

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାରେ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ରବି ଚାଷ ସକାଶେ ଜିଲ୍ଲା ସ୍ତରୀୟ କୃଷି ରଣନୀତି ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ୨୦୨୦ ଖରିଫ୍ ଋତୁରେ ୨୧୫୦୦୦ହେକ୍ଟର ଧାନର ଲକ୍ଷ୍ୟ ରଖାଯାଇଥିବା ସ୍ଥଳେ ୨୧୨୧୨୪ ହେକ୍ଟର ଧାନ ଅମଳ ହୋଇପାରିଛି । ସେହିଭଳି ୧୯୩୦୪୭ ହେକ୍ଟର ଅଣଧାନର ଲକ୍ଷ୍ୟ ରଖାଯାଇଥିବା ସ୍ଥଳେ ୧୯୩୮୧୫ ହେକ୍ଟର ଅଣଧାନ ଅମଳ ହୋଇଛି । ଯାହାକି ଶତକଡା ୯୯.୧୧ ପ୍ରତିଶତ ଜଣାପଡିଛି । ଘରୋଇ ବିହନ ଡିଲର୍ ଏବଂ ପ୍ୟାକ୍ସ ମାଧ୍ୟମରେ ୫୦୭୭୬.୧୦ କ୍ବିଣ୍ଟାଲ ଧାନ ବିହନ ଯୋଗାଇ ଦିଆଯାଇଥିବା ବୈଠକରେ ଜଣାପଡିଛି । ୨୦୨୦-୨୧ ଆର୍ଥିକ ବର୍ଷର ରବି ଫସଲ ନିମନ୍ତେ ୧୮୫୫ ହେକ୍ଟର ଶସ୍ୟ ଜାତୀୟ , ୧୫୧୧୯୫ ହେକ୍ଟର ଡାଲିଜାତୀୟ, ୧୬୫୦୦ହେକ୍ଟର ତୈଳବୀଜ, ୩୪୧୩୦ ହେକ୍ଟର ପନିପରିବା ଜାତୀୟ, ୪୩୫୦ ହେକ୍ଟର ମସଲା ଜାତୀୟ, ୨୬୭୫ ହେକ୍ଟର ଆଖୁ ଏଭଳି ସମୁଦାୟ ୨୧୦୭୦୫ ହେକ୍ଟର ଜମିରେ ଚାଷ କରିବା ନେଇ କଳନା କରାଯାଇଛି । ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଜିଲ୍ଲାର ସମୁଦାୟ ୨୦୯୦୧୮ହେକ୍ଟର ଅଞ୍ଚଳରେ ସମସ୍ତ ପ୍ରକାର ଚାଷ କାର୍ଯ୍ୟ ହୋଇଥିବା ସ୍ଥଳେ ଆସନ୍ତା ୨୦୨୦-୨୧ ଆର୍ଥିକ ବର୍ଷରେ ୨୧୦୭୦୫ ହେକ୍ଟରରେ ସମସ୍ତ ଚାଷକାର୍ଯ୍ୟ ହେବାନେଇ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୈଠକରେ ଅଧ୍ୟକ୍ଷତା କରି ଜଣାଇଥିଲେଯେ, ଜିଲ୍ଲାର କୃଷିକାର୍ଯ୍ୟ ସକାଶେ ବ୍ୟାବହାରିକ (ପ୍ରାଟିକାଲ୍) ଭାବେ ଆମେମାନେ କୃଷକ ମାନଙ୍କ ସ୍ତରରେ ରହି ଚିନ୍ତା କରିବା ଆବଶ୍ୟକ । ଶତକଡା ୮୫ ପ୍ରତିଶତ ଗଞ୍ଜାମବାସୀ ଚାଷ କାର୍ଯ୍ୟ ଉପରେ ନିର୍ଭର କରନ୍ତି । କୃଷି ରଣନୀତି ପ୍ରସ୍ତୁତ କରିବା ପରେ ଚାଷୀ କଣ ଚାଷ କରୁଛନ୍ତି, ଚାଷ କାର୍ଯ୍ୟ ସକାଶେ କଣ ସବୁ ସୁବିଧାମାନ ରହୁଛି, ଚାଷକାର୍ଯ୍ୟ ସକାଶେ ସେଠିକାର ପାଣିପାଗ, ଜଳବାୟୁ କଣ ରହୁଛି, ମାଟିର ଉର୍ବରତା କଣ ରହୁଛି, ଭୁମି, ଜଳର ସ୍ଥିତି କଣ ରହୁଛି, ସେମାନଙ୍କ ଚାଷର ପରିମାଣ କିପରି ବୃଦ୍ଧି ହେବ ସେହି ସବୁ ପରୀକ୍ଷା ନିରୀକ୍ଷା କରି ଉନ୍ନତମାନର ଚାଷକାର୍ଯ୍ୟ ସକାଶେ ଆବଶ୍ୟକୀୟ ସରଞ୍ଜାମ ଉପଲବ୍ଧି କରିବା ଜରୁରୀ ଏବଂ କୃଷକର କଷ୍ଟ ଅର୍ଜିତ ଉତ୍ପାଦନ ଦ୍ରବ୍ୟ କିପରି ବିକ୍ରିବଟା ହୋଇପାରିବ, ଯେଉଁଥିରେ କୃଷକର ଲାଭ ଦ୍ବିଗୁଣିତ ହେବ ଏହିସବୁ ବିଷୟବସ୍ତୁକୁ ଆଧାର କରି କୃଷିରଣନୀତି ହେବା ଜରୁରୀ । ବର୍ତ୍ତମାନ ସ୍ଥିତିରେ ଗ୍ରାମ ପଞ୍ଚାୟତକୁ ନେଇ ଗୋଟିଏ ଗୋଟିଏ ୟୁନିଟ୍ କରାଯାଉ । କୃଷକ ମାନଙ୍କ ଦ୍ବାରା ଯାହାବି ଚାଷ କରାଯାଉଛି ତାହା କିପରି ଦ୍ବିଗୁଣିତ ହୋଇ ଚାଷର ପରିମାଣ କିପରି ବୃଦ୍ଧି ହେବ ସେଥିପାଇଁ ଖସଡା ପ୍ରସ୍ତୁତି କରାଯାଉ । ଚାଷୀ ଧାନଚାଷ, ମତ୍ସ୍ୟଚାଷ,ଛତୁଚାଷ,ଉଦ୍ୟାନ କୃଷି, ଗାଈ ଫାର୍ମ ଯାହାବି ଚାଷ କରନ୍ତୁ ସେଥି ସକାଶେ ସେମାନଙ୍କ ଠାରେ ଭିତ୍ତିଭୂମି କଣ ଓ ସେମାନଙ୍କର ଆର୍ଥିକ ସ୍ଥିତି କଣ ରହିଛି ସେହିସବୁକୁ ଆଧାର କରି ଯୋଜନାମାନ ପ୍ରସ୍ତୁତ କରାଯାଉ । ବ୍ଲକ୍ ସ୍ତରରେ ପ୍ରଥମ ବୈଠକ କରି ଚଳିତ ମାସ, ୧୫ ଡିସେମ୍ବର ସୁଦ୍ଧା ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ . । ଚାଷ ଦ୍ବାରା ଚାଷୀଙ୍କର ଆର୍ଥିକ ସ୍ଥିତି ଯେପରି ଦ୍ବିଗୁଣିତ ହେବ ସେହି ଲକ୍ଷ୍ୟନେଇ ମାଇକ୍ରୋପ୍ଲାନ୍ କରାଯାଉ । ଛତୁ ଚାଷ ସକାଶେ ଗଞ୍ଜାମ ଜିଲ୍ଲାର ପାଣିପାଗ ଅତି ଉତ୍ତମ । ଜିଲ୍ଲାର ଯେଉଁ ଚାଷୀମାନେ ଛତୁ ଚାଷ କରୁଛନ୍ତି ସେମାନଙ୍କର ଛତୁଚାଷ ଭଲ ହେଉଛି ଏବଂ ସେମାନେ ଅଧିକ ଲାଭ ପାଉଛନ୍ତି । ଏଣୁ ଜିଲ୍ଲାରେ ଛତୁଚାଷ ନିମନ୍ତେ ପ୍ରୋତ୍ସାହନ ଦେଲେ ସେମାନେ ଅନ୍ୟ ଜିଲ୍ଲାକୁ ମଧ୍ୟ ଛତୁ ଯୋଗାଇବାରେ ସକ୍ଷମ ହେବେ । ଜିଲ୍ଲାରେ ଯେଉଁମାନେ ସେଚକୂପ କରି ଚାଷ କରୁଛନ୍ତି ସେମାନେ ଅଧିକ ଲାଭବାନ ହେଉଥିବା ନଜରକୁ ଆସୁଛି । ଏଣୁ ଡକ୍ଓ୍ବେଲ କରିବାକୁ ପ୍ରୋତ୍ସାହନ ଦିଆଯାଉ । ସୌର ଜଳନୀତିର ପ୍ରଚାର ପ୍ରସାର କରାଯାଉ ତଦ୍ବାରା ଚାଷକାର୍ଯ୍ୟ ପାଇଁ ଜଳର ଅଭାବ ରହିବ ନାହିଁ ବୋଲି ଜିଲ୍ଲାପାଳ ବୈଠକରେ ଗୁରୁତ୍ବ ଆରୋପ କରିଥିଲେ । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାସ୍କର ପାଢୀ, ଜିଲ୍ଲା କୃଷି ଅଧିକାରୀ ଏ. ସତ୍ୟ ନାରାୟଣ ରାଓ, ଅତିରିକ୍ତ ଜିଲ୍ଲାପାଳ ନାବାର୍ଡ ଏସ୍.ଏସ୍. ସାହୁ, ଆର୍.ଏମ୍.ସି. ଦିଗପହଣ୍ଡିର ସମ୍ପାଦକ ଅରୁଣ କୁମାର ମିଶ୍ର, ଆର୍. ଏମ୍.ସି. ଭଞ୍ଜନଗର ସଂପାଦକ ଦୀନବନ୍ଧୁ ଗୌଡ,କୃଷି ବିଭାଗୀୟ ସମସ୍ତ ଅଧିକାରୀଗଣ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
