
ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଠାରେ ମହାସମାବେଶ କରି ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟର ମାନଙ୍କୁ ପ୍ରଭାବିତ କରି ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ କରିଛନ୍ତି । ଅନ୍ୟପଟେ ଗତକାଲିର ସମାବେଶକୁ ସଫଳ କରିବା ପାଇଁ ସରକାରୀ ଅଧିକାରୀ ମାନେ ମଞ୍ଚ ପରିଚାଳନାଠୁ ଆରମ୍ଭ କରି ସଭାକୁ ଲୋକ ଆଣିବା ଆଦି କାର୍ଯ୍ୟ କରୁଥିଲେ । ଏହା ଅପରାଧିକ, ନିନ୍ଦନୀୟ, ଅଗଣତାନ୍ତ୍ରିକ ଏବଂ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ବିଜେପି ତରଫରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଦାବି କରାଯାଇଛି।ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ ଅଧିକରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି । ୩୦ଲକ୍ଷ ଯୁବକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଏବଂ କେନ୍ଦ୍ର ସରକାର ରେଲୱେରୁ ୨୦ ହଜାର କୋଟି ନେଇ ୧ହଜାର କୋଟି ରେଲୱେ ଉନ୍ନତିକରଣ ପାଇଁ ଖର୍ଚ୍ଚ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରୀ ଅଫିସରମାନେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ । ଏହା ସତ୍ୱେ ଗତକାଲି ନୟାଗଡ଼ ସଭାରେ ସରକାରୀ ଅଫିସରମାନେ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ କରିଛନ୍ତି । ନୟାଗଡ଼ରେ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନଥିବାବେଳେ ଗତକାଲି ସଭାରେ ହୋଇଥିବା ସମସ୍ତ ଖର୍ଚ୍ଚ ପ୍ରାର୍ଥୀ,ଦଳ, କି ମୁଖ୍ୟମନ୍ତ୍ରୀଙ୍କ ଉପରେ ପଡ଼ିବ, ତାହା ସ୍ପଷ୍ଟ ହେବା ଦରକାର ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହା ପୂର୍ବରୁ ଗତ ୧୩ ମାର୍ଚ୍ଚରେ ‘କାଳିଆ’ ଅର୍ଥ ବିଜେଡି କର୍ମୀ ଏବଂ ବିଜୁଯୁବ ବାହିନୀର ସଭ୍ୟଙ୍କୁ ବାଣ୍ଟିବା, ୧୪ ମାର୍ଚ୍ଚରେ ମନ୍ତ୍ରୀ ପ୍ରତାପ ଜେନା ଓ ରଙ୍ଗେଇଲୁଣ୍ଡା ବିଡିଓଙ୍କ ବିରୋଧରେ, ୧୯ ମାର୍ଚ୍ଚରେ ସଂଜୟ ଦାସବର୍ମାଙ୍କ ବିରୋଧରେ, ୨୧ ମାର୍ଚ୍ଚରେ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ତଥ୍ୟ ପ୍ରମାଣ ଦେବା ପରେ ବି ନିର୍ବାଚନ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର, ଆଇନଜୀବୀ ଜୟନ୍ତ ଜେନା, ଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ସାମିଲ ଥିଲେ ।
ରିପୋର୍ଟ : ଆକାଶ ମିଶ୍ର