ରାଇବଣିଆରେ କରୋନା ସନ୍ଦିଗ୍ଧ ରୋଗୀକୁ ନେଇ ଚର୍ଚ୍ଚା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ଅନ୍ତର୍ଗତ ସରଡିହା ରାଜସ୍ୱ ସର୍କଲ ଅଧିନରେ ଥିବା ଭଦୁଆ ଗ୍ରାମରେ ଜଣେ କରୋନା ସନ୍ଦିଗ୍ଧ ରୋଗୀ ଥିବା ସଂପର୍କରେ ପ୍ରଶାସନ ନିକଟରୁ ତାର ଫଟୋ ଓ ବିସ୍ତୃତ ଠିକଣା ମିଳିବାପରେ ରେଳ ବିଭାଗ ତତ୍ପର ହୋଇ ଉଠିଥିଲା । ସଂପୃକ୍ତ ୨୫ବର୍ଷିୟ ଯୁବକ ଜଣକ ଚେନ୍ନାଇରେ ରହୁଥିଲେ । ଗତ ଶନିବାର ଫାଲକନାମା ଟ୍ରେନ୍‌ରେ ପହଞ୍ଚି ସେଠାରୁ ନନ୍ଦନକାନ ଏକ୍ସପ୍ରେସ୍ ଟ୍ରେନ୍‌ଯୋଗେ ଜଳେଶ୍ୱରରେ ପହଞ୍ଚିବାପରେ ତାକୁ ଠାବ କରିବାପାଇଁ ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ, ଆର୍‌ପିଏଫ ଓ ଜିଆରପିର କର୍ମଚାରୀମାନେ ସେଠାରେ ଉପସ୍ଥିତ ଥିଲେ । ମାତ୍ର ଗଣମାଧ୍ୟମରେ ତାର ଖବର ବହୁଳ ଭାବରେ ପ୍ରସାରିତ ହେବାପରେ ଭୟରେ ସଂପୃକ୍ତ ଯୁବକ ଜଣକ ଷ୍ଟେସନର ଓପର ପାଶ୍ୱର୍ରେ ଓହ୍ଲାଇ ସାଇକେଲ ଯୋଗେ ନିଜ ଘର ରାଇବଣିଆ ଥାନା ଅନ୍ତର୍ଗତ ଭଣ୍ଡାରୀପଲ୍ଲି ଅଂଚଳର ଭଦୁଆ ଗାଁକୁ ପଳାଇ ଯାଇଥିଲେ । ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ. ପି.ସି ନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସଂପୃକ୍ତ ଯୁବକ ଘରେ ପହଞ୍ଚିବାପରେ ଉକ୍ତ ଯୁବକ ବାଲେଶ୍ୱର ଡାକ୍ତରଖଶନାକୁ ଯାଇ ଆବଶ୍ୟକୀୟ ପରୀକ୍ଷା କରିବାପରେ ତାଙ୍କର ଲକ୍ଷଣରୁ କରୋନା ହୋଇନଥିବା କଥା ଜଣାପଡିଥିଲା । ମାତ୍ର ସଂପୃକ୍ତ ଯୁବକକୁ ଆସନ୍ତା ୧୪ଦିନ ପାଇଁ ତାଙ୍କ ନିଜଘରେ ଏକ ସ୍ୱତନ୍ତ୍ର କୋଠରୀରେ ୨ଜଣ ଆଶାକର୍ମୀଙ୍କ ତତ୍ୱାବଧାନରେ ରଖାଯିବ ବୋଲି ଡା. ନାୟକ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା