ମୃତ ଶିକ୍ଷକ ପରିବାର ବେସାହାରା : ଯୋର ଧରିଲା ସହାୟତା ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୨୦ ଦିନ ତଳେ ହଠାତ୍ ଜଣେ ଯୁବ ଶିକ୍ଷକଙ୍କର ମୃତ୍ୟ ଘଟିଥିବାରୁ ଏବେ ତାର ପରିବାର ପୁରୁଷ ଶୂନ୍ୟ ଓ ବେସାହାରା ହୋଇଛନ୍ତି । ବୃଦ୍ଧା ମା, ସ୍ତ୍ରୀ ଓ ୩ବର୍ଷର ଝିଅକୁ ସରକାରୀ ସହାୟତା ଯୋଗାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ଜଳେଶ୍ୱର ଥାନା ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁର ଗାଁର ପ୍ରଦୀପ ଘୋଷ ବସ୍ତା ବ୍ଲକ ଅନ୍ତର୍ଗତ ଭେଲୋରା ଅଂଚଳର ବେଲଗାଁ ବିଦ୍ୟାଳୟରେ ଶିକ୍ଷକତା କରି ଆସୁଥିଲେ । କିନ୍ତୁ ଡିସେମ୍ବର ୧୦ ତାରିଖରେ ବିଦ୍ୟାଳୟରୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣର ଶୀକାର ହୋଇଥିଲେ । ଘରେ ପହଞ୍ଚିଥିଲେ ମଧ୍ୟ ଯନ୍ତ୍ରଣା ଓ ଅସୁସ୍ଥତା ଯୋଗୁଁ ଜଳେଶ୍ୱର ଜିକେଭଟ୍ଟର ହସ୍‌ପିଟାଲରେ ଭତ୍ତିି ହୋଇଥିଲେ । ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ନେବାବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । କୌଣସି ସରକାରୀ ସହାୟତା ମିଳିନଥିବାରୁ ଅମର୍ଦ୍ଦାରୋଡସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟର ୧୯୮୫-୮୭ ମସିହା +୨ ବିଜ୍ଞାନ ଛାତ୍ରଛାତ୍ରୀ ତଥା ତାଙ୍କ ସହପାଠୀମାନେ ଆଜି ସ୍ୱର୍ଗତ ଘୋଷଙ୍କ ବିଧବାପତ୍ନୀ ଓ ମାଙ୍କୁ ସାକ୍ଷାତ କରିଥିଲେ । ଝାଟିମାଟି ଭଂଗା ଘରେ ସେମାନେ ମୁଣ୍ଡ ଗୁଞ୍ଜିଥିବା ବେଳେ କୌଣସି ସରକାରୀ ସହାୟତା ମିଳିନାହିଁ । କୁଂଜ ବିହାରୀ ଦାସ, ସଂଗ୍ରାମ ପଟ୍ଟନାୟକ, କ୍ଷିତିଶ ଘୋଷ, ଦୀପକ ଗିରି, ପ୍ରଶାନ୍ତ ଦିବେଦୀ ପ୍ରମୁଖ ୨୫ହଜାର ଟଙ୍କା ସହାୟତା ଦେଇଥିଲେ । ସେମାନଙ୍କ ସହିତ ଶ୍ରୀରମପୁର ପଂଚାୟତ ସରପଂଚ ପ୍ରତିନିଧି ଆଲୋକ ଗିରି, ଦକ୍ଷିଣପ୍ରହରାପୁର ସରପଂଚ ସତ୍ୟରଂଜନ ଦାସ, ଗ୍ରାମମୁଖ୍ୟ ରାମଚନ୍ଦ୍ର ଘୋଷ, ପୂର୍ବତନ ସଦସ୍ୟ ଅମୂଲ୍ୟ ବେହେରା ପ୍ରମୁଖ ମୃତ ପ୍ରଦୀପ ଘୋଷଙ୍କ ସ୍ତ୍ରୀଙ୍କୁ ସରକାରୀ ଚାକିରୀ, ଆବାସ ଯୋଜନାରେ ଘର ଓ ବିଧାବଭତ୍ତା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି । ଅନ୍ୟଥା ଏହି ବେସାହାରା ପରିବାର ଭୋକ ଉପାସରେ ଦିନ କାଟିବେ ବୋଲି କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା