ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଦିବାସୀ ଅଧ୍ୟୁସିତ ତଥା ବିଛିନ୍ନାଞ୍ଚଳ ଭାବେ ପରିଚିତ ରାଇବଣିଆ ଅଂଚଳରେ ଡାକସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ୧୫ଟି ପଂଚାୟତର ଜନସାଧାରଣ ଏକତ୍ରୀତ ହୋଇ ହାତୀଗଡ ସବ୍ପୋଷ୍ଟ ଅଫିସ୍ ସମ୍ମୁଖରେ ଧାରଣା ଦେବାର ଚେତାବନୀ ଦେଇଛନ୍ତି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆର ଉପରୋକ୍ତ ପଂଚାୟତ ଅଧିନରେ ୧୪ଟି ଶାଖା ଡାକଘର ରହିଛି । ରାଇବଣିଆ ଅଂଚଳରେ ବ୍ୟାଙ୍କର ବିଶେଷ ସୁବିଧା ନ ଥିବାରୁ ଜନସାଧାରଣ ଡାକଘର ଉପରେ ନିର୍ଭର କରିଥାନ୍ତି । ବହୁ ସମୟରେ ଡାକଘରେ କର୍ମଚାରୀର ଅଭାବ ଦେଖାଦେଇଥିବା ବେଳେ ସମୟ ସମୟରେ ହାତୀଗଡ ସବ୍ ପୋଷ୍ଟ ଅଫିସ୍ରେ ପୋଷ୍ଟ ମାଷ୍ଟର ନ ଥିବାରୁ ଲୋକେ ଡାକସେବାରୁ ବଂଚିତ ହୋଇ ଆସୁଛନ୍ତି । ଡାକଘର ଗୁଡିକ ବିଏସଏନ୍ଏଲ ନେଟ୍ୱାର୍କ ରହିଥିବାରୁ ତାହା ବହୁ ସମୟରେ ଲିଙ୍କ ଫେଲ ହେଉଛି । ଫଳରେ ଟଙ୍କା ଦେଣ ନେଣ ଆଦୌ ହୋଇ ପାରୁନାହିଁ । ଫଳରେ ଜରୁରୀକାଳିନ ପରିସ୍ଥିତିରେ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଉକ୍ତ ଡାକଘରଟି ଭଡାଘରେ ଚାଲୁଥିବାରୁ ଜନସାଧାରଣଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ରାଇବଣିଆ ଅଂଚଳରେ ଝାଡଖଣ୍ଡ ହାତୀଙ୍କ ପ୍ରାଦୁର୍ଭାବ ରହୁ ଥିବାରୁ ଦୀର୍ଘଦିନ ଧରି ବିଦ୍ୟୁତ୍କାଟ ଲାଗି ରହିଥାଏ । ଫଳରେ ବିଏସ୍ଏନ୍ଏଲ ଲିଙ୍କ ଫେଲ ହେଉଥିବା ଜଣାଯାଇଛି । ଯଥାଶୀଘ୍ର ଏହି ଡାକଘରଟି ସରକାରୀ ଜାଗାରେ ସ୍ଥାୟୀ ନିର୍ମାଣ କରାଯିବା ସଂଗେ ସଂଗେ ଜେନେରେଟେର କିମ୍ବା ଇନ୍ଭାଟର ଯୋଗାଇ ନ ଦେଲେ ସମାସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିବ ନାହିଁ । ଏପରି ସମସ୍ୟାର ସମାଧାନ ନ ହେଲେ ଜନ ଅସନ୍ତୋଷ ଆନ୍ଦୋଳନର ରୂପ ନେବ ବୋଲି ପଂଚାୟଚ ସମିତି ଅଧ୍ୟକ୍ଷା ସବିତା ରାଣୀ ଦଳେଇ,ଦିଲ୍ଲିପ ସାମଲ, ଅଜୟ ମହାନ୍ତି, ସଂଜୀବ ଘୋଷ, ଗଂଗାଧର ଦାସ, ବିଜୟ ବେହେରା, ମାନି ପାତ୍ର, ଗିରିଜା ସାସମଲ, ଗୌରାଙ୍ଗ ମହାପାତ୍ର, ମୁନିନ୍ଦ୍ର ଧର, ସତ୍ୟରଂଜନ ଦାସ, ହରେକୃଷ୍ଣ ଗିରି ପ୍ରମୁଖ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା