ମା’ ତାରାତାରିଣୀଙ୍କ ଚୈତ୍ର ମେଳା ପାଇଁ ପ୍ରସ୍ତୁତି ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତବର୍ଷ କୋଭିଡ କଟକଣା ଯୋଗୁଁ ମା ତାରାତାରିଣୀଙ୍କ ଦୁଇଟି ଚୈତ୍ର ମେଳା ଭକ୍ତଙ୍କ ପାଇଁ ହୋଇ ପାରିଥିଲା । କିନ୍ତୁ ଅନ୍ୟ ପାଳି ଗୁଡିକ ମା’ଙ୍କର ବିଧି ବିଧାନ ଅନୁଯାୟୀ ବିନା ଭକ୍ତରେ ଆୟୋଜନ ହୋଇଥିଲା । ମା’ଙ୍କର କୃପା ଏବଂ ଆଶୀର୍ବାଦ ଯୋଗୁଁ କରୋନା କବଳରୁ ଜିଲ୍ଲା ବର୍ତ୍ତମାନ ଭଲ ପରିସ୍ଥିତିରେ ପହଞ୍ଚିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଛତ୍ରପୁର ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଜଣାଇଥିଲେ । ଗତକାଲି ଜାଗରମେଳା ନିମନ୍ତେ ବ୍ରହ୍ମପୁର ରାମଲିଙ୍ଗେଶ୍ୱର ମନ୍ଦିର ନିକଟରେ କୋଭିଡ କଟକଣା ଅନୁଯାୟୀ ବ୍ରହ୍ମପୁର ମହାନଗର ନୀଗମ ପକ୍ଷରୁ ଯେଉଁଭଳି ଭାବେ ଭଜନ ସମାରୋହ କେବଳ ଜିଲ୍ଲାବାସୀଙ୍କୁ ନେଇ ଆୟୋଜିତ୍ ହୋଇଥିଲା ଠିକ୍ ସେହିପରି ମା’ଙ୍କର ଚୈତ୍ର ପର୍ବ ପାଳନ କରାଯିବ । ଚଳିତ ବର୍ଷ ମେଳା ପର୍ବ ସମୟରେ ଅତ୍ୟାଧିକ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ଥିବା ହେତୁ ଭକ୍ତଗଣ କିଭଳି ବିନା ଦ୍ୱିଧାରେ କୋଭିଡ ନୀୟମ ଅନୁପାଳନ କରି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଦର୍ଶନ କରିପାରିବେ ସେଥି ସକାଶେ ସମସ୍ତ ବ୍ୟବସ୍ଥା ପ୍ରଶାସନ ତରଫରୁ ଗ୍ରହଣ କରାଯିବ । ଯେଉଁମାନେ କୋଭିଡର ଦୁଇଟି ଟିକା ନେଇ ନାହାନ୍ତି ସେମାନେ ସର୍ତକତା ପୂର୍ବକ ମେଳାକୁ ଆସିବାକୁ କୁହାଯାଇଛି । କେବଳ ଜିଲ୍ଲାବାସୀଗଣ ମା’ଙ୍କର ଦର୍ଶନ କରିପାରିବେ । ଜିଲ୍ଲା ବାହାରୁ କି ଅନ୍ୟ ରାଜ୍ୟର ଭକ୍ତଙ୍କ ନିମନ୍ତେ କଟକଣା ଜାରି କରାଯାଇଛି । ମହାରାଷ୍ଟ୍ର କି ଅନ୍ୟ ରାଜ୍ୟର ବ୍ୟକ୍ତି ମେଳାକୁ ଆସି ସଂକ୍ରମଣ ବୃଦ୍ଧି ନକରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଯେଉଁ ଭକ୍ତଗଣ ମା’ଙ୍କର ଦର୍ଶନ କରିବାକୁ ଆସୁଛନ୍ତି ସେମାନେ କୋଭିଡ ନିୟମ ଅନୁପାଳନ କରି ଠିକ୍ ରୂପେ ମାସ୍କ ପରିଧାନ, ସାନିଟାଇଜେସନ, ହାତ ଧୋଇବା ଇତ୍ୟାଦି କରି ଦର୍ଶନ କରିବାକୁ ଆସନ୍ତୁ ବୋଲି ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ମନ୍ଦିର ମଧ୍ୟକୁ ପର୍ଯ୍ୟାୟକ୍ରମେ ଧାଡି ବାନ୍ଧି ମା’ ଙ୍କର ଦର୍ଶନ କରିପାରିବେ । ଥର୍ମାଲ ସ୍କିନିଂ, ଅକ୍ସି ମିଟର ଓ ଆବଶ୍ୟକ ସ୍ଥଳେ ଆଣ୍ଟିଜେନ୍ ପରୀକ୍ଷା କରାଯିବ । ମନ୍ଦିର ଉପର ବେଢାରେ କୈାଣସି ବ୍ୟକ୍ତି ବସିବେ ନାହିଁ କି ଗହଳି କରିବେ ନାହିଁ । ଉପର ବେଢାରେ ଖାଦ୍ୟ ବଣ୍ଟନ ଓ ଖାଇବା ବନ୍ଦ କରାଯାଇଛି । ଗୁଟଖା ସେବନ ଓ ପାନଛେପକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ମନ୍ଦିର ତଳ ସ୍ଥାନରେ ଭକ୍ତଗଣ ମୁଣ୍ଡନ କରିପାରିବେ । ମୁଣ୍ଡନ କରୁଥିବା ବ୍ୟକ୍ତି ବିଶେଷଙ୍କ ବୟସ ୬୦ରୁ ଉର୍ଦ୍ଧ୍ୱ ହେବ ନାହିଁ ଓ ସେମାନଙ୍କର କୋଭିଡ ପରୀକ୍ଷା କରାଯାଇ ଅନୁମତି ପ୍ରଦାନ କରାଯିବ । କୈାଣସି ଖାଇବା ଖାଦ୍ୟ ମନ୍ଦିର ଉପରେ ବିକ୍ରି କରାଯିବ ନାହିଁ କିମ୍ବା ଖାଦ୍ୟ ପରିବେଷଣ ହେବ ନାହିଁ । ଯାନ ବାହାନ ରଖିବା ସ୍ଥାନରେ ଯାନବାହନ ଗୁଡିକ ରଖାଯିବ, ବସଷ୍ଟାଣ୍ଡରେ ବସ୍ ରହିବ, ମନ୍ଦିରକୁ ଯିବାକୁ ବ୍ୟବସ୍ଥା କରାଯାଇଥିବା ବସ୍ ରେ ଯାତ୍ରୀ ମାନେ ନିର୍ଦ୍ଧାରିତ ବସ୍ ଭଡା ଦେଇ ଘାଟି ରାସ୍ତାରେ ମନ୍ଦିର ନିକଟକୁ ଯାଇ ପାରିବେ । ରୋପ୍ ୱେ ଓ ପାହାଚ ରାସ୍ତା ଦେଇ ଯାତ୍ରୀମାନେ ଉପରକୁ ଚଢିପାରିବେ । ପୋଲିସ ବିଭାଗ ପକ୍ଷରୁ ଭକ୍ତଙ୍କ ଦର୍ଶନ ଯେପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ । ମନ୍ଦିର ବେଢାରେ ଭକ୍ତଗଣ ଯେପରି ଖରାଦାଉରୁ ରକ୍ଷା ପାଇବେ ସେଥି ସକାଶେ ଛାଇ ଓ ମ୍ୟାଟ୍ ର ବ୍ୟବସ୍ଥା ହେବ । ସ୍ଥାନେ ସ୍ଥାନେ ପାନୀୟ ଜଳ ଯୋଗାଣ କରାଯିବ । ତାରାତାରିଣୀ ଚତୁପାଶ୍ୱର୍ରେ ଜରିକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ଏଥି ସକାଶେ ଦୋକାନ ଗୁଡିକୁ ଚଢାଉ କରାଯାଇ ଜିରୋ ପ୍ଲାଷ୍ଟିକ୍ ଯେପରି ହେବ ସେ ଦିଗରେ ପଦକ୍ଷେପ ଗ୍ରହନ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଲ କଡା ନିର୍ଦ୍ଦେଶ ଦେଇଥିଲେ । ଦୋକାନୀ ମାନେ କୋଭିଡ ନିୟମ ଅନୁଯାୟୀ ଦୋକାନ ସମ୍ମୁଖରେ ୫ମିଟର ନିଜେ ସଫାସୁତରା ରଖିବେ । ସଫେଇ କାର୍ଯ୍ୟ, ଜୋତା ଷ୍ଟାଣ୍ଡ, ଶୈାଚାଳୟ, ଆଲୁଅ ବ୍ୟବସ୍ଥା, ନଡିଆ ଭାଙ୍ଗିବା ସ୍ଥାନ ଇତ୍ୟାଦି ବିଷୟ ନେଇ ଆଲୋଚନା ହୋଇଥିଲ। । ଅଗ୍ନିଶମ ବିଭାଗ ପକ୍ଷରୁ ନଦୀ ଅଂଚଳରେ ଅସ୍ଥାୟୀ ସେବା କେନ୍ଦ୍ର ସ୍ଥାପନ ହେବ । ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ସାନିଟାଇଜର ବ୍ୟବହାର କରିବା ଆଉ କିଛି ସମୟ ବ୍ୟବଧାନରେ ମନ୍ଦିର ପରିସରକୁ ବିଷୋଧନ କରାଯିବ । ମେଳା ସମୟରେ ମନ୍ଦିର ଉପରେ ଭୋଜି ଭାତ କରିବା ଲାଗି ସମ୍ପୁର୍ଣ୍ଣ ବାରଣ କରାଯାଇଥିବା ବେଳେ ଯାତ୍ରୀ ମାନେ ମନ୍ଦିର ଉପରକୁ ଯିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ଯାତ୍ରୀବାହୀ ବସ୍ ର ସୁବିଧା କରାଯିବ । ଏହି ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ବିଡିଏ ସଚିଚ ସମ୍ବିତ୍ ରାଉତ, ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡିଏସପି ଅଜୟ କୁମାର ମିଶ୍ର, ପୁରୁଷୋତ୍ତମପୁର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଗଞ୍ଜାମ ଆରଟିଓ ବିକାଶ ଚୌଧୁରୀ, ଗଞ୍ଜାମ ଅବକାରୀ ଅଧିକ୍ଷୀକ ରାଜେନ୍ଦ୍ର କୁମାର ଭତ୍ରା, ମନ୍ଦିର ମୁଖ୍ୟ ପୂଜକ ବାପୁଜୀ ରଣା ଓ ଅନ୍ୟାନ୍ୟ ସେବାୟତ, ଟି.କେ ରେଡ୍ଡୀ, ପ୍ରମୋଦ କୁମାର ପାଣ୍ଡା, ପରିଚାଳନା କମିଟିର ସଦସ୍ୟ,ପୋଲିସ୍ ଓ ଅବାକରୀ ବିଭାଗୀୟ ଅଧିକାରୀ ମାନଙ୍କ ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।