



ରାଉରକେଲା:(ସମୃଦ୍ଧଓଡିଶା)ରାଉରକେଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ମ୍ୟୁଜିକ୍ ସର୍କଲ’ ଆନୁକୂଲ୍ୟରେ ବିଜୟା ଉତ୍ସବ ୨୦୨୪ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବକୁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ମ୍ୟୁଜିକ୍ ସର୍କଲ ପରିଚାଳିତ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଗୁରୁ ବାବାଜୀ ଚରଣ ବିଶ୍ଵାଳଙ୍କ ପରିଚାଳନାରେ ଅଳକା ଚାନ୍ଦଙ୍କ ରଚିତ “ଯାଗୋ ମା’ ଜନନୀ ଯାଗୋ” ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ଡଃ କିଶୋରୀ ଦାଶ ବିଜୟା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ ବୁଦ୍ଧ ପ୍ରସାଦ ରାଓଙ୍କ ଛୋଟା ଖୟାଲ ଓ ଆଧୂନିକ ସଂଗୀତ, ଗୁରୁ ସଙ୍ଗୀତା ଜେନାଙ୍କ ଆଧୂନିକ ସଂଗୀତ ଏବଂ ରାଜଲକ୍ଷ୍ମୀ କବି ଓ କୁମାରୀ ତନୁଶ୍ରୀଙ୍କ କଣ୍ଠରୁ ହିନ୍ଦୀ ଗଜଲ୍ ପରିବେଷଣ ଶ୍ରୋତା ମାନଙ୍କୁ ବିମୁଗ୍ଧ କରିଥିଲା। ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ଗୁରୁ ବିଭୂତି ପତି, ଗୁରୁ ନରେନ୍ଦ୍ର ନାୟକ, ମନୋଜ ନାୟକ, ଅମିତ ରଣା, ଉମେଶ ଏବଂ ବି.ଚନ୍ଦ୍ରଶେଖର ରାଓ । ପରିଶେଷରେ ଗୁରୁ ସୁଦେଷ୍ଣା ରାଉତଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର କଳାକାର ମାନଙ୍କ ନୃତ୍ୟ ପରିବେଷଣ ଦର୍ଶକ ମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ଅନୁଷ୍ଠାନର ସହସାଧାରଣ ସମ୍ପାଦକ ବିବେକାନନ୍ଦ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସଙ୍ଗଠନ ସମ୍ପାଦକ ସନ୍ତୋଷ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସଦସ୍ୟ, ସଦସ୍ୟା ଏବଂ ଶିକ୍ଷକ – ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମରେ ସହାୟତା କରିଥିବାବେଳେ ଏହି ଉତ୍ସବରେ ସହରର ବହୁ ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
ରିପୋର୍ଟ : ସସ୍ମିତା ପ୍ରଧାନ