ମୋଟର ଯାନ ଆଇନରେ ଯାଞ୍ଚ ପ୍ରକ୍ରିୟା ସାମାନ୍ୟ ଆଶ୍ୱସ୍ତି : ଏକ ମାସେ ଯାଏଁ କୋହଳ ନିଷ୍ପତ୍ତି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ବହୁଗୁଣା ଜରିମାନା ଆଦାୟ କରାଯାଉଛି । ବିଶେଷକରି ଡ୍ରାଇଭିଂ ଲାଇସେନ୍ସ, ଇନ୍‌ସୁରାନ୍ସ ଏବଂ ପଲ୍ୟୁସନ୍‌ ପ୍ରମାଣପତ୍ର ଆଦିକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି । ଏହା ନ ଥିଲେ ଲୋକେ ଜରିମାନା ଦେଉଛନ୍ତି । ତେବେ ଯେଉଁମାନଙ୍କ ପାଖରେ ପଲ୍ୟୁସନ ପ୍ରମାଣପତ୍ର ନାହିଁ ସେମାନଙ୍କ ଲାଗି ଭଲ ଖବର । କାରଣ ଏକ ମାସ ପର୍ଯ୍ୟନ୍ତ ପଲ୍ୟୁସନ ଯାଞ୍ଚ କରାଯିବ ନାହିଁ । ଏହାକୁ କୋହଳ କରାଯାଇଥିବା ନେଇ ଶୁକ୍ରବାର ପରିବହନ ସଚିବ ଜି.ଶ୍ରୀନିବାସ ସୂଚନା ଦେଇଛନ୍ତି । ଏପରିକି ଜନସାଧାରଣଙ୍କୁ ଅଯଥାରେ ହଇରାଣ ନ କରିବାକୁ ସେ ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି । ନଚେତ ଭୁଲରେ ଜରିମାନା ଆଦାୟ କରୁଥିବା କର୍ମଚାରୀ ଏପରିକି ସେ ଦୁଇଗୁଣା ଜରିମାନା ଦେବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଆଇନ ଲାଗୁ ହେବା ପରେ ଜରିମାନା ଆଦାୟରେ ଓଡ଼ିଶା ଦେଶରେ ସବୁଠାରୁ ଆଗରେ ରହିଛି । ଗତ ୪ ଦିନ ମଧ୍ୟରେ ୪୦୮ଜଣ ଗାଡ଼ି ଚାଳକଙ୍କଠାରୁ ଜରିମାନା ବାବଦରେ ମୋଟ ୮୮ଲକ୍ଷ ୯୦ ହଜାର ୧୦୭ଟଙ୍କା ଆଦାୟ ହୋଇଛି । ଏଥିସହ ୪୬ ଗାଡ଼ିକୁ ସିଜ୍‌ କରାଯାଇଛି ।

ରିପୋର୍ଟ : ଆକାଶ ମିଶ୍ର