ଯୌନ ଉତ୍ପୀଡ଼ନ ଅଭିଯୋଗ ସଂକ୍ରାନ୍ତରେ ଚୁପ ରହିଲେ କେନ୍ଦ୍ରମନ୍ତ୍ରୀ ଏମ୍‌ ଜେ ଅକ୍‌ବର୍‌ : ମନ୍ତ୍ରୀପଦରୁ ଇସ୍ତଫା ଦେବେ ?

ନୂଆଦିଲ୍ଲୀ: ଗତ ଅଳ୍ପ କିଛି ଦିନ ହେବ କେତେକ ସାମ୍ବାଦିକା ମହିଳା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବାରୁ ତାଙ୍କର ଇସ୍ତଫା ଦାବି କରାଯାଉଥିବା ବେଳେ ଗତ କାଲି  ସକାଳେ କେନ୍ଦ୍ର ମନ୍ତ୍ରୀ ଏମ୍‌ଜେ ଅକ୍‌ବର୍‌ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କିନ୍ତୁ, ଅଭିଯୋଗ ସମ୍ବନ୍ଧରେ କିଛି କହିବାରୁ ସେ ବିରତ ରହିଛନ୍ତି।ଦିଲ୍ଲୀ ବିମାନ ବନ୍ଦରରୁ ବାହାରି ସେ ଗଣମାଧ୍ୟମକୁ କହିଛନ୍ତି: ପରେ ବିବୃତି ଦିଆଯିବ।ସେ ସମ୍ପାଦକ ଥିବା ସମୟରେ ତାଙ୍କ ସହ କାର୍ଯ୍ୟ କରିଥିବା କେତେକ ସାମ୍ବାଦିକା ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ବିରୋଧୀ କଂଗ୍ରେସ ଦଳ ତାଙ୍କର ଇସ୍ତଫା ଦାବି କରିଛି।ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଯେ ଅକ୍‌ବର୍‌ଙ୍କ ଉପରେ ମନ୍ତବ୍ୟ ଦେବା ଅବସ୍ଥାରେ ସେ ନାହାନ୍ତି। ତାଙ୍କ କଥା ଯାଞ୍ଚ କରାଯିବ।ଏ ସପ୍ତାହ ପ୍ରାରମ୍ଭରେ ତାଙ୍କ ନାଁ ସାମାଜିକ ଗଣମାଧ୍ୟମ ‘ମିଇଁ ଠୁ’ରେ ଉଠିବା ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏମ୍‌ଜେ ଅକ୍‌ବର୍‌ ନାଇଜେରିଆ ଗସ୍ତରେ ଥିଲେ।ତାଙ୍କୁ ମନ୍ତ୍ରୀ ଭାବେ ରଖାଯିବ କି, ବାହାର କରାଯିବ ତାହାର ଚୂଡ଼ାନ୍ତ ନିଷ୍ପତ୍ତି ନରେନ୍ଦ୍ର ମୋଦି ସରକାର ଗ୍ରହଣ କରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।