ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଡ଼.ରେନୁ ସ୍ୱରୂପଙ୍କୁ ସମ୍ମାନସୂଚନ ଡ଼କ୍ଟରେଟ ପ୍ରଦାନ, ଆଧୁନିକ ବିଜ୍ଞାନ ସହ ପାରମ୍ପାରିକ ଜ୍ଞାନର ସମନ୍ୱୟ ଏକାନ୍ତ ଜରୁରୀ:ରାଜ୍ୟପାଳ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଧୁନିକ ବିଜ୍ଞାନ ଓ ବୈଷୟିକ କୌଶଳ ମାନବ ସଭ୍ୟତାର ଅଗ୍ରଗତିରେ ପ୍ରମୁଖ ଭୂମିକା ନେଇଛି । ଲୋକମାନଙ୍କର ବହୁବିଧ ଅଭିପସା, ଆକାଂକ୍ଷା ଓ ଅଭିଳାଷ ପୂରଣରେ ବହୁ ମାତ୍ରାରେ ସଫଳ ହୋଇଛି । ବିଜ୍ଞାନର ମାନବୀୟ ରୂପର ବ୍ୟାପକ ପ୍ରୟୋଗ ଓ ଉପସ୍ଥାପନା ଏକାନ୍ତ ଆବଶ୍ୟକ । ଆଧୁନିକ ବିଜ୍ଞାନ ସହ ପାରମ୍ପାରିକ ଜ୍ଞାନର କ୍ରିୟାଶୀଳ ସମନ୍ୱୟ ଉପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁତ୍ୱଆରୋପ କରିଛନ୍ତି । ଗତକାଲି ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ଡ଼.ରେନୁ ସ୍ୱରୂପଙ୍କୁ ସମ୍ମାନ ସୂଚକ ଡ଼କ୍ଟରେଟ(ଡି.ଏସସି) ପ୍ରଦାନ ପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ କହିଲେ ଯେ ବିଜ୍ଞାନ ସହିତ ନୀତିଶାସ୍ତ୍ର ଏକାଠି ହୋଇ ମାନବ ସାବ୍ୟତାର ଭବିଷ୍ୟତର ମାର୍ଗ ନିର୍ଦ୍ଧାରଣ କରିବା ଦରକାର । ଅର୍ଜୁନ ସମସ୍ତ ଯୁଦ୍ଧ ବିଦ୍ୟାରେ ଧୂରିଣ ହୋଇଥିଲେ ମଧ୍ୟ ଯୁଦ୍ଧ କ୍ଷେତ୍ରରେ ସଂଶୟଗ୍ରସ୍ତ ହୋଇ ପଡ଼ିଥିଲେ । ଯେଉଁ ଜ୍ଞାନ ତାଙ୍କୁ ପୁନଶ୍ଚ କର୍ମ ତତ୍ପର କରାଇଥିଲେ; ଆଧୁନିକ ସମୟରେ ତାର ବିଶେଷ ପ୍ରାସଙ୍ଗିକତା ରହିଛି । ପୃଥିବୀ ବର୍ତ୍ତମାନ ଅନେକ ସମସ୍ୟାରେ ଜର୍ଜରିତ । ଏହି ସୁନ୍ଦର ଗ୍ରହକୁ ବଞ୍ଚାଇବାକୁ ଚିନ୍ତାନାୟକମାନେ ବିଶେଷ ଚିନ୍ତିତ । ଏପରି ସ୍ଥଳେ ବିଜ୍ଞାନର ଗତି ଓ ପ୍ରକୃତି ଆହୁରି ମୂଲ୍ୟବୋଧ ଆଧାରିତ ହେବା ଦରକାର ବୋଲି ରାଜ୍ୟପାଳ ମତ ପ୍ରକାଶ କରିଛନ୍ତି । ଏହି ଉପଲକ୍ଷେ ରାଜ୍ୟପାଳ ତଥା କୁଳପତି ପ୍ରଫେସର ଲାଲ ଡ଼.ରେଣୁ ସ୍ୱରୂପଙ୍କୁ ସମ୍ମାନ ସୂଚକ ଡ଼କ୍ଟରେଟ(ଡି.ଏସସି) ପ୍ରଦାନ କରିଥିଲେ । ଡ଼.ରେଣୁ ସ୍ୱରୂପ ଭାରତରେ ବିଜ୍ଞାନର ଉଲ୍ଲେଖନୀୟ ପ୍ରଗତିର ସୂଚନା ଦେଇ ଏହା କିଭଳି ଭାରତର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି; ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ରମାଦେବୀ ମହିଳା ବିଶ୍ବ ବିଦ୍ୟାଳୟର କୁଳପତି ଡ଼.ପଦ୍ମଜା ମିଶ୍ର, କୁଳ ସଚିବ ଇତିଶ୍ରୀ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା