ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କଲା ସମାଜବାଦୀ ପାର୍ଟି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଜାତୟ ଅଧ୍ୟକ୍ଷ ଶ୍ରୀ ଅଖିଲେଶ ଯାଦବଙ୍କୁ ତାଙ୍କର ଆହ୍ଲାବାଦ ଯିବା ରାସ୍ତାରେ ଉତର ପ୍ରଦେଶ ପୋଲିସ୍ ଗତ ୧୨ ତାରିଖ ଦିନ ଲକ୍ଷ୍ନୌର ଚୌଧୁରୀ ଚରଣସିଂହ ଆନ୍ତର୍ଜାତିକ ବିମାନବନ୍ଦରରେ ଦୀର୍ଘ ସମୟ ଧରି ଅଟକ ରଖି ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନଛାଡିବା ଏବଂ ଏହାର ପ୍ରତିବାଦ କରି ସାଂସଦ ଧର୍ମେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଧାରଣାରତ ଛାତ୍ର ଓ ଯୁବକମାନଙ୍କ ଉପରେ ପୋଲିସର ରକ୍ତାକ୍ତ ଲାଠିମାଡକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗତକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଡ଼ିଶା ଗସ୍ତର ପ୍ରତିବାଦ କରି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ପାର୍ଟିର ରାଜ୍ୟ କମିଟି ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଶତାଧିକ ସମାଜବାଦୀ ପାର୍ଟି କର୍ମୀ ପି.ଏମ୍.ଜି. ଛକଠାରେ ଯୋଗୀ ଆଦିତ୍ୟନାଥ ଫେରିଯାଅ, ଦଙ୍ଗାକାରୀ ଯୋଗୀ ହାଏ ହାଏ, ଅଖିଳେଶଙ୍କ ବେଆଇନ୍ ଅଟକ ଚଳିବ ନାହିଁ, ଯୋଗୀ ସରକାର ମୁର୍ଦ୍ଧାବାଦ ଆଦି ଧ୍ୱନୀ ଦେଇ ଏହାର ପ୍ରତିବାଦ କରିବା ସହିତ ଯୋଗୀ ଆଦିତ୍ୟନାଥଙ୍କର କୁଶପୁତ୍ତଳିକା ଦାହ କରିଥିଲେ । ପାର୍ଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ବେଆଇନ୍ ଅଟକ କେବଳ ଅଗଣତାନ୍ତ୍ରିକ ନୁହେଁ, ଛାତ୍ର ଓ ଯୁବ ସମାଜର ଆଇକନ୍ ସାଜିଥିବା ଅଖିଳେଶ ଯାଦବଙ୍କ କଣ୍ଠରୋଧ କରିବା ପାଇଁ ଉଦ୍ଧିଷ୍ଟ । ସପା ଓ ବସପା ର ଗଠବନ୍ଧନ ପରେ ବିଜେପିର ପତନ ନିଶ୍ଚିତ ଜାଣି ଯୋଗୀ ସରକାର ଅଖିଳେଶ ଯାଦବଙ୍କ ଜନପ୍ରିୟତାରେ ଭୟଭୀତ ହୋଇପଡ଼ିଛନ୍ତି । ତେଣୁ ତାଙ୍କୁ ଆହ୍ଲାବାଦ ଛାତ୍ରସଂସଦ କାର୍ଯ୍ୟକ୍ରମରେ ଯୋଗଦେବାକୁ ସୁଯୋଗ ନଦେବା ବିଜେପିର ଭୀରୁତା ଓ କାପୁରଷତାକୁ ପ୍ରମାଣିତ କରୁଛି । ବିଜେପି ନେତୃତ୍ୱାଧିନ ସରକାର ସମ୍ପୂର୍ଣ୍ଣ ଭାବରେ ଗଣତନ୍ତ୍ର ବିରୋଧି ଓ ସାମ୍ପ୍ରଦାୟିକତାବାଦରେ ବିଶ୍ୱାସ କରେ । ବିରୋଧିଦଳ ମାନଙ୍କର ଏକାଠି ହେବା ସେମାନଙ୍କ ପାଇଁ ଆଗାମୀ ଦିନରେ ପତନକୁ ସୁନିଶ୍ଚିତ କରିଥିଲାବେଳେ ଭୟଭୀତ ହୋଇ ସେମାନେ ବିଭିନ୍ନ ବିରୋଧିଦଳ ନେତାଙ୍କ ବିରୁଦ୍ଧରେ ସିବିଆଇ, ଇଡି ଓ ରାଜ୍ୟ ପୋଲିସକୁ ଲଗାଇ ଏଭଳି କଣ୍ଠରୋଧ କରିବାର ଉଦ୍ୟମ କରୁଛନ୍ତି । ଏହାକୁ ସମାଜବାଦୀ ପାର୍ଟି ନିନ୍ଦା କରିବା ସହିତ ଆଗାମୀ ଦିନରେ ଏହାର ଜୋରଦାର ବିରୋଧ କରାଯିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଦେଶର ଗଣତନ୍ତ୍ର ବଂଚାଇବା ପାଇଁ ଏବଂ ସମ୍ବିଧାନର ସୁରକ୍ଷା ପାଇଁ ଓ ସାମ୍ପ୍ରଦାୟିକ ସଦ୍ଭାବନା ବଜାୟ ରଖିବା ପାଇଁ ସମସ୍ତ ଗଣତନ୍ତ୍ରବାଦୀ ଧର୍ମନିରପେକ୍ଷ ରାଜନୈତିକ ଦଳ ଓ ଗଣ ସଂଗଠନଗୁଡ଼ିକ ଏକାଠି ହୋଇ ଆଗେଇ ଆସିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ନିବେଦନ କରାଯାଇଛି । ଏହି ପ୍ରତିବାଦରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଯୁବନେତା ଏନ୍. ସଂବିତ୍ ଦାସ, ପ୍ରଦୀପ ମିଶ୍ର, ନାରାୟଣ ଡାଳୁଆ, ବେଣୁଧର ଗହୀର, ଗଙ୍ଗାରାମ ବନ୍ଛୋର, ଚାଷୀ ନେତା ବିଜୟ ବେହେରା, ମାନସ ମହାନ୍ତି, ଶରତ ଚନ୍ଦ୍ର ବେହେରା, ଦୀପଦାସ ଯାଦବ, ଛାତ୍ରନେତା ରାଜ୍ୟପ୍ରିୟ ଦାସ ଓ ପାର୍ଟିର କୋଷାଧ୍ୟକ୍ଷ ସଂଜୟ ନାୟକ ଏବଂ କଟକ ମହାନଗରର ପାର୍ଟିର ନେତା ଦିପ୍ତୀ ପଣ୍ଡା ପ୍ରମୁଖ ନେତୃତ୍ୱ ନେଇଥିଲେ ।

ରିପୋର୍ଟ : ଆକାଶ ମିଶ୍ର