

ରମ୍ଭା (ସମୃଦ୍ଧ ଓଡିଶା) କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ରମ୍ଭା ଏନଏସିର ବିଭିନ୍ନ ସମସ୍ୟାର ସମାଧାନ କରିବା ନିମନ୍ତେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହାସହ ମତ୍ସ୍ୟଜୀବି ନେତା ଭୀମସେନ ବେହେରାଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ଓ ମହିଳାଙ୍କ ଉପସ୍ଥିତିରେ ବସ୍ତିବାସିନ୍ଦାଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି । ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କଲେଜ ସାହି, ପାହାଡ ସାହି, ଲକ୍ଷ୍ମୀପୁର, ବ୍ରଜମୋହନପୁର, ଚୈତନ୍ୟ ମଠ ସାହି, ବାଉରୀ ସାହି, ଘୁମୁସର ସାହି, ଟିକରପଡା ସାହି ବସ୍ତି ବାସିନ୍ଦାଙ୍କୁ ଗୃହ ଯୋଗାଇ ଦେବା ସହ ସେମାନଙ୍କୁ ଘର ପଟ୍ଟା, ଆବାସ ବିଲ, ଲେଟ୍ରିନ ବିଲ ବକେୟା ପ୍ରଦାନ କରାଯାଉ ଓ ମିଞ୍ଚଣିପାଟଣା ବନ୍ଧ ସଫା କରିବା ସହ କଂକ୍ରିଟ ରୋଡ଼ ନିର୍ମାଣ କରିବାକୁ ଦାବି କରାଯାଇଛି । ଏହାସହ ପାହାଡ ସାହିରେ ପିଇବା ପାଣି, ଡ୍ରେନ ସଫା କରିବା ଦାବି ସମେତ ପାନ୍ଥ ନିବାସ ସାହି କଲୋନୀ ଓ ଚିଲିକା ରୋଡ଼ରେ ଡ୍ରେନ ନିର୍ମାଣ ବାବଦରେ ୮ ଲକ୍ଷ ଟଙ୍କା ମଂଜୁର ହୋଇଥିଲେ ମଧ୍ୟ କାମ ହୋଇ ନଥିବା ଅଭିଯୋଗ କରିବା ସହ ରାସନକାର୍ଡ, ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇବା ପରେ ମଧ୍ୟ କାମ ବନ୍ଦ କରାଯାଇଥିବା ଅଭିଯୋଗ କରାଯାଇଛି । ଦାବି ପତ୍ର ପ୍ରଦାନ ବେଳେ ଚିତ୍ରସେନ ଦାଶ, ନୀଳକଣ୍ଠ ଦାଶ, ଚିନ୍ତାମଣି ବେହେରା, ଟୁନା ନାୟକ, କେଶରୀ ବେହେରା, ଜମ୍ଭୁ ବେହେରା, ସୁଜ୍ଞାନୀ ପଟ୍ଟନାୟକ, ନାରାୟଣ ବାରିକ, ଆନନ୍ଦ ସାହୁ, କିଶୋର ନାୟକ, ବିପିନ ବେହେରା, ଡମ୍ବରୁ ବେହେରା, ବନ୍ଦନା ନାୟକ, କୁମର ବେହେରା, ଯୁଗଳ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
