ରାଉରକେଲା:(ସମୃଦ୍ଧଓଡିଶା)ଅଯୋଧ୍ୟାର ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ପାଳନ ଅବସରରେ ରାଉରକେଲା ସହରରେ ବଡ଼ ଆଡମ୍ବର ସହକାରେ ଏହି ଉତ୍ସବକୁ ପାଳନ କରାଯାଇଛି। ଏହି ଐତିହାସିକ ଉତ୍ସବର ଅବସରରେ ଶ୍ରଦ୍ଧାଳୁମାନଙ୍କ ମଧ୍ଯରେ ଆନନ୍ଦ, ଉଲ୍ଲାସ, ଉତ୍ସାହ ଏବଂ ଊଦ୍ଦିପନା ଦେଖିବାକୁ ମିଳିଥିଲା। ଏହି ବିଶେଷ ଆୟୋଜନରେ ବିଶ୍ବର ଏକ ବୃହତ୍ ଲଡୁର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଯେଉଁ ଲଡୁକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ବୃହତ୍ ସାଢ଼େ ୧୨ କ୍ଯୁଇଣ୍ଟାଲ ଓଜନର ଲଡୁ ହନୁମାନ ବାଟିକାରେ ଶ୍ରୀରାମଙ୍କର ପୂଜା ଅର୍ଚ୍ଚନା କରାଯିବା ପରେ ପ୍ରସାଦ ରୂପରେ ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ଯରେ ବଣ୍ଟନ କରାଯାଇଥିଲା। ଇଂରାଜୀ ବର୍ଷ ତାରିଖ ଅନୁସାରେ ଜାନୁୟାରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ଶ୍ରୀରାମଙ୍କ ବିଗ୍ରହ ଓ ଶ୍ରୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ସେହି ତାରିଖ ଅନୁସାରେ ଆଜି ୨୨ ତାରିଖ ବୁଧବାର ସକାଳ ୧୦ଟା ୩୦ ସମୟରେ ହକି ଭିଲେଜ ମେଫେୟାର ହୋଟେଲ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଗୋଟିଏ ଟ୍ରଲରରେ ଶ୍ରୀରାମଙ୍କ ପ୍ରତିମା ଏବଂ ଅନ୍ଯ ଟ୍ରଲରରେ ସାଢେ ୧୨ କ୍ଯୁଣ୍ଟାଲ ଓଜନର ବୃହତ୍ ଲଡୁକୁ ଧରି ଦୁଇଟି ସୁଶୋଭିତ ଟ୍ରଲର ବାହାରିଥିଲା। ଏହି ଶୋଭାଯାତ୍ରା ହକି ଭିଲେଜର ମେଫେୟାର ହୋଟେଲ ଠାରୁ ବାହାରି ବିପିୟୁଟି ପରିସର ଦେଇ ରିଂ ରୋଡରେ ପ୍ଲୁଟୋନ୍ ମଲ, ଛେଣ୍ଡ ଛକ, ଡିଏଭି ଛକ, ହନୁମାନ ବାଟିକା ଛକ ଦେଇ ହନୁମାନ ବାଟିକାରେ ପହଞ୍ଚି ଶେଷ ହୋଇଥିଲା। ଆଜିର ଶୋଭାଯାତ୍ରାରେ ଭଗବାନ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ସହିତ ଲଡୁ ଶୋଭାଯାତ୍ରା ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ଏହି ଶୋଭାଯାତ୍ରା ସମୟରେ ଭକ୍ତମାନେ ଭଜନ, ମାର୍ଶଲ ଆର୍ଟ, ନୃତ୍ୟ-ସଙ୍ଗୀତ ଏବଂ ଭାରତୀୟ ସଂସ୍କୃତିର ଏକ ନିଆରା ଆକର୍ଷଣ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଜନନେତା ଦିଲୀପ ରାୟ, ମଧ୍ୟପ୍ରଦେଶ ସରକାରୀ ମନ୍ତ୍ରୀ କୈଳାସ ବିଜୟବର୍ଗୀୟ, ବିଧାୟକ ଦୁର୍ଗା ଚରଣ ତନ୍ତୀ ପ୍ରମୁଖ। ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଐତିହାସିକ ଶୋଭାଯାତ୍ରାକୁ ପ୍ରଶଂସା କରିଥିଲେ। ଏହି ଘଟଣାର ମହାନତାକୁ ଦେଖି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ ଦଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଯାହା ଏହି ଘଟଣାକୁ ଆହୁରି ସ୍ୱତନ୍ତ୍ର କରିଥିଲା । ଶୋଭାଯାତ୍ରାରେ ଛାତ୍ରମାନଙ୍କ ଦ୍ୱାରା ଏକ ତ୍ରିକୋଣୀୟ ଶୋଭାଯାତ୍ରାକୁ ମଧ୍ୟ ନିଆଯାଇଥିଲା। ଯାହା ସମଗ୍ର କାର୍ଯ୍ୟକ୍ରମର ସୌନ୍ଦର୍ଯ୍ୟକୁ ଆହୁରି ବଢାଇ ଦେଇଥିଲା। ସନାତନ ଜାଗରଣ ମଞ୍ଚର ଆବାହକ ସନ୍ତୋଷ ବିଶ୍ବାଳ ଙ୍କ ଆହ୍ୱାନ କ୍ରମେ ଛାତ୍ର ଓ ଯୁବକମାନଙ୍କର ଶୋଭାଯାତ୍ରାରେ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା | ଶ୍ରୀ ରାମଙ୍କ ପ୍ରତି ଭକ୍ତି ଏବଂ ଦେଶପ୍ରେମ ସହିତ ସମଗ୍ର ପରିବେଶ ରଙ୍ଗୀନ ମନେ ହେଉଥିଲା। ଏହି ଶୋଭାଯାତ୍ରାରେ ଅଙ୍ଗନୱାଡି କେନ୍ଦ୍ରର ବହୁ ସଂଖ୍ୟକ ମହିଳା ମଧ୍ୟ ଅଂଶଗ୍ରହଣ କରିଥିଲେ, ଯାହାକି ଏହି କାର୍ଯ୍ୟକ୍ରମର ମହାନତାକୁ ଆହୁରି ବଢାଇ ଦେଇଥିଲା। ଚମତ୍କାର ଶ୍ରୀ ରାମ ଭକ୍ତି ଏବଂ ଭାରତର ସାଂସ୍କୃତିକ ଐତିହ୍ୟ ପାଇଁ ଉତ୍ସର୍ଗୀକୃତ ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ହୃଦୟରେ ଏକ ଅବିସ୍ମରଣୀୟ ପ୍ରଭାବ ପକାଇବ ବୋଲି ପରିକଳ୍ପନା କରାଯାଇଛି। କାର୍ଯ୍ୟକ୍ରମର ସଫଳତା ପାଇଁ ଶ୍ରୀ ବିଶ୍ବାଳ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ରିପୋର୍ଟ : ସସ୍ମିତା ପ୍ରଧାନ