ରାଜଧାନୀରେ ବାରମ୍ୱାର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବାରେ ପୋଲିସ ନୟାନ୍ତ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ରାଜଧାନୀରେ ପୋଲିସର ବାରମ୍ୱାର ଏନ୍‌କାଉଣ୍ଟର ହେଉଥିବାରୁ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଉଥିବା ବେଳେ ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବାକୁ ପୋଲିସକୁ ନୟାନ୍ତ ହେବାକୁ ପଡୁଛି । ଦୈନଦିନ ରାଜଧାନୀରେ ବଢ଼ି ଚାଲିଥିବା କ୍ରାଇମ କଣ୍ଟ୍ରୋଲ୍‌ ପାଇଁ ଆକ୍‌ସନ ମୋଡକୁ ଆସିଥିବା କମିଶନରେଟ୍ ପୋଲିସକୁ ଆଜି ଆଉ ଏକ ସଫଳତା ମିଳିଛି । ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରରେ ପୋଲିସ କରିଛି ୫ଟି ଏନ୍‌କାଉଣ୍ଟର । ପୋଲିସର ଶିକାରରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ ଧରାପଡିଛି ଆହତ ଅବସ୍ଥାରେ । ଆଜି ସନ୍ଧ୍ୟା ବେଳେ ଭରତପୁର ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ ଥିବା କମିଶନରେଟ୍‌ ପୋଲିସ ଖବର ପାଇ ଚଢ଼ଉ କରିଥିଲା । ପୋଲିସକୁ ଦେଖିଵା କ୍ଷଣି ରବି ପୋଲିସ ଉପରକୁ ଫାୟାରିଂ କରିଥିଲା । ଏହାର ଜବାବରେ ପୋଲିସ ପାଲଟା ଗୁଳି ଚଳାଇଥିଲା । ଫଳରେ ରବି ରାଓ ଆହତ ହୋଇ ତଳେ ପଡିଯାଇଥିଲା । ଗୁଳି ତା’ ଗୋଡ଼ରେ ବାଜିବାରୁ ସେ ଆଗକୁ ଯାଇପାରି ନ ଥିଲା । ତାକୁ ଗୁରୁତର ଅବସ୍ଥାରେ ଅଣାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବି ନାଁରେ ଏକାଧିକ ଡକାୟତି ଓ ଲୁଟ୍‌ ମାମଲା ରହିଛି । କମିଶନରେଟ୍‌ ପୋଲିସର ଏହା ହେଉଛି ୫ମ ଏନ୍‌କାଉଣ୍ଟର । ଧଉଳି ନିକଟ ବାପୁଜୀ ହାଇଟ୍‌ ଆପାର୍ଟମେଣ୍ଟର ୨୦୮ ନମ୍ବର ଘର ମାଲିକ ଏକ ସିକ୍ୟୁରିଟି ଏଜେନ୍ସି କରିଥିବା ଦେବାଶିଷ ଦାସ ଭଡ଼ା ନେଇ ଥିଲେ । କିନ୍ତୁ ସେହି ଘରେ ଲୋକ ରହିବା ବଦଳରେ ସିପୁନ୍ କବି ଓ ହରେକୃଷ୍ଣ ସ୍ୱାଇଁ ଚଳାଇଥିଲେ ବେଆଇନ ଓ ନକଲି ମଦ ବେପାର । ଯାହାର ପର୍ଦ୍ଦାଫାସ୍ କରି ଏହି ୨ ଦୁର୍ବୃତ୍ତଙ୍କୁ ଗତ ରାତିରେ ଏନ୍‌କାଉଣ୍ଟର କରି କାବୁ କରିନେଇଥିଲା କମିଶନରେଟ୍ ପୋଲିସ । ସେହିପରି ଗତକାଲି ବାଲିଅନ୍ତା ଥାନା ଅନ୍ତର୍ଗତ ପୁରୁଣା ଜଗନ୍ନାଥ ସଡ଼କ ଟଙ୍କପାଣି ସେତୁ ନିକଟରେ କମିଶନରେଟ୍ ପୋଲିସର ଏନକାଉଣ୍ଟରରେ ଦୁଇଜଣ ଅପରାଧୀ ଅରୁଣ କୁମାର ମଲ୍ଲିକ ଓ ବିବେକ ନାୟକ ଆହତ ହୋଇଥିଲେ । ସିପୁନ୍ ଓ ହରେକୃଷ୍ଣ ଏମାନଙ୍କ ସହଯୋଗୀ ଥିଲେ ବୋଲି ପୋଲିସ ଜାଣିପାରିଛି ।