
ଭୁବନେଶ୍ବର(ସମୃଦ୍ଧ ଓଡିଶା )ଉତ୍ତରପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍ରେ ଓଡ଼ିଶା ୧୦ ୱିକେଟ୍ରେ ଶୋଚନୀୟ ଭାବେ ପରାଜୟ ବରଣ କରିଛି। ଫଳରେ ଘରୋଇ ପରିବେଶରେ ନିଜର ପ୍ରଥମ ଦୁଇ ମ୍ୟାଚ୍ ଖେଳି ମାତ୍ର ୧ ପଏଣ୍ଟ ସହ ରାଜ୍ୟ ବାହାରକୁ ଯିବାକୁ ପ୍ରସ୍ତୁତ ହୋଇଛି। ଓଡ଼ିଶା ପରବର୍ତୀ ମ୍ୟାଚ୍ ନଭେମ୍ବର ୨୦ ତାରିଖରୁ ଆସାମ ସହିତ ଗୌହାଟୀରେ ଖେଳିବ। ଦୟନୀୟ ବ୍ୟାଟିଂ କରି ୧୮୦/୭ରେ ଥିବା ଓଡ଼ିଶା ଗୁରୁବାର ସକାଳେ ମ୍ୟାଚ୍ ବଞ୍ଚାଇବା ସ୍ଥିତିରେ ନଥିଲା। ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟସମ୍ୟାନ୍ ଶାନ୍ତନୁ ମିଶ୍ର (୩୭, ୯୯ ବଲ୍) ଏବଂ ରାଜେଶ ମହାନ୍ତି (୧୦, ୧୨ ବଲ୍)ଙ୍କୁ ଶିଭମ ମାଭି ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ଏଥି ସହିତ ଗତ କନିଷ୍ଠ ବିଶ୍ବକପ୍ ବିଜେତା ଦଳର ସଦସ୍ୟ ଦ୍ରୁତ ବୋଲର ଶିଭମ ମାଭି ନିଜର ଦ୍ବିତୀୟ ରଣଜୀ ମ୍ୟାଚ୍ରେ ପ୍ରଥମ ଥର ୫ ୱିକେଟ୍ ସଫଳତା ପାଇଥିଲେ। ଶେଷକୁ ବସନ୍ତ ମହାନ୍ତି (୧୨, ୧୧ ବଲ୍)ଙ୍କୁ ଅଙ୍କିତ ରାଜପୁତ ଆଉଟ୍ କରିଦେଇଥିଲେ। ସକାଳର ୧୦ ଓଭର ଭିତରେ ଓଡ଼ିଶା ୪୧ ରନ୍ ଯୋଡ଼ି ଶେଷ ୩ ୱିକେଟ୍ ହରାଇଥିଲା। ଏଥି ସହିତ ଉତ୍ତରପ୍ରଦେଶ ସମ୍ମୁଖରେ ୪୧ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପ୍ରାରମ୍ଭିକ ଯୋଡ଼ି ମାଧବ କୌଶିକ (୨୨*, ୪୪ ବଲ୍) ଏବଂ ମହମ୍ମଦ ସୈଫ (୧୬*, ୩୩ ବଲ୍) ବିନା କ୍ଷତିରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲେ। ଳଢ଼ୁଆ ଶତକ (୧୫୯) ଏବଂ ବୋଲିଂ ସଫଳତା (୧୦-୩-୧୬-୨) ସହିତ ଉତ୍ତରପ୍ରଦେଶ ଅଧିନାୟକ ଅକ୍ଷଦୀପ ନାଥ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୨୫୬ (ଶୁଭ୍ରାଂଶୁ ସେନାପତି-୮୭, ସୁଜିତ ଲେଙ୍କା-୪୬, ଅଙ୍କିତ ରାଜପୁତ-୩/୬୧, ୟାଶ ଦୟାଲ-୩/୬୨, ଅକ୍ଷଦୀପ ନାଥ-୨/୧୬, ସୌରଭ କୁମାର-୨/୫୮)। ଉତ୍ତରପ୍ରଦେଶ ପ୍ରଥମ ପାଳି: ୪୩୭ (ଅକ୍ଷଦୀପ ନାଥ-୧୫୯, ରିଙ୍କୁ ସିଂହ-୭୨, ପ୍ରିୟମ ଗର୍ଗ-୫୯, ବସନ୍ତ ମହାନ୍ତି-୬/୬୨, ରାଜେଶ ମହାନ୍ତି-୨/୬୯)। ଓଡ଼ିଶା ଦ୍ବିତୀୟ ପାଳି: ୨୨୧ (ସନ୍ଦୀପ ପଟ୍ଟନାୟକ-୪୬, ଶୁଭ୍ରାଂଶୁ ସେନାପତି-୪୨, ଶାନ୍ତନୁ ମିଶ୍ର-୩୭, ଶିଭମ ମାଭି-୫/୬୮, ଅଙ୍କିତ ରାଜପୁତ-୪/୬୪)। ଉତ୍ତରପ୍ରଦେଶ ଦ୍ବିତୀୟ ପାଳି: ୧୨.୫ ଓଭରରେ ୪୪/୦ .