ମୋହ…

ଆତ୍ମଦର୍ଶନ, ବିଚାରଶୀଳତା, ନିବନ୍ଧିତ ଗ୍ରହଣୀୟତା ରହିତ ଏକ ପାରିବାରିକ ବନ୍ଧନ ଯାହା ମଣିଷକୁ ମାନସିକ ତୃପ୍ତି ପ୍ରଦାନ ପୂର୍ବକ ସାମାଜିକ କର୍ତବ୍ୟନିଷ୍ଠତାର ଦିଗ୍‌ଦର୍ଶକ ଭାବେ ଭାବାବେଗ ସୃଷ୍ଟି କରିଥାଏ ମନରେ । ମୋହରେ ବନ୍ଧା ପାରିବାରିକ ଓ ସାମାଜିକ କର୍ତ୍ତବ୍ୟବୋଧତା ମଣିଷର ନିଜସ୍ୱ ଚେତନାକୁ କ୍ଷୀଣ କରି ଅପ୍ରାକୃତିକ, ଅନୈତିକ ବିଚାର ସୃଷ୍ଟି କରିବାରେ ଯଥେଷ୍ଟ ସହାୟକ ହୋଇଥାଏ । ମୋହରେ ମୋହିତ ମଣିଷ ଦିଗହରା, ବିକାର ଯୁକ୍ତ ତଥା ଅମାନବୀୟ ଚରିତ୍ର ପ୍ରବାହ ପୂର୍ବକ ଅସାମାଜିକ କାର୍ଯ୍ୟ ତଥା ଅନ୍ୟର କ୍ଷତି ସାଧନ କରି ନିଜସ୍ୱ ସ୍ୱାର୍ଥ ହାସଲ କରିବାରେ ତିଳେ ହେଲେ ଦ୍ୱିଧା ଅନୁଭବ କରିନଥାଏ । ମୋହ ମଣିଷକୁ ଅମାନବୀୟତାର ଚରମ ଶୀର୍ଷରେ ପହଞ୍ଚାଇ କର୍ତ୍ତବ୍ୟ, ଅକର୍ତ୍ତବ୍ୟର ସଜ୍ଞା ବହିର୍ଭୁତ ପୂର୍ବକ ସ୍ୱାର୍ଥାନ୍ଧ କରିଦିଏ ଯଦ୍ୱାରା ସେ କରୁଥିବା କର୍ମର ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହୋଇଥାଏ । ଅତଃ ଅନେକ ସମୟରେ ଦୁଃସଚାରିତ୍ରିକ ଚରିତ୍ର ପ୍ରବାହ ଜନିତ ସାମାଜିକ ଅମଙ୍ଗଳ ସାଧନ କରି ନିଜର ବ୍ୟକ୍ତିତ୍ୱ, ପରିଚୟ ନଷ୍ଟ କରିବାରେ ପଛଘୁଞ୍ଚା ଦେଇନଥାଏ ମୋହିତ । ମୋହ ଏକ ସାମାଜିକ ଚରିତ୍ର ଯାହାର ଘନତ୍ୱ ନିର୍ଭର କରିଥାଏ ସମ୍ପୃକ୍ତ ପାରିବାରିକ ପୂର୍ବଜଙ୍କ ବିଚାରଧାରା ତଥା ପାରମ୍ପରିକ ଗୁଣ ପ୍ରବାହ ଶୈଳୀ ଉପରେ । ମୋହର ଆନୁପାତିକ ଭିନ୍ନତା ଦେଖା ଦେଇଥାଏ ଗୋଟିଏ ପରିବାରର ବିଭିନ୍ନ ମଣିଷଙ୍କ ପାଖରେ, ଯାହାର ଆନୁପାତିକ ଭିନ୍ନତା ପରିଲକ୍ଷିତ ହୋଇଥାଏ ଏକକ ବ୍ୟକ୍ତିଙ୍କ ଜନ୍ମ ଚରିତ୍ରକୁ ନେଇ ଯାହା ସେମାନଙ୍କ ପିତା, ମାତାଙ୍କ ଚାରିତ୍ରିକ ଜିନ୍ ଗତ ଗୁଣ ଉପରେ ନିର୍ଭର କରିଥାଏ । କେତେକ ବ୍ୟକ୍ତି ବିଶେଷଙ୍କ ପାଖରେ ମୋହର ପରିମାଣ ଅତ୍ୟନ୍ତ କ୍ଷୀଣ ରହିଥବା ବେଳେ ଅନ୍ୟ କେତେକ ମୋହରେ ବନ୍ଧା ନିଜତ୍ୱ ଭୁଲିଯାଇ ଥା’ନ୍ତି କେବଳ ନିଜର ପାରିବାରିକ ସମ୍ପର୍କ ସହିତ । ମୋହରେ ଅନ୍ଧ ମଣିଷ ଗୁଡିକ ଅନେକ ସମୟରେ ନିଜକୁ ଜଳାଞ୍ଜଳି ଦେଇ ନିଜ ପରିବାର ସଦସ୍ୟଙ୍କ ଉଦ୍ଦେଶ୍ୟରେ ଏତେ ଉତ୍ସର୍ଗିକୃତ ହୋଇଥା’ନ୍ତି ଯେ ସେମାନେ କେବଳ ନିଜକୁ ଏକ ପିତୁଳା ଭଳି ବଞ୍ଚାଇ ରଖି ନିଜ ପରିବାର ତଥା ଜାୟା, ସନ୍ତାନଙ୍କ ପ୍ରତି ନିଜ ପ୍ରାଣ ଦେବା ପାଇଁ ମଧ୍ୟ ପଛଘୁଞ୍ଚା ଦେଇନଥା’ନ୍ତି । ମୋହରେ ଅନ୍ଧ ଏହିଭଳି ମଣିଷଙ୍କ ମାନସିକ ବିଡମ୍ବନା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ଯେ ସତେ ଯେପରି ସେମାନଙ୍କ ଜନ୍ମ ହୋଇଥିଲା କେବଳ ଏହିମାନଙ୍କୁ ଉତ୍ତୋଳନ କରି ଗଢି ତୋଳିବାକୁ ଯେଉଁଠି ତା\’ର ପରିଚୟ ଏକ ମହା ମରୀଚିକା ସଦୃଶ୍ୟ ହୋଇଥାଏ । ଅନେକ ସମୟରେ ସେମାନେ ନିଜେ ଜଳି ଜଳି ପାରିବାରିକ ବନ୍ଧନକୁ ଏମିତି ସନ୍ତୁଳିତ କରିଥା’ନ୍ତି ଯେ ସେମାନଙ୍କ ସର୍ବସ୍ୱ ଏହି ସମ୍ପର୍କୀୟ ମାନଙ୍କ ଭଳି ଅନୁଭୂତି ଦେଖିବାକୁ ମିଳେ ଅନେକ କ୍ଷେତ୍ରରେ । ଅନ୍ୟ ପକ୍ଷରେ କେତେକ ମଣିଷ କେବଳ ସାମାଜିକ ନିବନ୍ଧତାକୁ ଆଖି ଆଗରେ ରଖି ପ୍ରଥମେ ନିଜସ୍ୱ ବିଚାରଧାରା ସହିତ ବ୍ୟକ୍ତିଗତ ଚରିତ୍ରକୁ ସୁସଜ୍ଜିତ କରିବା ପରେ କିଛି ଅଂଶ ପରିବାର ପ୍ରତି ନିୟୋଜିତ କରିଥା’ନ୍ତି । ସେମାନଙ୍କ ବିଚାରଧାରା ଏକ ସମାନ୍ତରାଳ ରେଖାରେ ପ୍ରବାହିତ ହେଉଥାଏ ନିଜ ପ୍ରତି ଏବଂ ପାରିବାରିକ ବନ୍ଧନର ସନ୍ତୁଳନ ରକ୍ଷା କରି । ମୋହ ଏକ ମାନସିକ ବିକାର ଜନିତ ରାସାୟନିକ ପ୍ରକ୍ରିୟା ଯାହା ମଣିଷକୁ ଅନେକ କିଛି ଶିକ୍ଷା, ଦୀକ୍ଷାରେ ସଂଭୁସିତ କରି ସ୍ୱାର୍ଥାନ୍ଧ କରି ଦେଇଥାଏ । ମୋହିତ ମଣିଷ ସବୁବେଳେ ଅଲୌକିକ ବିଚାରଧାରା ପ୍ରବାହ ତଥା ଅଲୌକିକତା ଉପରେ ଯଥେଷ୍ଟ ବିଶ୍ୱାସ, ଗୁରୁତ୍ୱାରୋପ କରିଥା’ନ୍ତି । ପ୍ରତ୍ୟେକ ସମୟରେ ପାରିପାଶ୍ୱର୍ିକ ସନ୍ଦେହ ଜାଗ୍ରତ ହେବା ସହିତ କ୍ଷଣ କ୍ଷଣ ନିଜକୁ ଏବଂ ନିଜ ପରିବାର ପ୍ରତି କୌଣସି ଅସୁରକ୍ଷିତ ରହିଥିବା ଅନୁଭବ ହୋଇଥାଏ ସେମାନଙ୍କର । ମୋହ ମଣିଷକୁ ଅହରହ ଅଶାନ୍ତ କରି ରଖିବାରେ ଯଥେଷ୍ଟ ସହାୟକ ହେଉଥିବା ବେଳେ ଭବିଷ୍ୟତ ଅସୁରକ୍ଷିତ ଅନୁଭବ ସେମାନଙ୍କର ଏକ ସହଜାତ ଚେତନା ଭଳି ପରିଲକ୍ଷିତ ହୋଇଥାଏ । ମୋହରେ ବନ୍ଧା ମଣିଷ ସବୁବେଳେ ବର୍ତ୍ତମାନକୁ ପ୍ରତ୍ୟାଖ୍ୟାନ କରି ଭବିଷ୍ୟ ବିଚାର ରଖିବା ସହିତ ସମସ୍ତଙ୍କୁ ଭବିଷ୍ୟ ସୁରକ୍ଷା ନିମନ୍ତେ ଅନେକ ଜ୍ଞାନ ବାଣ୍ଟିଥା’ନ୍ତି । ପାରିବାରିକ ସୁରକ୍ଷା ତଥା ଭବିଷ୍ୟଦ୍ରଷ୍ଟା ବିଚାର କାରଣରୁ ନିଜ ପରିବାର ପ୍ରତି ରଖିଥିବା ପ୍ରଗାଢ଼ ମୋହକୁ ଲୁକାୟିତ ରଖି ସେମାନଙ୍କ ବର୍ତ୍ତମାନକୁ ମଧ୍ୟ ଅଣଦେଖା କରିବା ତଥା ପାରିବାରିକ ଲୋକଙ୍କ ପ୍ରତି ଅଯୌକ୍ତିକ ବିଚାର ବାଢି଼ଥା’ନ୍ତି । ଯଦ୍ୱାରା ସେମାନଙ୍କ ପରିବାର ଲୋକେ ମଧ୍ୟ ସମ୍ପୃକ୍ତ ମଣିଷଟିର ମୋହକୁ ବୁଝିନପାରି ସେମାନଙ୍କ ପ୍ରତି ବିପରୀତମୁଖୀ ଭାବନା ସୃଷ୍ଟି କରିଥା’ନ୍ତି ମନରେ । ଅର୍ଥାତ ନିଜ ପରିବାର ପ୍ରତି ମୋହିତ ଶୁଭଚିନ୍ତକ ମଧ୍ୟ ଅନ୍ୟ ସଦସ୍ୟଙ୍କ ଦ୍ୱାରା ଅନେକ ସମୟରେ ଆକ୍ରୋସର ଶିକାର ହେବାପାଇଁ ପଡିଥାଏ । ଏହି ପରିସ୍ଥିତିକୁ ହୃଦୟଙ୍ଗମ କରି ଉଭୟ ପକ୍ଷ ଭବାନ୍ତର୍ଭୂକ୍ତ କରିବା ସମ୍ଭାବନା ଅତ୍ୟନ୍ତ କ୍ଷୀଣ ହୋଇଥବା ବେଳେ ପାରିବାରିକ ଅଶାନ୍ତି ଜନିତ ଦୁଖୀ ଜୀବନ ଯାପନ କରିବାରେ ଉଭୟ ପକ୍ଷ ପକ୍ଷପାତିତା କରିବାକୁ ବାଧ୍ୟ ହୋଇଥା’ନ୍ତି । ବିଡମ୍ବନାର ବିଷୟ ଏହାକି ମଣିଷ ମନର ଅନ୍ୟାନ୍ୟ ଆନୁସଙ୍ଗିକ ରିପୁ ଗୁଡିକୁ କିଂଚିତ ବିଶ୍ଲେଷଣ କରି ବୁଝିବା ସାମର୍ଥ୍ୟ ରଖିଥିବା ମଣିଷ ମଧ୍ୟ ମୋହର ସଜ୍ଞାକୁ ଏତେ ସହଜରେ ବୁଝି ନପାରି ଜୀବନ ଅସନ୍ତୁଳିତ ଅବସ୍ଥାରେ ବିତାଉଥିବା ଏକ ଦୁଖଦଃ ପରିବେଶ ଦେବାକୁ ମିଳିଥାଏ ଏକ ମୋହିତ ପରିବାର ମଧ୍ୟରେ । ଅର୍ଥାତ ମୋହକୁ ବୁଝିବା ତଥା ତାକୁ ସନ୍ତୁଳିତ କରି ପାରିବାରିକ କର୍ତବ୍ୟ ପରିଚାଳିତ କରିବା ଏତେ ସହଜ ନୁହେଁ ଯାହା ସାଧାରଣ ମଣିଷ ପାଖରେ ସମ୍ଭବ ହୋଇପାରିବ । ମୋହକୁ ସମୀକ୍ଷା କରି ସନ୍ତୁଳିତ କରି ଜୀବନଚର୍ଯ୍ୟାରେ ଅଂଗୀକାର କରି ଏକ ମାନବୀୟ ଚରିତ୍ର ପ୍ରବାହ କରିବା ଏକ ଜଟିଳ ଜ୍ଞାନ । ତେଣୁ ଅଧିକାଂଶ ମଣିଷ ପାରିବାରିକ ମୋହରେ ଅନେକ ଅସାମାଜିକ, ଅମାନବୀୟ ଚରିତ୍ର ପ୍ରବାହ ପୂର୍ବକ ନିଜର ଗାରିମା ତଥା ପରିଚୟ ନଷ୍ଟ କରିବାରେ କୌଣସି ଚେତନା ମୂଳକ ବିଧି ପ୍ରବାହ କରିବାରେ ଯଥେଷ୍ଟ ଅସହାୟକ ହୋଇଥାନ୍ତି ଆମ ସମାଜରେ । କିନ୍ତୁ ମୋହକୁ ସଂକୁଚିତ କରି ମାନବୀୟ ଚରିତ୍ର ପ୍ରବାହ କରିବାରେ ସମ୍ପୃକ୍ତ ମଣିଷର ପରିବାର ତଥା ସମାଜରେ ବ୍ୟକ୍ତିତ ବୃଦ୍ଧି ପାଇବା ସହିତ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିବେ ବୋଲି ସାଧାରଣ ଜ୍ଞାନ ଶୂନ୍ୟ ମଣିଷଙ୍କ ଜୀବନ ଶୈଳୀ ଏକ ଭିନ୍ନ ଢଙ୍ଗରେ ପରିଚାଳିତ ହୋଇଥାଏ । ମୋହ ମଣିଷକୁ ଜ୍ଞାନଶୁନ୍ୟ କରି ଅବାଟରେ ପରିଚାଳିତ କରିଥାଏ । ମୋହ ଏକ ପ୍ରକୃତିଦତ୍ତ ଚରିତ୍ର ମଣିଷର ଯାହା ମାନସିକ ସ୍ତରରେ ସଂରଚିତ ହୋଇ ମସ୍ତିଷ୍କରେ ବ୍ୟାପକ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ସେହି ରାସାୟନିକ ପ୍ରତିକ୍ରିୟା ହେତୁ ମଣିଷର ଚେତନା ଜ୍ଞାନ ପ୍ରଭାବିତ ହୋଇ ଆକୃଷ୍ଟ ଭାବ ସୃଷ୍ଟି ହୋଇିଥାଏ । ଆକୃଷ୍ଟ ଭାବ କୌଣସି ବସ୍ତୁ, ପଦାର୍ଥ କିମ୍ବା ମଣିଷଙ୍କ ପ୍ରତି ହୋଇଥାଏ ଯାହା ସ୍ଥଳ ବିଶେଷକୁ ନେଇ ତାହାର ଘନତ୍ୱ ସୃଷ୍ଟି କରିଥାଏ । ମୋହ କେମିତି ପ୍ରାକୃତିକ ଉପାୟରେ ମଣିଷ ମନରେ ସୃଷ୍ଟି ହୋଇଥାଏ ତାହା ବୁଝିବା କଷ୍ଟକର ବ୍ୟାପାର ହୋଇଥିବା ବେଳେ ଗୋଟିଏ ଉଦାହରଣ କିଂଚିତ ଜ୍ଞାନ ପ୍ରଦାନ କରିପାରେ । ଉଦାହରଣ ସ୍ୱରୂପ ମା\’ ନିଜର ନବ ଜନ୍ମିତ ସନ୍ତାନ ପ୍ରତି ଯେଉଁ ଲାଳସା ସୃଷ୍ଟି କରିଥାଏ ଏବଂ ତାକୁ ନିଜର ସ୍ତନ୍ୟ ପାନ କରାଇବା ପାଇଁ ଯେଉଁ ବ୍ୟାକୁଳତା ସୃଷ୍ଟି ହୋଇଥାଏ ତା\’ ମନରେ ତାକୁ ସହଜରେ ବୁଝି ହେବ ନାହିଁ । କାରଣ ତାହା ଏକ ପ୍ରାକୃତିକ ଆକୃଷ୍ଠତା ଯାହାକୁ ଛାଡି ସେ ବଞ୍ଚିପାରିବ ନାହିଁ । ସତେ ଯେମିତି ନିଜର ସର୍ବସ୍ୱ ହରାଇଲା ଭଳି ମାନେ ହେଉଥାଏ ଯଦି ସେ ତାର ସନ୍ତାନକୁ ସ୍ତନ୍ୟପାନ କରିବାରେ ବାଧା ବିଘ୍ନ ସୃଷ୍ଟି ହୁଏ । ସେହି ଅନାବିଳତାରୁ ସୃଷ୍ଟି ମୋହକୁ ପରିତ୍ୟାଗ କରି ନିଷ୍ଠୁର ଭାବ ପ୍ରଦର୍ଶନ କରିବା କୌଣସି ମା\’ ପ୍ରତି ଏକ ମୃତ୍ୟୁ ସମାନ ହୋଇପଡେ । ଏହା ଏକ ପ୍ରାକୃତିକ ଭାବାବେଗ ଜନିତ ମୋହ । ଏବଂ ସେହି ମୋହରୁ ଜାଗ୍ରତ ତାର ମନରେ ଆକୃଷ୍ଠ ଭାବ ମଧ୍ୟ ସେହି ନବଜାତ ଶିଶୁର ମନ ମାନସରେ ପ୍ରତିଫଳିତ ହୋଇ ପରବର୍ତୀ ସମୟରେ ତାହାର ପ୍ରକୋପ ସାବ୍ୟସ୍ତ କରି ମଣିଷକୁ ଏକ ମୋହରେ ବାନ୍ଧି ରଖିବାରେ ସହାୟକ ହୋଇଥାଏ । କାଳକ୍ରମେ ସେହି ମୋହ ବିଭିନ୍ନ ବସ୍ତୁ, ପଦାର୍ଥ ସହିତ ନିଜସ୍ୱ ପରିବାର ପ୍ରତି ଏତେ ପ୍ରଗାଢୋକ୍ତି ପ୍ରକାଶ କରିଥାଏ ଯେ ମଣିଷ ଏକ ରକମ ଜଡ଼ ପଦାର୍ଥ ଭଳି ମୋହିତ ହୋଇ ରହିଥାଏ । ତେଣୁ ସଂସାରର ସବୁ ମଣିଷ ମୋହରୁ ବାଦ ପଡିବାରେ ଅସମର୍ଥ ହୋଇଥା’ନ୍ତି । ଏବଂ ସମୟକ୍ରମେ ସେହି ମୋହ ମଣିଷକୁ ଏକ ଅତୁଟ ବନ୍ଧନରେ ବାନ୍ଧି ରଖିଥାଏ ଯାହା ତାକୁ ମାନବିକତା ଶୂନ୍ୟ କରି ସମୟ ଚକ୍ରରେ ଭିନ୍ନ ଦିଗରେ ପରିଚାଳିତ କରିଥାଏ ଯାହା ସେ ନିଜେହିଁ ବୁଝି ପରେ ନାହିଁ । ତେଣୁ ସଂସାର ଏକ ବନ୍ଧନରେ ବାନ୍ଧି ହୋଇ ଚାଲିଛି ଯାହା ମଣିଷକୁ ବାସ୍ତବ ଜ୍ଞାନ ପ୍ରଦାନ କରିବାରେ ଅସମର୍ଥ ହୋଇଥାଏ । କି’ନ୍ତୁ ମୋହରେ ବନ୍ଧିତ ମଣିଷର ଯାହା ସବୁ ଅନ୍ତର୍ଭାବ ସୃଷ୍ଟି ହୋଇଥାଏ ବାସ୍ତବିକ ସେସବୁ ପ୍ରାକୃତିକ ନୁହେଁ । ମୋହରୁ ଦୁରେଇ ସଂସାରକୁ ଭିନ୍ନ ଦୃଷ୍ଟିରେ ଦେଖିଲେ ଜାଣିହେବ, ପ୍ରକୃତ ମଣିଷ ଜୀବନର ବାସ୍ତବତା କ’ଣ । କିନ୍ତୁ ସାଧାରଣ ମଣିଷଙ୍କ ତାହା ପ୍ରତି କୌଣସି ଆଗ୍ରହ ସୃଷ୍ଟି ହେଉନଥିବା ହେତୁ ପୋକ ମାଛି ପରି କୋଟି କୋଟି ମଣିଷ ଜନ୍ମ ହେଉଛନ୍ତି, କି’ନ୍ତୁ ନିଜ ଜୀବନ ସମ୍ପର୍କରେ କୌଣସି ଜ୍ଞାନ ପାଇବାରେ ସମର୍ଥ ହୋଇନଥା’ନ୍ତି । ମଣିଷ ଜୀବନର ବାସ୍ତବ ଜ୍ଞାନ ପାଇବା ପରେ ମଣିଷର ମୋହ କ୍ଷୁର୍ଣ୍ଣ ହୋଇ ନିଜର ପରିଚୟ ପାଇବାରେ ସହାୟକ ହୋଇ ପାରିବ ଯାହା ପ୍ରତି କାହାର ନିଘା ନାହିଁ କିମ୍ବା କୌଣସି ଆଗ୍ରହ ନାହିଁ । କିନ୍ତୁ ମଣିଷ ନିଜର ପ୍ରାକୃତିକ ପରିଚୟ ପାଇବା ନିଶ୍ଚିତ ସମ୍ଭବ ଯାହା କେହି ଜାଣନ୍ତି ନାହିଁ । ମୋହ ଏକ ଅସାଧାରଣ ମାନସିକ ତତ୍ୱ ଯାହା ଏତେ କ୍ଷୀଣ ଆଲୋଚନା, ଲେଖା ମାଧ୍ୟମରେ ବିଶ୍ଳେଷଣ କରି ବୁଝାଇ ହେବ ନାହିଁ । ମୋହକୁ ସମ୍ପୂର୍ଣ୍ଣ ବିଶ୍ଲେଷଣ, ବ୍ୟାଖ୍ୟା କରିବା ଏକ ବ୍ୟାପକ ବିଷୟ ଯାହା ଏତେ ସାଧାରଣରେ ହେବା ସମ୍ଭବ ନୁହେଁ । କେବଳ କିଂଚିତ ଜ୍ଞାନ ସ୍ୱରୂପ ସମ୍ପୃକ୍ତ ବିଶ୍ଳେଷଣଟି ସାଧାରଣ ମଣିଷଙ୍କ ଭାବାବେଗକୁ ପ୍ରଭାବିତ କରି ଆଗକୁ ପ୍ରେରଣା ଯୋଗାଇବ ବୋଲି ଆଶା କରି ଉପସ୍ଥିତ ଆଲେଖ୍ୟଟିରେ ମୋହରୁ ନିଜକୁ ଦୁରେଇ ରଖି ପ୍ରାକୃତିକ ଉପାୟରେ ନିଜର ଜୀବନ ଶୈଳୀକୁ ସଞ୍ଚଳିତ କଲେ ହୁଏତ ପ୍ରକୃତ ଜ୍ଞାନ ପାଇପାରିଥା’ନ୍ତା ମଣିଷ ଯାହା ଦ୍ୱାରା ଏକ ପ୍ରେମମୟ ମଣିଷ ସମାଜ ଗଠନ ହୋଇ ପାରିଥା’ନ୍ତା ବୋଲି ଆମ ଅନୁମାନରେ ଆପଣଙ୍କ ଅନୁଭୂତି କ’ଣ …..??!!

ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ),
ଛତ୍ରପୁର, ଗଞ୍ଜାମ.