ରପ୍ତାନୀ ଓ ଇ-କମର୍ସ ସମ୍ପର୍କିତ କର୍ମଶାଳା : ମହୁଲ ଫୁଲ, କୋଳଥ ଡାଲି, ଶାଳ ମଞ୍ଜି ଆଦିର ସମ୍ଭାବ୍ୟ ପ୍ରକ୍ରିୟାକରଣ ଉପରେ ସ୍ୱତନ୍ତ୍ର ଆଲୋଚନା

ଭୁବନେଶ୍ୱର(ସମୃଦ୍ଧଓଡିଶା) ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓର୍‌ମାସ୍‌ (ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି) ଦ୍ୱାରା ଆୟୋଜିତ ଦୁଇଦିନିଆ ରପ୍ତାନୀ ଓ ଇ-କମର୍ସ କର୍ମଶାଳା ଏବଂ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ସମାପନ ହୋଇଛି । ସ୍ଥାନୀୟ କୃଷି ଭବନ ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓର୍‌ମାସ୍‌ ଦ୍ୱାରା ଚାରିଗୋଟି ବୁଝାମଣା ପତ୍ର ସ୍ୱାକ୍ଷର ହେବା ସହ ରାଜ୍ୟର ଗ୍ରମଞ୍ଚଳର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକର ଗୁଣବତ୍ତା, ପ୍ୟାକେଜିଂ, ବ୍ରାଣ୍ଡିଂ ସହ ରପ୍ତାନୀ ଏବଂ ଅନ୍‌-ଲାଇନ ମାର୍କେଟିଂ ଉପରେ କର୍ମଶାଳାରେ ସବିଶେଷ ଆଲୋଚନା ହୋଇଛି । ଓର୍‌ମାସ୍‌ ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ଦେଶର ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥା ଯଥା- ନାବାର୍ଡ, ଓ.ଏନ.ଡି.ସି, ଜେମ୍‌, ସ୍ପାଇସେସ୍‌ ବୋର୍ଡ, ଆପେଡ଼ା, ଇ.ପି.ସି.ଏଚ୍‌ ଏବଂ ଏଚ.ଏଚ.ଇ.ଡବ୍ଲୁ.ଏର ବିଶେଷଜ୍ଞ, ବରିଷ୍ଠ ଅଧିକାରୀ, ପ୍ରତିନିଧି ଏବଂ ରିସୋର୍ସ ପର୍ସନମାନେ ଯୋଗଦେଇ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲ । କାର୍ଯ୍ୟକ୍ରମରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ, ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ କମ୍ପାନିର ସଦସ୍ୟ, ବୋର୍ଡ ଅଫ୍‌ ଡାଇରେକଫର୍ସ, କର୍ମକର୍ତ୍ତା, ଓର୍‌ମାସ୍‌ର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବିଜନେସ ମ୍ୟାନେଜର ପ୍ରମୁଖ ଯୋଗଦେଇଥିଲେ । ଦୁଇଦିନ ବ୍ୟାପୀ ହୋଇଥିବା ଏହି କର୍ମଶାଳାରେ ବିଶେଷଜ୍ଞମାନେ ଗ୍ରାମାଞ୍ଚଳରେ ଉତ୍ପାଦକ ଗୋଷ୍ଠୀମାନେ ପ୍ରକ୍ରିୟାକରଣ ଦ୍ୱାରା ପ୍ରସ୍ତୁତ କରୁଥିବା ଉତ୍ପାଦଗୁଡିକ ଯେପରି ବିଶ୍ୱବଜାରରେ ପହଞ୍ଚିପାରିବ ସେ ବିଷୟରେ ବିସ୍ତୃତ ତାଲିମ ଦେଇଥିଲେ । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଦିବସରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଯୋଗଦେଇ ମହୁଲ ଫୁଲ, କୋଳଥ ଡାଲି, ଶାଳ ମଞ୍ଜି ଆଦିର ସମ୍ଭାବ୍ୟ ପ୍ରକ୍ରିୟାକରଣ ଉପରେ ସ୍ୱତନ୍ତ୍ର ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ତେଣୁ ଉକ୍ତ ବିଷୟରେ ଉପରେ ମଧ୍ୟ କର୍ମଶାଳାରେ ବିଶେଷଜ୍ଞମାନେ ସବିଶେଷ ଆଲୋଚନା କରିଥିଲେ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହନୀ, ଓର୍‌ମାସ୍‌ର ନିର୍ଦ୍ଦେଶିକା ତଥା ସିଇଓ ଶ୍ରୀମତୀ ଗୁହା ପୁନମ ତାପସ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କର୍ମଶାଳା ଏବଂ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ସାମାଜିକ-ଅର୍ଥନୈତିକ ଉନ୍ନତି ସଂକ୍ରାନ୍ତୀୟ ବହୁବିଧ ବିଷୟରେ ଆଲୋଚନା ଓ ବିଭିନ୍ନ ସମାଧାନର ସୂତ୍ର ବାହାର କରି ସମାପନ ହୋଇଛି ।

ରିପୋର୍ଟ : ରଜତ ମହାପାତ୍ର ଓ ବିନାୟକ ମିଶ୍ର, ଲୋକସମ୍ପର୍କ ଅଧିକାରୀ