ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଧୀନ ସାବୁଳିଆ ଗ୍ରାମରେ ଜଣେ ମହିଳାଙ୍କ ଶବ ସନ୍ଦେହଜନକ ଅବସ୍ଥାରେ ମିଳିଛି ଯାହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକ ଜଣକ ହେଉଛନ୍ତି ବୋଇତ ମହାନ୍ତି(୫୦) । ଭାସ୍କର ମହାନ୍ତିଙ୍କ ପତ୍ନୀ ବୋଇତଙ୍କ ଶବକୁ ଗାଁଠୁ ତିନି ଚାରି କିଲୋମିଟର ଦୂର କଇନ୍ଦାପଲ୍ଲୀ ଗ୍ରାମ ବିଲ ମାଳରୁ ଉଦ୍ଧାର କରାଯାଇଛି । ବୋଇତଙ୍କ ନାକ, ପାଟିରୁ ରକ୍ତ ବାହାରୁଥିବା ବେଳେ ବେକରେ ପୋଡା ଦାଗ ରହିଛି । ଏହାସହ ଗୋଟିଏ ହାତରେ ଲୁଗା ବନ୍ଧା ଯାଇଥିବା ଜଣାପଡିଛି । ରମ୍ଭା ଥାନା ପୋଲିସ ବୋଇତଙ୍କ ଶବକୁ ସେଠାରୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସମସ୍ତ କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠି ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ଏକ ଟିମ ତଦନ୍ତ ଜାରି ରଖିଛି । ମୃତକ ବୋଇତଙ୍କ ପୁଅ ବିନୋଦଙ୍କ କହିବାନୁସାରେ, ବୋଇତ ସକାଳୁ ବିଲକୁ ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ଫଳରେ ବ୍ୟସ୍ତବ୍ୟବ୍ରତ ପରିବାର ଲୋକେ ତାଙ୍କୁ ଖୋଜିବାକୁ ବାହାରି ଥିଲେ । ରାତି ପ୍ରାୟ ୮ଟା ବେଳେ ବୋଇତଙ୍କ ଶବ ବିଲ ଭିତରେ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ଗ୍ରାମବାସୀ ଓ ପୋଲିସ ସେଠାରେ ପହଞ୍ଚି ଥିଲେ । ପୋଲିସ ଶବକୁ ଉଦ୍ଧାର କରିଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା