ରାଜଧାନୀର ଗୃହପାଳିତ ପଶୁଙ୍କ କାନରେ ବିଏମସି ଲଗାଇବ ଟ୍ୟାଗ

ଭୁବନେଶ୍ୱର (ସମୃଦ୍ଧ ଓଡିଶା) :-  ରାଜଧାନୀର ରାଜ ରାସ୍ତା ଉପରେ ସବୁବେଳେ ନଜର ଆସିଥାନ୍ତି ଗାଇ ମଇଁଷି । ତେବେ ଏହି ଗାଇ ମଇଁଷି ପୋଷିଥିବା ମାଲିକ ମାନେ ଘରେ ଶୋଇ ବାହାରେ ଛାଡି ଦେଇଥାନ୍ତି । ଏଣୁ ଏହି ମାଲିକ ମାନଙ୍କ ପାଇଁ ବିଏମସି ଏକ ନୂଆ ନିୟମ କରିଛନ୍ତି । ତେବେ ଏଥର ସମସ୍ତ ଗୃହ ପାଳିତ ଗାଇ ଗୋରୁଙ୍କ କାନରେ ଟ୍ୟାଗ ଲଗାଯିବ । ଏହି ଟ୍ୟାଗ ମାଗଣାରେ ଲଗାଯିବ ବୋଲି ବିଏମସି ପକ୍ଷରୁ ପ୍ରକାଶ କରାଯାଇଛି । ପଶୁ ଚିକିତ୍ସାଳୟର କର୍ମଚାରୀ ମାନେ ଘର ଘର ବୁଲି ଟ୍ୟାଗ ଲଗାଇବେ । ଏହି ଟ୍ୟାଗରେ ମାଲିକଙ୍କ ମୋବାଇଲ ନମ୍ବର ଠାରୁ ଆରମ୍ଭ କରି ସବିଶେଷ ତଥ୍ୟ ରହିବ । କିନ୍ତୁ ରାସ୍ତାରେ ବୁଲୁଥିବା ଷଣ୍ଢ ମାନଙ୍କ କାନରେ ଟ୍ୟାଗ ଲାଗିବ ନାହିଁ । ତେବେ ଏହି ଷଣ୍ଢମାନଙ୍କୁ ଜାମୁକୋଳିରେ ଥିବା କାଞ୍ଜିଆ ହୁଦାରେ ରଖାଯିବ । ଏଠାରେ ୩୦୦ ଷଣ୍ଢ ରହିବାର ବ୍ୟବସ୍ଥା ଅଛି ।ରାସ୍ତାରେ ବୁଲୁଥିବା ଗାଇ ମଇଁଷି ମାନଙ୍କୁ ନେଇ ୟୂନିଟ-୩ରେ ଥିବା କାଞ୍ଜିଆ ହୁଦାରେ ରଖାଯିବ । ତେବେ ଯେଉଁ ଲୋକର ଗାଇ ହୋଇଥିବ ସେ ଲୋକ ୧୦୦୦ ଜୋରିମାନା ଦେବେ । ଯେତେ ଦିନ କାଞ୍ଜିଆ ହୁଦାରେ ରହିବ ଦିନକୁ ୧୦୦୦ ଟଙ୍କା ଲେଖାଏଁ ଫାଇନ ଲାଗୁହେବ । ଯଦି ୩ ଦିନ ଭିତରେ କେହି ନଆସିବେ ଏହି ଗାଇ ମଇଁଷିଙ୍କୁ ନିଲାମ କରାଯିବ । ଗୋରୁ କାନରେ ଯଦି ଟ୍ୟାଗ ନଥିଲେ ୧୫୦୦ ଟଙ୍କା ଲେଖାଏଁ ଜୋରିମାନା ଲାଗୁହେବ । ରାଜଧାନୀରେ ଯେପରି ଏହି ଗୃହ ପାଳିତ ପଶୁମାନେ ରାସ୍ତାରେ ନ ବୁଲିବେ ସେଥିପାଇଁ ବିଏମସି ଏଭଳି ନିଷ୍ପତି ନେଇଥିବା କହିଛନ୍ତି ବିଏମସିର ଡେପୁଟି କମିଶନର ଶୁଭ୍ରାଂଶୁ ମିଶ୍ର ।

ରିପୋର୍ଟ:ଆକାଶ ମିଶ୍ର