ରାଇବଣିଆର ହାତୀ ସମସ୍ୟାର ସ୍ଥାୟୀ ସମାଧାନ କେବେ ?…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତବର୍ଷ ଶିମିଳିପାଳ, ପଶ୍ଚିମବଙ୍ଗର ଦଲମା ଓ ଝାଡଖଣ୍ଡି ହାତୀ ରାଇବଣିଆ ଅଞ୍ଚଳରେ ୫ଥର ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇ ଚାଲିଛନ୍ତି । ଗତ ୧୫ ଦିନ ଧରି ରାଇବଣିଆ ଅଞ୍ଚଳରେ ରହୁଥିବା ପ୍ରାୟ ୧୨ଟି ହାତୀ ଶ୍ୟାମନଗର, ରାଇବଣିଆ, କାଳିକ, ବରଡିହା, କଳମା, ଖୁଆଡ ଇତ୍ୟାଦି ପଞ୍ଚାୟତରେ ଅରାନ୍ଧ ଅବାଢ ସୃଷ୍ଟି କରିଛନ୍ତି । ଅନ୍ୟପକ୍ଷରେ ପଶ୍ଚିମମେଦନୀପୁର, ବାଲେଶ୍ୱର ଓ ମୟୁରଭଂଜ ଜିଲାର ବନ ବିଭାଗ କର୍ମକର୍ତ୍ତାଙ୍କ ମଧ୍ୟରେ ସହମତି ଅଭାବରୁ ହାତୀ ଘଉଡାଇବା ସଫଳ ହେଉନାହିଁ । ୨ଦିନ ତଳେ କାଳିକ ପଂଚାୟତର ୪ଟି ଘର ଭାଙ୍ଗି ଥିବା ବେଳେ ବ୍ୟାପକ ଫସଲ ନଷ୍ଟ ହେଉଛି । ଚାଙ୍ଗୁ ମୁର୍ମୁୁ, ରୁହିଆ ସୋରେନ୍, କର ସୋରେନ୍ ଓ ବୋକାଇ ସରେନ୍ର ଘର ମାଟି ମିଶିଯାଇଛି । ଏବେ ହାତୀ ଗୁଡିକ ପାଚିଲାଧାରନ ଆଡେ ମୁହାଁଇଛି । ପ୍ରତିଦିନ ହାତୀ ଗୁଡିକ ଦିନରେ ରଙ୍ଗାମାଟିଆ ଜଙ୍ଗଲରେ ରହୁଥିବା ବେଳେ ସଂଧ୍ୟାରେ ଚାକୁଆପାଳ, ଧରମପୁର, ରଙ୍ଗାମାଟିଆ ଓ ଦୁଧିଆଶୋଳ ଗାଁ ଓ ପାଖ ଅଞ୍ଚଳରେ କ୍ଷତି ଘଟାଇ ଚାଲିଛନ୍ତି । ବନ୍ୟକର୍ମଚାରୀମାନେ ଆସି ଘଉଡାଇବାକୁ ଚେଷ୍ଟା କରି ଗତ କିଛିଦିନ ଧରି ବିଫଳ ହୋଇ ଆସୁଛନ୍ତି । ବରଂ କେତେକ ହାତୀ ଉତ୍ତେଜିତ ହୋଇ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଗତ ରାତ୍ରୀରେ ଏକ ମାଈ ହାତୀର ଆକ୍ରମଣରେ ଜଣେ ସବୁଜବାହିନୀର ଯୁବକ ଆହତ ହୋଇଛନ୍ତି । ଏବେ ଆଦିବାସୀ ମାନଙ୍କର ଭୁଲୁଟ୍ ପର୍ବ ଚାଲିଥିବାରୁ ବହୁ ଆଦିବାସୀଙ୍କ ଘରେ ହାଣ୍ଡିଆ ଓ ମଦ ରହିଥିବାରୁ ହାତୀମାନେ ପାଗଳପ୍ରାୟ ଗ୍ରାମ ଅଭିମୁଖେ ମୁହାଁଉଥିବାରୁ ପ୍ରତିଦିନ ରେଞ୍ଜର ଦେବେନ୍ଦ୍ର ପାତ୍ର, ତପନ ସିଂ, ଅଞ୍ଜନ ଦାସ, ମନୋହର ସିଂ, ଅବୈତନିକ ପୂର୍ବତନ ବନ୍ୟ ସଂରକ୍ଷକ ଅଶ୍ୱିନୀ କୁମାର ଦାସ, ସୁରେଶ ଦାସ, ଅମରେଶ ଦାସ, ସମରେଶ ଦାସ, ନିମାଇଁ ବେହେରା ପ୍ରମୁଖ ବାଣ ଓ ନିଆଁହୁଳା ଧରି ଗ୍ରାମକୁ ପ୍ରବେଶ କରାଇ ଦେଉନଥିବାର ସୂଚନା ମିଳିଛି । ଅନ୍ୟପକ୍ଷରେ ଗ୍ରାମବାସୀ ମାନେ ଜଙ୍ଗଲ ବିଭାଗ କର୍ମଚାରୀମାନଙ୍କୁ ସହାୟତା କରୁନଥିବାର ଅଭିଯୋଗ ହୋଇଛି । ଏ ପରିପ୍ରେକ୍ଷୀରେ ହାତୀ ଘଉଡାଇବା ପାଇଁ ପଶ୍ଚିମମେଦିନୀପୁର, ବାଲେଶ୍ୱର ଓ ମୟୂରଭଞ୍ଜ ବନ୍ୟକର୍ମଚାରୀମାନେ ସହମତି ଭିତ୍ତିରେ ହାତୀ ଘଉଡାଇ ଦେଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ତଥ୍ୟାଭିଜ୍ଞ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ରାଇବଣିଆର ହାତୀ ସମସ୍ୟାର ସମାଧାରନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବାର ସରପଂଚ ଦିଲ୍ଲିପ ସାମଲ, ଗିରିଜା ସାସମଲ, ମନୋଜ ସାସମଲ, ଗଙ୍ଗାଧର ଦାସ, ବିଜୟ ବେହେରା, ସଞ୍ଜିବ ଘୋଷ, ସନ୍ଦିପ ଘୋଷ, ପୂର୍ବତନ ବ୍ଲକ ଚେୟାରମେନ୍ ସୁକୁମାର ଘୋଷ ଓ ତପନ ଦାସ, ଅଜୟ ମହାନ୍ତି, ମୁନିନ୍ଦ୍ର ଧର, ଯତିନ୍ଦ୍ର ମହାନ୍ତି ପ୍ରମୁଖ ବନବିଭାଗର ଉଚ୍ଚକର୍ମକର୍ତ୍ତା ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା