ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ଆଉ ଅଳ୍ପ କେତେ ଦିନ ବାକି ରହିଛି । ତେବେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳଗୁଡିକ ଭୋଟ ହାତେଇବାକୁ ବିଭିନ୍ନ ଦଳୀୟ ପ୍ରତିଶ୍ରୁତି ଫିଙ୍ଗୁଥିବା ବେଳେ ରାଜ୍ୟରେ ନୂଆ କରି ଏକ ଅଣରାଜନୈତିକ ଯୁବ ସଂଗଠନ “ଯୁବ ବିକାଶ ମଞ୍ଚ” ପ୍ରତିଷ୍ଠା ହୋଇଛି । କୌଣସି ରାଜନୈତିକ ଅଭିସନ୍ଧି ନ ରଖି ଏହି ଯୁବ ସଂଗଠନ ଆଗାମୀ ଦିନରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜରେ ବିଭିନ୍ନ ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ସଂକଳ୍ପ ନେଇଛି । ଯୁବକମାନଙ୍କୁ ନେଇ ଗଢି ଉଠିଥିବା ଏହି ନୂଆ ସଂଗଠନର ପ୍ରଥମ ଅଧିବେଶନ ସ୍ଥାନୀୟ ସୌଭାଗ୍ୟ ନଗର ସ୍ଥିତ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା । ବରିଷ୍ଠ ଆଇନଜୀବୀ ସୀତାଂଶୁ ମୋହନ ଦ୍ବିବେଦୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଯୁବ ବିକାଶ ମଞ୍ଚର ଏହି ପ୍ରଥମ ଅଧିବେଶନରେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅରୁପ ପଟ୍ଟନାୟକ ଯୋଗଦେଇ ଯୁବଗୋଷ୍ଟୀଙ୍କୁ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ତାଙ୍କୁ ଯୁବ ବିକାଶ ମଞ୍ଚର ମୁଖ୍ୟ ଉପଦେଷ୍ଟା ଦାୟିତ୍ୱ ଦିଆଯାଇଥିଲା । ଶ୍ରୀ ପଟ୍ଟନାୟକ ବମ୍ବେ ପୋଲିସ କମିଶନର ଥିବାବେଳେ ସେଠାରେ ଅନେକ ଜନହିତକର କାର୍ଯ୍ୟ କରିଥିବା ବେଳେ ବମ୍ବେରେ ଥାଇ ମଧ୍ୟ ଓଡିଆ ଓ ଓଡିଶାର ଜନ ସାଧାରଣମାନଙ୍କୁ ଅନେକ ସହାୟତା କରିଥିବାରୁ ଉପସ୍ଥିତ ଅତିଥିମାନେ ତାଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । ଚାକିରୀକାଳ ମଧ୍ୟରେ ଅଙ୍ଗେ ଲିଭାଇଥିବା ଅନେକ ଅନୁଭୂତି ଶ୍ରୀ ପଟ୍ଟନାୟକ ଉପସ୍ଥିତ ଯୁବଗୋଷ୍ଠୀଙ୍କ ସହ ବାଣ୍ଟି ଥିବାବେଳେ ରାଜ୍ୟ ସରକାର ବିଜୁ ଯୁବବାହିନୀ ଅର୍ଥାତ ୩ ଲକ୍ଷ ଯୁବକଙ୍କ ଦାୟିତ୍ୱ ଦେଇଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାବେଶରେ ରାଜଧାନୀର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨ ହଜାର ଯୁବକ ଯୁବତୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଦୀପକ କୁମାର ସାହୁ, ବିଶ୍ୱଜିତ ଖଟୁଆ, ନୀଳକଣ୍ଠ ପ୍ରଧାନ, ସୁଜିତ କୁମାର ସ୍ୱାଇଁ, ବିରଜା ପ୍ରସାଦ ସାମନ୍ତରାୟ, କୌସ୍ତୁଭ ଦାସ, ବ୍ରଜ ଦାସ, କୁନା ପାଇକରାୟ, ନିର୍ମଳ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ ଓ ସତ୍ୟ ପ୍ରଧାନ ଅଂଶ ଗ୍ରହଣ କରିଥିଲେ ।