ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଅଂଚଳରେ ଥିବା ପାୱାର ଟ୍ରାନ୍ସଫରମର ପୋଡି ଯାଇଥିବା ଏବଂ ନେସ୍କୋ ଜେଇଙ୍କର ମନେମୁଖୀ କାର୍ଯ୍ୟ ଓ ବିଦ୍ୟୁତ କାଟ ଚଳାଇଥିବା ପ୍ରତିବାଦରେ ବହୁ ଉପଭୋକ୍ତା କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦୀର୍ଘଦିନ ଧରି ପାୱାର ଟ୍ରାନ୍ସଫରମର ପୋଡି ଯାଇଥିବାରୁ ତାର ମରାମତି ହେଉନଥିବା ଯୋଗୁଁ ଦୀର୍ଘସମୟଧରି ରାଇବଣିଆର ୧୪ଟି ପଂଚାୟତ ଅଂଚଳରେ ଘନ ଘନ ବିଦ୍ୟୁତ୍ କାଟ ଘଟୁଛି । ଏବେ ମରୁଡି ସମୟରେ ସରକାରୀ ଓ ବେସରକାରୀ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉନଥିବାରୁ ଜନଅଶାନ୍ତି ଓ ଉତ୍ତେଜନା ସୃଷ୍ଟି କରିଛି । ସମଗ୍ର ରାଇବଣିଆ ଅଂଚଳରେ ଏକମାତ୍ର ଜେଇ ଅଫିସ୍ କାର୍ଯ୍ୟ କରୁଥିବା ଏବଂ ସେ ନିଜ କାର୍ଯ୍ୟଳାୟ ହାତୀଗଡରେ ନ ରହି ଜଳେଶ୍ୱରରେ ରହୁଥିବା ଓ ଅଧିକାଂଶ ସମୟରେ ଫୋନ ବନ୍ଦ ରହୁଥିବା ଯୋଗୁଁ ଉପଭୋକ୍ତା ମାନଙ୍କ ସମସ୍ୟା ବୁଝିବାକୁ କେହି ନ ଥାନ୍ତିି । ଫଳରେ ବିଦ୍ୟୁତ୍ ଯୋଗାଣ ଦୀର୍ଘସମୟ ଓ ବାରମ୍ବାର ବାଧାପ୍ରାପ୍ତ ହେଉଛି । ଏହାର ପ୍ରତିବାଦରେ ସେ ଅଂଚଳର ସୁକାନ୍ତ ଦାଶ, ଜୟନ୍ତ କୁମାର ପାଣିଗ୍ରାହୀ, ହରିଶଂକର ଦତ୍ତ, ମନ୍ମଥ ପାତ୍ର, ନାରାୟଣ ରଣା, ପ୍ରଣବାନନ୍ଦ ଆଚାର୍ଯ୍ୟ, ବିକାଶ ଦାସ, ମୁକ୍ତେଶ୍ୱର କୁଇଲା ପ୍ରମୁଖଙ୍କ ନେତୃତ୍ୱରେ ନେସ୍କୋ ସୁପରିଟେଣ୍ଡେଣ୍ଟ ଓ ଜିଏମ୍ଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଅତିଶୀଘ୍ର ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ନେତୃସ୍ଥାନୀୟ ବ୍ୟକ୍ତିମାନେ ଜଣାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା