ଛତ୍ରପୁର (ସମୃଦ୍ଧ ଓଡିଶା) ଯୁକ୍ତ ଦୁଇ ପରୀକ୍ଷା ଶ୍ରେଣୀଗୃହକୁ ହାତଘଣ୍ଟା ନିଷେଧ କରାଯାଇଥିବା ବେଳେ ପରୀକ୍ଷା କେନ୍ଦ୍ରରେ କାନ୍ଥ ଘଣ୍ଟା ଲଗାଇବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ପରୀକ୍ଷାର୍ଥୀଙ୍କ ଅଭିଭାବକମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦଙ୍କ ନିର୍ଦ୍ଦେଶ ଅନୁଯାୟୀ ଚିନ୍ତା ପ୍ରକଟ କରି ପରୀକ୍ଷା କେନ୍ଦ୍ରରେ କାନ୍ଥଘଣ୍ଟା ଟାଙ୍ଗିବା ପାଇଁ ନିବେଦନ କରିଛନ୍ତି । ବହୁ ଅଭିଭାବକ ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ତୃପକ୍ଷଙ୍କୁ ଅନୁରୋଧ କରିବା ସତ୍ୱେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି । ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ସୌଭାଗ୍ୟ କୁମାର ସାହୁ ଏହାକୁ ଅଗ୍ରାହ୍ୟ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକୁ ଗ୍ରହଣ କରି ପରୀକ୍ଷା କେନ୍ଦ୍ରରେ କାନ୍ଥ ଘଣ୍ଟା ଲଗାଇବା ପାଇଁ ଅନୁରୋଧ କରାଯାଇଛି । ପ୍ରକାଶଥାଉକି ପରୀକ୍ଷା କେନ୍ଦ୍ରରେ ବାଜୁଥିବା ବେଲ୍ ସମସ୍ତ ଶ୍ରେଣୀ କକ୍ଷର ଛାତ୍ରଛାତ୍ରୀମାନଙ୍କୁ ଠିକ ଭାବେ ଶୁଣାଯାଉନଥିବା ପରୀକ୍ଷାର୍ଥୀମାନେ ଅଭିଭାବକଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି । ତେଣୁ ପରୀକ୍ଷାର୍ଥୀଙ୍କ ହିତ ଉଦ୍ଦେଶ୍ୟରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଭିଭାବକମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସହକାରୀ ଜିଲ୍ଲାପାଳ ସଚିଦାନନ୍ଦ ନାୟକଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ବହୁ ଅଭିଭାବକ ଏବଂ ପୂର୍ବତନ ଛାତ୍ରମାନେ ଅଂଶ ଗ୍ରହଣ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା