲେ ତା’ ଭିତରେ ପ୍ରେମ କରିବସିଛି । ଏଥିରେ ସେ ସଫଳ ହେଉଛି ତ ? ଏ ସବୁର ଉତ୍ତର ରହିଛି ଏହି ସିନେମାରେ । ମୋ ଉପରେ ଏହାର କାହାଣୀରେ ନୂତନତ୍ୱ ରହିଛି ।’ ଅପରପକ୍ଷରେ ଏହି ଫିଲ୍ମରେ ସଂଯୋଜିତ ଗୀତ ‘ମଲ୍ଲିକା ଚାଲ ଯିବା ଚିଲିକା’ ବେଶ୍ ଭାଇରାଲ ହୋଇ ସାରିଲାଣି । ଆମର ମ୍ୟୁଜିକ ନିବେଦିତ ଏବଂ ନବୀନ ଭଣ୍ଡାରି ପ୍ରଯୋଜିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ । ନିର୍ମଳ ନାୟକ ଏଥିରେ ସଂଳାପ ରଚନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମ୍ଦାର । ସବ୍ୟସାଚୀ-ଏଲିନାଙ୍କ ବ୍ୟତୀତ ଏହି ଫିଲ୍ମରେ ସଲିଲ ମିତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, ଲଭ୍ଲି, ପଦ୍ମଶ୍ରୀ ଅଞ୍ଜୁ ଶର୍ମା, ବିଜୁ ବଡ଼ଜେନା, ଅମର ପ୍ରମୁଖ କଳାକାର ଅଭିନୟ କରିଛନ୍ତି । ତେବେ ଏହି ଫିଲ୍ମଟିକୁ ନେଇ ବେଶ୍ ଆଶା ବାନ୍ଧିଥିବା ସବ୍ୟସାଚୀ ଦର୍ଶକଙ୍କୁ ନିଜ ଅଭିନୟରେ କେତେ ମତୁଆଲା କରୁଛନ୍ତି ଏବଂ କେତେ ହିଟ୍ ହେବାକୁ ଯାଉଛି ତାହା ଦେଖିବାକୁ ବାକି ରହିଲା ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା


