ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସେ ଝିଅ ହେଉ ଅବା ପୁଅ ବର୍ତ୍ତମାନ ସମସ୍ତେ ସମାନ । ଆଇନ ଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଏବେ ଝିଅଙ୍କୁ ମଧ୍ୟ ସମସ୍ତ ପ୍ରକାରର ସୁଯୋଗ ପ୍ରଦାନ କରାଯାଉଛି । ଝିଅମାନଙ୍କର ସଂଖ୍ୟାକୁ ଆହୁରୀ ବୃଦ୍ଧି କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି “ମୋ ଗେହ୍ଳା ଝିଅ” ଅଭିଯାନ । ଏହି ଅଭିଯାନକୁ ଆନୁଷ୍ଠାନିକ ଭାବେ ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଶୁଭାରମ୍ଭ କରିଛନ୍ତି ବ୍ରହ୍ମପୁର ବିଧାୟକ ଡ଼.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ଏହାଛଡ଼ା ଏହି ଅଭିଯାନ ଜରିଆରେ ନୂତନ ଭାବେ ଜନ୍ମ ଲାଭ କରିଥିବା ଝିଅ ମାନଙ୍କ ନାମରେ ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲାଯିବ । ସହର ସମେତ ଗ୍ରାମାଞ୍ଚଳରେ ପ୍ରତ୍ୟେକ ଝିଅର ଜନ୍ମ ଦିବସ ପାଳନ କରାଯିବ । ସେପଟେ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଛନ୍ତି । କନ୍ୟାଭୃଣ ହତ୍ୟାକୁ ରୋକିବା ନିମନ୍ତେ ରାଜ୍ୟ ସରକାର କରୁଛନ୍ତି ଅନେକ ଯୋଜନା । ନିକଟରେ ବିଜୁ କନ୍ୟା ରତ୍ନ ଯୋଜନାକୁ ମଧ୍ୟ କାର୍ୟ୍ୟକାରୀ କରାଯାଇଛି । ଏହି ଯୋଜନାର କାର୍ୟ୍ୟକାରିତା ପରେ ପୁଅ ଅପେକ୍ଷା ଝିଅ ମାନଙ୍କର ହାର କିଛି ପରିମାଣରେ ବୃଦ୍ଧି ହୋଇପାରିଛି । ତେଣୁ ଝିଅ ମାନଙ୍କର ହାରକୁ ଆହୁରୀ ଅଧିକା ବୃଦ୍ଧି କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି “ମୋ ଗେହ୍ଳା ଝିଅ” ଅଭିଯାନ । ଏହି ଅଭିଯାନକୁ ଆଜି ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ବିଧାୟକ ଡ଼.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ହେଉଛି ବିଜୁ କନ୍ୟା ରତ୍ନ ଯୋଜନାର ଅଂଶବିଶେଷ । ଏହି ଯୋଜନା ମାଧ୍ୟମରେ ଚଳିତ ମାସରେ ଜନ୍ମ ଲାଭ କରିଥିବା ସମସ୍ତ ଝିଅମାନଙ୍କୁ ସେମାନଙ୍କର ମାଁ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂସା ପତ୍ର ପ୍ରଦାନ କରାଯିବା ସହିତ ନୂତନ ବସ୍ତ୍ର ସହ ମିଠା ପ୍ରଦାନ କରାଯାଇଛି । ଏହାଛଡ଼ା ଏହି ଯୋଜନା ମାଧ୍ୟମରେ ନୂତନ ଭାବେ ଜନ୍ମ ଲାଭ କରିଥିବା ଝିଅ ମାନଙ୍କ ନାମରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯିବ । ଏହି ଆକାଉଣ୍ଟରେ ଜନ ପ୍ରତିନିଧି ମାନଙ୍କ ଦ୍ୱାରା ଟଙ୍କା ଜମା କରାଯିବା ନେଇ ସଚେତନତା କରାଯିବ । ଯାହାଫଳରେ ଏହି ଟଙ୍କା ଭବିଷ୍ୟତରେ ସେହି ଝିଅମାନଙ୍କର ଶିକ୍ଷା ଏବଂ ଅନ୍ୟାନ୍ୟ କାର୍ୟ୍ୟରେ ବ୍ୟବହାର ହୋଇପାରିବ ବୋଲି ପ୍ରକାଶ କରିଛନ୍ତି ବ୍ରହ୍ମପୁର ମହାନଗ ନିଗମର କମିନଶନର ଚକ୍ରବର୍ତ୍ତୀ ସିଂ ରାଥୋଡ । ସେପଟେ ଝିଅ ହାରକୁ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଥିବା କହିଛନ୍ତି ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଝିଅ ମାନଙ୍କ ଜନ୍ମ ଦିବସ ପ୍ରତି ମାସରେ ପାଳନ କରାଯିବ । ଏହା ସହ ଏଭଳି ଯୋଜନାକୁ ସ୍ୱାଗତ କରିବା ସହ ଏହା ସଫଳ ହେବ ବୋଲି ମତ ଦେଇଛନ୍ତି । ସେପଟେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ସହରବାସୀ । ତେବେ ଝିଅ ମାନଙ୍କୁ ସମସ୍ତ କ୍ଷେତ୍ରରେ ଅଗ୍ରାଧିକାର ପୂର୍ବରୁ ଦିଆଯାଉଥିବା ବେଳେ ଆଜିର ଏହି ମୋ ଗେହ୍ଳା ଝିଅ କାର୍ୟ୍ୟକ୍ରମ ବେଶ୍ ପ୍ରଶଂସନୀୟ ବୋଲି କହିଛନ୍ତି ଅଭିଯାନରେ ଅଂଶଗ୍ରହଣ କରିଥିବା ମା ମାନେ । ଏଭଳି ସଚେତନତା କାର୍ଯ୍ୟକ୍ରମ କରାଯିବା ଦ୍ୱାରା ନିଶ୍ଚିତ ଭାବେ ସମାଜରେ କନ୍ୟାଭୃଣ ହତ୍ୟା କମିବା ସହିତ କନ୍ୟା ପ୍ରତି ହେଉଥିବା ଅତ୍ୟାଚାର ମଧ୍ୟ କମିବ ବୋଲି ସେମାନେ ପ୍ରକାଶ କରିଛନ୍ତି । ଏହାଛଡ଼ା ଏହି ଅଭିଯାନ କିଭଳି ଭାବେ ସଫଳତା ହାସଲ ସେ ନେଇ ପ୍ରଶାସନ ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି । ପୂର୍ବରୁ ରାଜ୍ୟ ସରକାର କନ୍ୟାଭୃଣ ହତ୍ୟାକୁ ରୋକିବା ନିମନ୍ତେ ବିଜୁ କନ୍ୟା ରତ୍ନ ଯୋଜନା ବେଶ୍ ମାତ୍ରାରେ ସଫଳତା ହାସଲ ପାଇବା ପରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ସେପଟେ ଏହି କାର୍ୟ୍ୟକ୍ରମକୁ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଜିଲ୍ଲା ସ୍ତରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା