ମା’ ତାରାତାରିଣୀଙ୍କ ପୀଠରେ ପ୍ରଥମପାଳୀ ଚୈତ୍ର ଉତ୍ସବ ପାଳନ:ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ…

ପୁରୁଷୋତ୍ତମପୁର (ସମୃଦ୍ଧ ଓଡିଶା) ପ୍ରତ୍ୟେକ ବର୍ଷ ଭଳି ଚୈତ୍ର ମାସରେ ମଙ୍ଗଳବାରଗୁଡିକ ମା’ ତାରାତାରିଣୀଙ୍କ ଚୈତ୍ର ଉତ୍ସବ ରୂପେ ପାଳନ କରାଯାଇଥାଏ । ଏହି ବର୍ଷ ଗତକାଲି ମା’ଙ୍କ ପ୍ରଥମ ମଙ୍ଗଳବାରଟି ବହୁ ଜାକଜକମରେ ପାଳନ କରାଯାଇଛି । ଆଲୋକ ସାଜସଜା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆଦିରେ ଭକ୍ତମାନେ ପ୍ରଥମ ପାଳି ମଙ୍ଗଳବାରଟିକୁ ବହୁ ଆଡମ୍ବରରେ ପାଳନ କରିଛନ୍ତି । ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ଗଞ୍ଜାମ ଜିଲ୍ଲାର ଘରେ ଘରେ ପୂଜା ପାଇ ଆସୁଛନ୍ତି । ଭକ୍ତମାନେ ମା’ଙ୍କୁ ପୂଜା କରି ବହୁ ସମସ୍ୟା ଓ ବିପଦମୁକ୍ତ ହୋଇଛନ୍ତି । ଅଧିଷ୍ଠାତ୍ରୀ ମା’ତାରାତାରିଣୀ ଯେ କେବଳ ଭକ୍ତମାନଙ୍କର ବିଭିନ୍ନ ବିପଦରୁ ମୁକ୍ତି କରୁନାହାନ୍ତି, ଭକ୍ତ ସମାଜ ଓ ଗଞ୍ଜାମ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ସେଥିପାଇଁ କେଉଁ ଆବାହନ କାଳରୁ ଗଞ୍ଜାମ ଜିଲ୍ଲାର ଘରେ ଘରେ ମା’ଙ୍କୁ ଇଷ୍ଟ ଦେବୀ ରୂପେ ପାଳନ କରାଯାଉଛି । ଚୈତ୍ର ମାସରେ ସମସ୍ତ ମଙ୍ଗଳବାରକୁ ମା’ଙ୍କ ଉତ୍ସବ ରୂପେ ତାରାତାରିଣୀ ପୀଠରେ ପାଳନ କରାଯାଉଛି । ବିଭିନ୍ନ ଅଂଚଳରୁ ଭକ୍ତ ମାନେ ଓ ମାନସିକଧାରୀ ମାନେ ଏହି ଉତ୍ସବ ସମୟରେ ଏଠାରେ ଜମା ହୋଇ ମା’ଙ୍କୁ ଭକ୍ତି ଜଣାଇଥାନ୍ତି । ସେଥିପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ସୁରକ୍ଷା ବନ୍ଦୋବସ୍ତ ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରିଥାନ୍ତି । ତାରାତାରିଣୀ ଉନ୍ନୟନ ପରିଷଦର ମୁଖ୍ୟ ଜିଲ୍ଲାପାଳ ଓ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଏହି ଉତ୍ସଵର ଆୟୋଜନ ଓ ପରିଚାଳନା କରିଥାନ୍ତି । ଏହି ବର୍ଷ ଚୈତ୍ର ମଙ୍ଗଳବାର ୫ପାଳି ପଡୁଥିବାରୁ ମା’ଙ୍କୁ ସ୍ୱତନ୍ତ୍ର ପୂଜା ଅର୍ପଣ କରାଯାଉଛି । ଗତକାଲି ଭକ୍ତମାନେ ରୋପୱେ ଓ ୯୯୯ ପାହାଚ ଚଢ଼ି ମା’ଙ୍କ ଦର୍ଶନ କରିଥିଲେ । ବହୁ ସଂଖ୍ୟାରେ ଚଳିତ ବର୍ଷ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବହୁ ଚର୍ଚ୍ଚିତ ଭିକେ ପାଣ୍ଡିଆନ ଗସ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ଏକ ଅର୍ନ୍ତଜାତୀୟ ପର୍ଯ୍ୟଟକ ସ୍ଥଳ ରୂପେ ମାନ୍ୟତା ପାଇ କେନ୍ଦ୍ର ସରକାରଙ୍କୁ ଜଣାଇବା ପରେ ପରିଚାଳନା କମିଟି ମାନଙ୍କ ମଧ୍ୟରେ ଉତ୍ସହ ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ଉନ୍ନୟନ ପାଇଁ ନିକଟରେ ବହୁ ପରିମାଣରେ ଅର୍ଥ ମଂଜୁର କରିଥିବା ଖବର ପ୍ରଚାରିତ ହେବା ପରେ ରାଜ୍ୟରେ କାହିଁକି ଜାତୀୟ ସ୍ତରରେ ମଧ୍ୟ ଭକ୍ତ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଜାଗ୍ରତ ହୋଇଥିବାରୁ ଏ ବର୍ଷ ଲକ୍ଷାଧିକ ଭକ୍ତ ସମାଗମ ଓ ଆଗମନ ହେବା ଦେଖିବାକୁ ମିଳିଛି । ସେଥିପାଇଁ ଉତ୍ସହ ଓ ଉଦିପନାରେ କମିଟି ସଭ୍ୟ ମାନେ ମା’ଙ୍କୁ ବିଭିନ୍ନ ରଙ୍ଗବେରଙ୍ଗ ଓ ଫୁଲ ତୋରଣରେ ସଜେଇବା ସହ ପୁରା ମନ୍ଦିରକୁ ଏଭଳି ଭାବରେ ଫୁଲରେ ସଜାଯାଇଛି ଯାହାକି ବିଶ୍ୱରେ ଅନ୍ୟ କେଉଁଠି ଏଭଳି ସୌନ୍ଦର୍ଯ୍ୟ ଦେଖିବାକୁ ମିଳିନପାରେ । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଯୋଗୁଁ ଜିଲ୍ଲା ପ୍ରଶାସନ, ଆର୍‌ଟିଓ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଓ ବସ୍‌ ମାଲିକ ସଂଘ ପକ୍ଷରୁ ଲକ୍ଷାଧିକ ଲୋକଙ୍କ ପାଇଁ ମାଗଣା ଅନ୍ନ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଆଗକୁ ଆହୁରି ଚାରିପାଳି ଉତ୍ସବ ରହିଥିବାରୁ ଏବଂ ଲକ୍ଷାଧିକ ଭକ୍ତଙ୍କ ଆଗମନର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ମନ୍ଦିର କମିଟି ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା