ରାୟଗଡ଼ା (ସମୃଦ୍ଧ ଓଡିଶା) ସରକାରୀ ବିଦ୍ୟାଳୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ସକାଶେ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଇଂଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷାରେ ୧୫ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜାଣଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଧେଶ୍ୟରେ ଆଜି ସ୍ଥାନୀୟ ଜିସିଡି ଉଚ୍ଚ ବିଦ୍ୟାଳୟରେ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସହରସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ, ମୁନିସିପାଲ ଉଚ୍ଚ ବିଦ୍ୟାଳୟ ଓ ଜିସିଡି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ବିଦ୍ୟାର୍ଥୀମାନେ ଏହାଦ୍ୱାରା ଅଧିକ ଉପକୃତ ହୋଇପାରିବେ । ଆର୍ଥିକ ଅନାଗ୍ରସ ଅଞ୍ଚଳର ମେଧାବୀ ବିଦ୍ୟାର୍ଥୀମାନେ ନିଜ ଭବିଷ୍ୟତରେ ଡାକ୍ତର ଓ ଇଂଜିନିୟରିଂ ପାଠ୍ୟକ୍ରମ ଅତି ସହଜରେ ହାସଲ କରିବା ସହିତ ନିଜର ଓ ଅଭିଭାବଙ୍କ ସ୍ୱପ୍ନ ପୂରଣ କରିବେ ବୋଲି ସଭାରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିସିଡି ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀ ଭୂଷଣ ପଟନାୟକ, ଶିକ୍ଷକ କାଞ୍ଚନ ସାହୁ ଓ ଅନ୍ୟ ସହକାରୀ ଶିକ୍ଷକଙ୍କ ସମେତ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।