ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନୂଆ ମୋଟର ଯାନ ନିମୟ ଲାଗୁହେବା ପରୁଠାରୁ ଅସନ୍ତୁଷ୍ଟ ସାଧାରଣ ଜନତା । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ହଜାର ହଜାର ଟଙ୍କା ଗଣିବାକୁ ପଡ଼ୁଛି । ମାତ୍ର ୬ ଦିନର ନିୟମ ଭିତରେ ଘାଣ୍ଟି ହୋଇଗଲେଣି ଲୋକେ । ରାଜଧାନୀ ଭୁବନେଶ୍ୱରରେ ତାତିଲେ ଲୋକେ। ଜରିମାନା ଆଦାୟ ନ କରାଯାଇ ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ଲୋକମାନେ ତାତିଛନ୍ତି । ରାଜମହଲ ଛକରେ ଉତ୍ତ୍ୟକ୍ତ ଲୋକେ ୩ଟି ସରକାରୀ ଗାଡ଼ି ଅଟକାଇ ହୋହଲ୍ଲା କରିଛନ୍ତି । ଉତ୍ତ୍ୟକ୍ତ ଲୋକେ ମୋ ବସ୍, ବିଏମ୍ସି ଗାଡ଼ି ଓ ପୁଲିସ୍ ଗାଡ଼ି ଅଟକାଇଛନ୍ତି। ମୋ ବସ୍ ର ଓଭରଲୋଡ୍ ଓ ଡ୍ରାଇଭର ସିଟ୍ ବେଲ୍ଟ ବାନ୍ଧି ନ ଥିବା ଅଭିଯୋଗ ହୋଇଥିବା ବେଳେ ବିଏମ୍ସି ଗାଡ଼ି ଓ ପୁଲିସ୍ ଭ୍ୟାନ ର କାଗଜପତ୍ର ଠିକ୍ ନ ଥିବା ଅଭିଯୋଗ ହୋଇଛି । ରାସ୍ତା ଉପରେ ଗାଡ଼ି ଗୁଡ଼ିକୁ ଅଟକାଇ ଲୋକମାନେ ରେଜିଷ୍ଟ୍ରେସନ, ପରମିଟ୍, ଇନ୍ସୁରାନ୍ସ ସହ ପଲ୍ୟୁସନ୍ ସାର୍ଟିଫିକେଟ ଯାଞ୍ଚ କରିଛନ୍ତି । ଅନ୍ୟପକ୍ଷରେ ଲୋକଙ୍କ ଆକ୍ରୋଶ ଦେଖି ବିଏମ୍ସି ଗାଡ଼ିର ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ସେପଟେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ଉତ୍ତ୍ୟକ୍ତ ଲୋକଙ୍କ ଉପରକୁ ଲାଠିଚାର୍ଜ କରିଛି । ଭୁବନେଶ୍ୱରେ ସେପ୍ଟେମ୍ବର ପହିଲାରୁୁ ନୂଆ ମୋଟରଯାନ ଆଇନ୍ ଲାଗୁ ହୋଇଥିବାବେଳେ ଏହାକୁ ନେଇ ହଟଚମଟ ଲାଗି ରହିଛି। ନୂଆ ମୋଟର ଯାନ ସଂଶୋଧନ ଆଇନ ଲାଗୁହେବା ପରଠାରୁ ଘରୁ ଗାଡ଼ି ବାହାର କରିବା ପାଇଁ ଡରୁଛନ୍ତି ଲୋକେ । ଗାଡ଼ି ବାହାର କଲେ ହଜାର ହଜାର ଟଙ୍କା ଫାଇନ୍ ପଡ଼ୁଛି । ଭିନ୍ନ ଭିନ୍ନ ନିୟମ ଅନୁସାରେ ମୋଟା ଅଙ୍କର ଫାଇନ୍ ଗଣୁଛନ୍ତି ଲୋକେ ।
ରିପୋର୍ଟ : ଆକାଶ ମିଶ୍ର