ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଗକୁ ସାଧାରଣ ନିର୍ଵାଚନ ଥିବାବେଳେ ପ୍ରତ୍ୟେକ ଦଳ ନିଜ ନିଜର ନେତା ଏବଂ କର୍ମୀଙ୍କୁ ବିଭିନ୍ନ ଦାୟିତ୍ୱ ଦେଉଛନ୍ତି । ସେହିଭଳି ଯୁବ ଆଇନଜୀବୀ ତଥା ପୂର୍ବତନ ଛାତ୍ର କଂଗ୍ରେସ ଏବଂ ଯୁବ କଂଗ୍ରେସ ସଭାପତି ଶିବରାମ ପାତ୍ରଙ୍କୁ ଗଞ୍ଜାମଜିଲ୍ଲା କଂଗ୍ରେସ ଲିଗାଲ ସେଲର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଦଳୀୟ ନେତାଙ୍କୁ ରାଜ୍ୟ କର୍ମକର୍ତ୍ତା ଭାବେ ନିଯୁକ୍ତି ଦିଆଯାଇଥିବାବେଳ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ଅନୁମୋଦନ ଦେଇଛନ୍ତି । ଏହି ଦାୟିତ୍ୱକୁ ଶିବରାମ ସୁଚାରୁ ରୂପେ ତୁଲାଇବେ ବୋଲି କହିବା ସହ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ରାଜ୍ୟ ସଭା ସାଂସଦ ତଥା ମାନବାଧିକାରୀ ଓ ସୂଚନା ଅଧିକାର ବିଭାଗର ଅଧ୍ୟକ୍ଷ ବିବେକ ଥାଙ୍କା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଗଞ୍ଜାମଜିଲ୍ଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା ଏବଂ ଏଆଇସିସି ଆଇନ ସେଲ ଓଡିଶା ସଂଯୋଜକ ଜିତେନ୍ଦ୍ର ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଶିବରାମ ପାତ୍ର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁରରେ ପୂର୍ବରୁ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୪ରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ି ବେଶ ଚର୍ଚ୍ଚାରେ ରହିଥିଲେ । ବର୍ତ୍ତମାନ ସେ ପୁଣି ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପକ୍ଷରୁ ସାଂସଦ ପ୍ରାର୍ଥୀ ପାଇଁ ଆଶାୟୀ ଅଟନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା