ମୋଦି ଓ ନବୀନ ସରକାର ତୈଳ ଟିକସ ହ୍ରାସ କରନ୍ତୁ : ପ୍ରଦେଶ କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟରେ ବିଜେଡି ସରକାର ରାଜ୍ୟବାସୀଙ୍କ ପାଇଁ ଢେର କାନ୍ଦଣା କାନ୍ଦୁଛନ୍ତି । କିନ୍ତୁ କାହା ଆଖିରେ ଲୁହ ନାହିଁ । ରାଜ୍ୟବାସୀ ଉକ୍ରଟ ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ମୋଳିକ ସୁବିଧା ସୁଯୋଗ ନମିଳିବା, ମାତ୍ରାଧିକ ଟିକସ ବୋଝ ଭଳି ନାନା ସମସ୍ୟାକୁ ନେଇ ଜର୍ଜରିତ । କିନ୍ତୁ ଏହି ଦୁଇଦଳ ନାନା ଭାବରେ ରାଜ୍ୟବାସୀଙ୍କୁ କେବଳ କଥା କହି ଭୁଆଁ ବୁଲାଇ ଚାଲିଛନ୍ତି । ରାଜ୍ୟରେ ପେଟ୍ରୋଲ ଦର ୮୨ ଟଙ୍କା ଏବଂ ଡିଜେଲ ଲିଟର ୮୦ ଟଙ୍କା ଅତିକ୍ରମ କରିଛି । ଏଭଳି ପରିସ୍ଥିତିରେ ରାଜ୍ୟର ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଅକ୍ଟୋବର ପହିଲାରେ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବାକୁ ଘୋଷଣା କରିଛି । ରାଜଭବନ ସମ୍ମୁଖରେ ବିକ୍ଷୋଭ କଲେ ତୈଳଦର କମିବ ନାହିଁ, ଏକଥା ବିଜେଡି ଜାଣିଛି । ତଥାପି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ବିକ୍ଷୋଭ ନାଟକ କରୁଛି । ପେଟ୍ରୋଲ ଉପରେ ଲିଟର ପିଛା ରାଜ୍ୟ ସରକାର ୧୩ ଟଙ୍କା ୨୬ ପଇସା ଏବଂ ଡିଜେଲ ଉପରେ ଲିଟର ପିଛା ୧୨ ଟଙ୍କା ୫୦ ପଇସା ଟିକସ ଆକାରରେ ପାଉଛନ୍ତି । ସେହିଭଳି କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୧୯ ଟଙ୍କା ୪୮ ପଇସା ଏବଂ ଡିଜେଲ ଉପରେ ଲିଟର ପିଛା ୧୫ ଟଙ୍କା ୩୩ ପଇସା ଉତ୍ପାଦନ ଶୁଳ୍କ ଆକାରରେ ସଂଗ୍ରହ କରୁଛନ୍ତି । କେନ୍ଦ୍ରରେ ବିଜେପି ସରକାର ଏବଂ ରାଜ୍ୟରେ ବିଜେଡି ସରକାର ତୈଳ ଉପରୁ ଟିକସ ହ୍ରାସ ନକରି ଜନସାଧାରଣଙ୍କୁ ଲୁଟିବାରେ ଲାଗିଛନ୍ତି । ଅଥଚ ଲୋକ ଦେଖାଣିଆ ଭାବରେ ପରସ୍ପରକୁ ସମାଲୋଚନା କରି ଲୋକଙ୍କର ପ୍ରିୟଭାଜନ ହେବାକୁ ଚେଷ୍ଟା କରୁଛନ୍ତି । ପେଟ୍ରୋଲ, ଡିଜେଲରେ ଉଭୟ ମୋଦି-ନବୀନ ସରକାର ଲୋକଙ୍କୁ ଟିକସ ଶୋଷିବାରେ ଲାଗିଛନ୍ତି । ୨୦୧୪ରେ ଓଡିଶା ସରକାର ଭାଟ୍ବା ବଦରେ ୨୮୬୫ କୋଟି ଆଦାୟ କରିଥିବା ବେଳେ ୨୦୧୭-୧୮ରେ ତାହାର ପରିମାଣ ୧୪୦ ପ୍ରତିଶତ ବୃଦ୍ଧିପାଇ ତାହା ୬୯୦୦ କୋଟି ପହଂଚିଛି । ସେହିପରି କେନ୍ଦ୍ର ସରକାରଙ୍କ ଟିକସ ଆଦାୟ ବାବଦରେ ୨୦୧୪ ତୁଳନାରେ ୨୧୧ ପ୍ରତିଶତ ବୃଦ୍ଧି ହୋଇ ୨ଲକ୍ଷ ୨୨ ହଜାର କୋଟି ପହଂଚିଛି । ମୋଦି ସରକାର ବିଗତ ସାଢେ ଚାରି ବର୍ଷରେ ୧୧ ଲକ୍ଷ କୋଟି ଟଙ୍କା ଟିକସ ଶୋଷିଥିବା ବେଳେ ନବୀନ ସରକାର ପ୍ରାୟ ୧୫ ହଜାର କୋଟି ଆଦାୟ କରିଛନ୍ତି । ଓଡ଼ିଶାବାସୀ ସେମାନଙ୍କର ଏହି ଚାଲାକି ଜାଣିସାରିଲେଣି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି । ଏକ ବିବୃତିରେ ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି, ସେପ୍ଟେମ୍ବର ୧୦ ତାରିଖରେ କଂଗ୍ରେସ ପକ୍ଷରୁ ତୈଳଦର ବୃଦ୍ଧି ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଥିଲା । ତାହାକୁ ରାଜ୍ୟରେ ବିଜେଡି ବ୍ୟତୀତ ଅନ୍ୟ ରାଜନୈତିକ ଦଳଗୁଡିକ ସମର୍ଥନ କରିଥିଲେ । ଏହାକୁ ରାଜ୍ୟବାସୀଙ୍କ ପକ୍ଷରୁ ସବୁ ମହଲରୁ ଅଭୂତପୂର୍ବ ସମର୍ଥନ ମିଳିଥିଲା । ସେହି ସମୟରେ ବିଧାନସଭା ଚାଲିଥିଲା । ବିଧାୟକମାନେ ଅନ୍ତତଃ ପାଂଚଘଂଟା ପାଇଁ ଗୃହକୁ ନଯାଇ ପ୍ରତିବାଦ ଜଣାଇବାକୁ କଂଗ୍ରେସ ନିବେଦନ କରିଥିଲା । କିନ୍ତୁ ବିଜେଡି ଓ ବିଜେପି ବିଧାୟକମାନେ ଯଥାରୀତି ବିଧାନସଭା କାର୍ଯ୍ୟକ୍ରମରେ ସାମିଲ ହେଲେ । ଏଥିରୁ ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ପ୍ରତି ସେମାନଙ୍କ ମନରେ ଥିବା ତିଳେମାତ୍ର ଦରଦ ନଥିବା ସ୍ପଷ୍ଟ ହୋଇଯାଇଛି । ସେମାନେ ଭିତରେ ଭିତରେ କୋଳାକୋଳି ହୋଇ ସାଧାରଣ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି ।ୟୁପିଏ ସମୟରେ ତୈଳ ଦର ଅଧିକ ରହିଥିଲା ବୋଲି ବିଜେପି ପକ୍ଷରୁ ଯାହା କୁହାଯାଇଛି ତାହାକୁ କଂଗ୍ରେସ ଦୃଢ ଭାବେ ଖଣ୍ଡନ କରିଛି । ଦଳ ପକ୍ଷରୁ କୁହାଯାଇଛି, ୟୁପିଏ ସରକାରଙ୍କ ସମୟରେ ୨୦୧୪ ମେ ୧୬ ତାରିଖରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୭.୦୯ ଡଲାର ରହିଥିଲା । ସେତେବେଳେ ଦେଶରେ ପେଟ୍ରୋଲ ଲିଟର ୭୧ ଟଙ୍କା ୪୧ ପଇସା ଏବଂ ଡିଜେଲ ଲିଟର ୫୫ ଟଙ୍କା ୪୯ ପଇସା ଥିଲା । ୨୦୧୮ ସେପ୍ଟେମ୍ବର ୬ ତାରିଖରେ ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୩ ଡଲାର ରହିଥିବାବେଳେ ଦେଶରେ ପେଟ୍ରୋଲ ଲିଟର ପ୍ରାୟ ୮୦ ଟଙ୍କା ଏବଂ ଡିଜେଲ ଲିଟର ୭୨ ଟଙ୍କାକୁ ବୃଦ୍ଧିପାଇଛି । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩୪ ଡଲାର କମିଥିବା ସତ୍ୱେ ଦେଶରେ ୨୦୧୪ ମେ ତୁଳନାରେ ପେଟ୍ରୋଲ ଲିଟର ପ୍ରାୟ ୯ ଟଙ୍କା ଏବଂ ଡିଜେଲ ଲିଟର ପ୍ରାୟ ୧୭ ଟଙ୍କା କିଭଳି ବୃଦ୍ଧିପାଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସେହିଭଳି ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ପ୍ରାୟ ୪୦୦ ଟଙ୍କା ବୃଦ୍ଧିଘଟିଛି । ୟୁପିଏ ସରକାର ସମୟରେ ଟ୍ରେନଭଡା କିଲୋମିଟର ପିଛା ୬ଟଙ୍କା ଥିବାବେଳେ ଏବେ ତାହା ସର୍ବନିମ୍ନ ୯ ଟଙ୍କା ହୋଇଛି । ପ୍ଲାଟଫର୍ମ ଟିକେଟ ମୂଲ୍ୟ ୩ ଟଙ୍କାରୁ ୨୦ ଟଙ୍କାକୁ ବୃଦ୍ଧିପାଇଛି । ଏହାସତ୍ୱେ ବିଜେପି ଓ ବିଜେଡି ପରସ୍ପର ଉପରେ ଦୋଷ ଲଦି କିଭଳି ଖସଯିବାର ଅପଚେଷ୍ଟା କରୁଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି । ରାଜ୍ୟବାସୀଙ୍କ ପ୍ରତି ବାସ୍ତବରେ ଯଦି ବିଜେଡି ନେତୃବୃନ୍ଦଙ୍କର ସାମାନ୍ୟତମ ସହାନୁଭୁତି ରହିଛି, ତେବେ ସେମାନେ ରାଜ୍ୟସ୍ତରରେ ଭାଟ୍ହ୍ରା ସ କରିବା ସହିତ ରାଜରାସ୍ତାକୁ ଓହ୍ଲାଇ କେନ୍ଦ୍ରରେ ଉତ୍ପାଦନ ଶୁଳ୍କ ହ୍ରାସ ନିମନ୍ତେ କେନ୍ଦ୍ରର ବିଜେପି ସରକାର ଉପରେ ଚାପ ପକାଇବାକୁ କଂଗ୍ରେସ କହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରାକର ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ୍ ଛାଡ କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଦାବି ଜଣାଇଛନ୍ତି ।