ରାଇବଣିଆରେ ୧୭ ହାତୀଙ୍କ ରାଜ : ରବି ଧାନ ଓ ପରିବା ଚାଷର ବ୍ୟାପକ କ୍ଷତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ କିଛିଦିନ ପରେ ଶିମିଳିପାଳର ୧୭ ହାତୀ ରାଇବଣିଆରେ ୨ଦିନ ଧରି ବ୍ୟାପକ କ୍ଷତି ଘଟାଇ ଚାଲିଛନ୍ତି । କିଛିଦିନ ପୂର୍ବରୁ ଏହି ହାତୀମାନେ ରାଇବଣିଆ ଅଞ୍ଚଳ ଛାଡି ରାସଗୋବିନ୍ଦପୁର ଓ ପଶ୍ଚିମବଙ୍ଗର କେସରେଖା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ବ୍ୟାପକ କ୍ଷତି କରି ଆସୁଥିବା ବେଳେ ରବିବାର ରାତ୍ରୀରେ ପୁଣି ଜଳେଶ୍ୱର ରେଞ୍ଜର ରାଇବଣିଆ ଅଞ୍ଚଳରେ ପ୍ରବେଶ କରିଛନ୍ତି । ଗତ ରାତ୍ରିରେ ଜଙ୍ଗଲ ନିକଟରେ ଥିବା ଗାଁ ଗୁଡିକର ପରିବା ଚାଷ, କଦଳୀ ଚାଷର କ୍ଷତି କରିଥିବା ବେଳେ ଆଜି ଦିନତମାମ ଧାନ କ୍ଷେତରେ ତାଣ୍ଡବ ରଚୁଛନ୍ତି । ରାସଗୋବିନ୍ଦପୁର ରେଞ୍ଜର ହରିଣାଶୋଳ ଜଙ୍ଗଲରୁ ବାହାରୀ ରାଇବଣିଆର ଆମ୍ବତୁମ୍ବା, କ୍ଷୀରକୋଳି ସାହି, ପ୍ରସାଦିଆ ଓ ଲୁହାପଡା ଜଙ୍ଗଲର ଆଖପାଖରେ ଧାନ ଫସଲ ନଷ୍ଟ କରି ଆସୁଛନ୍ତି । ଘଟଣା ଜଣାଯିବାପରେ ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ରେଞ୍ଜର ସରୋଜ କୁମାର ମହାନ୍ତି, ଫରେଷ୍ଟର ତପନ ସିଂହ, ମନୋହର ସିଂ, ଅଞ୍ଜନ ଦାସ, ସବୁଜ ବାହିନୀର ଅମରେଶ ଦାସ, ସୁବାସ ଦାସ ପ୍ରମୁଖ ଆଜି ପହଞ୍ଚି ହାତିଗୁଡିକର ଗତିବିଧି ଉପରେ ନଜର ରଖିଛନ୍ତି । ଗତ ଖରିଫ ଋତୁରେ ମଧ୍ୟ ହାତୀ ଗୁଡିକ ରାଇବଣିଆ ଅଞ୍ଚଳର ବ୍ୟାପକ ଧାନଚାଷ ନଷ୍ଟ କରିବା ସହ ପ୍ରାୟ ୪୨ଟି ଗୃହ ଉଣା ଅଧିକେ ଭାଙ୍ଗିଥିବା ଓ ଜଣେ ଲୋକକୁ କଚାଡି ମାରିଥିବା, ୨ଟି ବଳଦ ଓ ୧୦ଟି ଛେଳି ଖଣ୍ଡିଆ ଖାବର ହୋଇଥିଲେ । ସେମାନଙ୍କ ମଧ୍ୟରୁ ବହୁ ଲୋକେ ଅଦ୍ୟାବଧି କ୍ଷୟକ୍ଷତିର ଭରଣାଲାଗି ଅର୍ଥ ପାଇ ନ ଥିବା ଜଣାଯାଇଛି । ହାତୀ ଗୁଡିକ ଜଳେଶ୍ୱର-ରାସଗୋବିନ୍ଦପୁର, କେସରେଖା ରେଞ୍ଜରେ ରହି ଦୀର୍ଘ ୮ମାସ ଧରି କ୍ଷତି କରୁଥିବାରୁ ୨ରାଜ୍ୟର ୩ ଜିଲ୍ଲା କର୍ତ୍ତୃପକ୍ଷ ହାତୀ ଘଉଠାଇବାକୁ ଦାବି କରିଛନ୍ତି । ଅନ୍ୟଥା ଆଦିବାସୀଙ୍କ ମେଳି ଉଗ୍ରରୂପ ଧାରଣ କରିପାରେ ଅନୁମାନ କରାଯାଉଛି ।

ରିପୋର୍ଟ : ଭୂପତି କୁମାର ପରିଡା