ଭୁବନେଶ୍ୱର(ସମୃଦ୍ଧ ଓଡିଶା )ଶାସନର ୧୯ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହଠାତ୍ ସୁରାଟ କଥା ମନେପଡିଲା । ଗୁଜୁରାଟ ରାଜ୍ୟର ସୁରାଟ ଅଂଚଳରେ ଓଡିଶାର ୭ ଲକ୍ଷରୁ ଉଦ୍ଧ୍ୱର୍ ଓଡିଆ ଶ୍ରମିକ ବର୍ଷ ବର୍ଷ ଧରି ରହିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୫ ଲକ୍ଷ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବିଭିନ୍ନ ଗ୍ରାମର ଚାଷୀ ପରିବାରର ଯୁବକ । ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ, ଦୀର୍ଘ ସମୟ ଧରି ହାଡଭଙ୍ଗା ଖଟଣି ସତ୍ୱେ ଏ ଶ୍ରମିକମାନେ ରହିବାକୁ ବାଧ୍ୟ ହେଉଛନ୍ତି । ସୁରାଟର ଓଡିଆ ଶ୍ରମିକମାନେ ମୂଖ୍ୟତଃ ବୟନ ଶିଳ୍ପ ଓ ହୀରା ପଲିସ କାରଖାନା ମାନଙ୍କରେ କାର୍ଯ୍ୟରତ । ଅଧିକାଂଶ ଶ୍ରମିକ ମାସିକ ମଜୁରୀ ବା ଦରମା ପାଆନ୍ତି ନାହିଁ । ଗ୍ରାମାଂଚଳରୁ ଯୁବକମାନେ ପେଟ ବିକଳରେ ଅନ୍ୟ ରାଜ୍ୟକୁ ଦୌଡିବାରେ ଲାଗିଛନ୍ତି । କେରଳ, ହାଇଦ୍ରାବାଦ, ବେଙ୍ଗାଲୁରୁ, ମୁମ୍ବାଇ ସର୍ବତ୍ର ଲକ୍ଷ ଲକ୍ଷ ଓଡିଆ ଶ୍ରମିକଙ୍କ ଭିଡ । ନବୀନ ବାବୁଙ୍କ ୧୮ ବର୍ଷର ଶାସନ କାଳରେ ରାଜ୍ୟର ସର୍ବନିମ୍ନ ମଜୁରୀ ବୃଦ୍ଧି, ଜମି ଅଧିକାର, ଧାନର ସରକାରୀ ଦର ବୃଦ୍ଧି, ଖାଲି ପଡିଥିବା ସରକାରୀ ପଦବୀ ପୂରଣ ଆଦି ପଦକ୍ଷେପମାନ ନେଇଥିଲେ, ଭିଟାମାଟି ଛାଡି ଓଡିଆ ଯୁବକମାନେ କାମ ଆଶାରେ ବାହାର ରାଜ୍ୟକୁ ବିକଳରେ ଦୌଡି ନଥାନ୍ତେ ବୋଲି ସିପିଆଇଏମ୍ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ।ଓଡିଶାରୁ ଯେଉଁ ଶ୍ରମ ଶକ୍ତି ବାହାର ରାଜ୍ୟକୁ ଚାଲାଣ ହେଉଛି ତାହା ରୋକିବାକୁ ପଦକ୍ଷେପ ନେବା ପରିବର୍ତେ ରାଜ୍ୟରେ ଶ୍ରମ ଶକ୍ତିର ଉପଯୁକ୍ତ ବିନିଯୋଗ ନକରି ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡିଶା ଶ୍ରମ ଶକ୍ତି ଚାଲାଣର ମୁଖ୍ୟ ରାଜ୍ୟ ପାଲଟିଛି । ଆଉ ୪/୫ ମାସ ନିର୍ବାଚନ ଥିବାରୁ, ଗଞ୍ଜାମର ଦାଦନ ଶ୍ରମିକମାନଙ୍କ ଭୋଟ ହାତେଇବା ପାଇଁ ଏବେ ସୁରାଟର ଓଡିଆ ଶ୍ରମିକଙ୍କ ପାଇଁ ନବୀନ ବାବୁଙ୍କ ନଗଦ ଖବର କାଗଜ ଜରିଆରେ ଲୋକେ ଜାଣିବାକୁ ପାଇଲେ । ଏ ଛଳନାକୁ ଲୋକେ ବୁଝି ପାରୁନାହାଁନ୍ତି ବୋଲି ବିଚାର କରିବାଟା ସଂପୁର୍ଣ୍ଣ ବୋକାମୀ ହେବ ନାହିଁ କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ରିପୋର୍ଟ : ଆକାଶ ମିଶ୍ର