ମିଳିଲା ମହିଳା ଆଦିବାସୀ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ : ହତ୍ୟା ନା ଆତ୍ମହତ୍ୟା ଛାନଭିନ କରୁଛି ପୋଲିସ

ବାଲେଶ୍ୱର(ସମୃଦ୍ଧଓଡିଶା) ନୂଆ ଚାକିରିରେ ବେଶ୍‌ ଖୁସି ଥିଲେ । ମାତ୍ର ୬ ମାସ ତଳେ ଚାକିରି କରିଥିଲେ । ଆଜି ସକାଳୁ ବନ୍ଦ କୋଠରୀ ଭିତରୁ ପୋଲିସ ଉଦ୍ଧାର କରିଛି ଜଣେ ମହିଳା ଆଦିବାସୀ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ । ଏହି ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଘଟିଛି। ମୃତା ଯୁବତୀ ଜଣକ ଇଞ୍ଜିନିୟର ମୋନାଲିସା ହେମ୍ବ୍ରମ ବୋଲି ଜଣାଯାଇଛି। ସେ ଭୋଗରାଇ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ମୋନାଲିସା ହେମ୍ବ୍ରମଙ୍କ ଘର ବାରିପଦାରେ । ସେ ଭୋଗରାଇ ବ୍ଲକରେ ପ୍ରଥମ ଚାକିରି କରିଥିବା ବେଳେ ଭଡ଼ା ନେଇ ରହୁଥିଲେ। ଆଜି ପ୍ରାୟ ସକାଳ ୧୦ଟା ପର୍ଯ୍ୟନ୍ତ ସେ ନିଜ ରୁମ୍‌ କବାଟ ଖୋଲି ନ ଥିଲେ। ପଡ଼ୋଶୀମାନେ ବହୁ ସମୟ କବାଟ ବାଡ଼େଇବା ପରେ ବି ମୋନାଲିସା କବାଟ ନ ଖୋଲିବାରୁ ସେମାନେ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ ପହଞ୍ଚି କବାଟ ଭାଙ୍ଗି ମୋନାଲିସାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା। ଏନେଇ ପୋଲିସ୍‌ ତୁରନ୍ତ ମୋନାସିଲାଙ୍କ ପରିବାରବର୍ଗଙ୍କୁ ଖବର ଦେଇଛନ୍ତି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସେମାନେ ଭୋଗରାଇରେ ପହଞ୍ଚି ନ ଥିବା ଜଣାଯାଇଛି। ପୋଲିସ୍‌ ଏହି ଘଟଣାର ତନାଘନା ଆରମ୍ଭ କରିଥିବା ବେଳେ ତାଙ୍କର ଏପରି ମୃତ୍ୟୁର କାରଣ ଜଣାପଡ଼ିନି। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟା ଷଢ଼ଯନ୍ତ୍ର ତାହାର ଛାନଭିନ ଆରମ୍ଭ କରୁଛି ପୋଲିସ୍‌ ।