ଭୁବନେଶ୍ୱର (ସମୃଦ୍ଧ ଓଡିଶା)ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ଓ ଏସଂକ୍ରାନ୍ତରେ କୋର୍ଟ ଦେଇଥିବା ରାୟ ଉପରେ କୃଷିମନ୍ତ୍ରୀ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ବହିଷ୍କାର କରାନଯିବା ପ୍ରତିବାଦରେ ମଙ୍ଗଳବାର ବିଜେପି ମହିଳାମୋର୍ଚ୍ଚାପକ୍ଷରୁ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରାଯାଇଥିଲା । ଶିଶୁ ଭବନ ଟ୍ରାଫିକ୍ ଛକ ପାଖରେ ମହିଳାମୋର୍ଚ୍ଚା କର୍ମୀମାନଙ୍କୁ ପୋଲିସ୍ ଅଟକାଇବାରୁ ସେମାନଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା । ପୋଲିସ୍ କିଛି ମହିଳା ଆନ୍ଦୋଳନକାରୀଙ୍କୁ ଉଠାଇ ନେଇ ଅଟକ ରଖିଥିଲା । ବେବିନାକୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବି କରି ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଓ କରିବା ସହ ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଚୁଡି ଭେଟି ଦିଆଯାଇଛି ବୋଲି ରାଜ୍ୟ ମହିଳା ସଭାନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଛନ୍ତି ।ସେ କହିଛନ୍ତି ଯେ ଦୀର୍ଘ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ଅସମ୍ମାନ କରିଚାଲିଛନ୍ତି । ସମାଜର ପ୍ରତିଟି କ୍ଷେତ୍ରରେ ମହିଳା ଆଜି ଅବହେଳିତ, ଅସୁରକ୍ଷିତ, ନିଷ୍ପେସିତ ଏବଂ ଅସମ୍ମାନିତ । ମୁଖ୍ୟମନ୍ତ୍ରୀଙ୍କ ନାରା ମହିଳାଙ୍କୁ ସୁରକ୍ଷା ଏବଂ ନାରୀଙ୍କୁ ସମ୍ମାନ କେବଳ ବିଜ୍ଞାପନ ମଧ୍ୟରେ ସୀମିତ । ଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି କର୍ମଜୀବୀ ମହିଳା ପର୍ଯ୍ୟନ୍ତ ସମସ୍ତେ ଭୟଭୀତ । ମହିଳାମାନଙ୍କ ପାଇଁ ରାଜ୍ୟସରକାରଙ୍କ ଯୋଜନା ଓ ପ୍ରତିଶୃତି ପାଣିର ଗାର ପାଲଟିଛି । ପୋଲିସ ଶାସକ ଦଳର ଚାପରେ କାର୍ଯ୍ୟ କରୁଛି । ଏପରିକି ଖୋଦ୍ ଶାସକ ଦଳର ନେତା, ବିଧାୟକ ଖେଳନା ଭାବି ପ୍ରତି ମୃହୁର୍ତରେ ନାରୀ ଇଜ୍ଜତକୁ ଲୁଟି ଚାଲିଛନ୍ତି । ଗତ କିଛିଦିନ ତଳେ ପିପିଲି ବେବିନା ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଂଚର ତଥ୍ୟ ପ୍ରମାଣ ଅଭାବରୁ ଦୋଷୀ ନିର୍ଦ୍ଦୋଷରେ ଖଲାସ ହେବା ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ନୀତିକୁ ପ୍ରମାଣିତ କରୁଛି ।ପିପିଲି ଦୁର୍ଷ୍କମର ଶୀକାର ହୋଇଥବା ବେବିନାର ଆତ୍ମା କାନ୍ଦୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୁଚିକି ଘରେ ବସିଛନ୍ତି । ଅନ୍ୟପଟେ କୋର୍ଟଙ୍କ ରାୟ ଆସିଲା ପରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଯେଉଁଭଳି ବୟାନବାଜି କରିଥିଲେ ତାହା ସମଗ୍ର ମହିଳା ଜାତିକୁ ଅପମାନିତ କରିଛି । ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନ୍ୟାୟ ଦେବା ପରିବର୍ତେ ବଳକ୍ରାରୀ ଦୋଷୀ ମାନଙ୍କୁ ଘଂଟ ଘୋଡାଇ ଚାଲିଛନ୍ତି । ବିଜେଡି ସରକାରର ପ୍ରେତ୍ସାହନରେ ରାଜ୍ୟର ମହିଳାମାନେ ବିଭିନ୍ନ ଅତ୍ୟାଚାରର ଶିକାର ହେଡଛନ୍ତି । ଶାସକ ଦଳର ନେତା ଓ ମନ୍ତ୍ରୀମାନେ ମହିଳା ସମାଜ ପ୍ରତି ବାରମ୍ବାର ଅସମ୍ମାନ କରିଚାଲିଛନ୍ତି । ଏହା ପରେ ବି ନବୀନବାବୁ ସବୁ ଜାଣି ଯଦି ଚୁପ୍ ରହିବେ,ତେବେ ରାଜ୍ୟରେ ଶାସନ ନକରି ଚୁଡି ପିନ୍ଧି ଘରେ ବସନ୍ତୁ ବୋଲି ଶ୍ରୀମତି ପରିଡା କହିଛନ୍ତି । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ହୋଇଥିବା ଏହି ପ୍ରତିବାଦ ସଭାରେ ମହିଳାମୋର୍ଚ୍ଚାର ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ ନିୟତିଗିରି, ସଂପାଦିକା ରଶ୍ମିରେଖା ଦାସ ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିରୁପମା ଜେନା, କୋଷାଧ୍ୟକ୍ଷା ବିଜୟଲକ୍ଷ୍ମୀ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାନେତ୍ରୀ ତନୁଶ୍ରୀ ପଟେଲ, ନିରୁପମା ଦାସ, ସୁଭାସିନୀ ପୃଷ୍ଟି, ଉନ୍ନତି ପରିଡା, ତୃପ୍ତିମୟୀ ମକଦ୍ଦମଙ୍କ ସମେତ ମୋର୍ଚ୍ଚାର ଶତାଧିକ ମହିଳା ସାମିଲ ଥିଲେ । ରିପୋର୍ଟ : ଆକାଶ ମିଶ୍ର