ରାଜ୍ୟପାଳଙ୍କ ଦ୍ୱାରା ଭୁବନେଶ୍ୱରରେ ସ୍ୱଦେଶୀ ମେଳା ଉଦଘାଟିତ

ଭୁବନେଶ୍ୱର(ଆକାଶ ମିଶ୍ର) – ଆମେ ମାନବତାର ପୁଜାରୀ,କେବଳ ଭାରତର ପୁଜାରୀ ନୁହେଁ । ସାରା ବିଶ୍ୱର ପୁଜାରୀ ।  ବିଦେଶୀ ଜିନିଷକୁ ବ୍ୟବହାର କରି ଅନ୍ୟମାନଙ୍କୁ ଲାଭ ଦେବା ପରିବର୍ତ୍ତେ  ନିଜ ଦେଶର ସାମଗ୍ରୀକୁ ବ୍ୟବହାର କରି ଦେଶକୁ ପ୍ରଗତୀ ପଥରେ ଆଗେଇ ନେବା ବୁଦ୍ଧିମାନର କାମ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲା ପ୍ରକାଶ କରିଛନ୍ତି । ଭାରତୀୟ ବିପଣନ କେନ୍ଦ୍ର (ସିବିଏମଡି ) ଓ ସ୍ୱଦେଶୀ ଜାଗରଣ ମଂଚ, ଓଡିଶାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ସ୍ୱଦେଶୀ ମେଳାକୁ ମୁଖ୍ୟ ଅତିଥି ରୂପେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉଦ୍ଘାଟନ କରି ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ,ଆମେ କୌଣସି ଦେଶକୁ ଯାଇ ଆମ ଦେଶର ସୀମା ବଢାଇବା ପାଇଁ କେବେ ଚିନ୍ତା କରିନାହୁଁ । ଆମେ ଆମର ଏହି ଜନ୍ମଭୂମୀକୁ ସ୍ୱର୍ଗଠାରୁ ମହାନ ବୋଲି ଭାବିଛୁ । ଯୋଗ କୌଣସି ପ୍ରାଣାୟାମ ନୁହେଁ, କୌଣସି ବ୍ୟାୟାମ ମଧ୍ୟ ନୁହେଁ । ଏହା ଆତ୍ମା ଓ ପରମାତ୍ମାକୁ ଯୋଡିବାର ମାଧ୍ୟମ । ଯାହାକୁ ସମଗ୍ର ବିଶ୍ୱ ଏବେ ଗ୍ରହଣ କରିଛି । ନିଜର ପାରମ୍ପରିକ ଭାବନାକୁ ବଂଚାଇ ରଖି ଇସ୍ରାଏଲ ପ୍ରମୁଖ ବିକଶିତ ରାଷ୍ଟ୍ରର ମର୍ଯ୍ୟାଦା ପାଇଛି । ସ୍ୱଦେଶୀ ମାଧ୍ୟମରେ ସାରା ବିଶ୍ୱକୁ ଯୋଡିହେବ । ସ୍ୱଦେଶୀଭାବ ଆମ ପରିଚୟ । ସ୍ୱଦେଶୀ ଭାବର ଆଦର ଦିନକୁ ଦିନ ବୃଦ୍ଧି ପାଉଛି । ଏହି ସ୍ୱଦେଶୀ ମାଧ୍ୟମରେ ଆମେ ସାରା ବିଶ୍ୱକୁ ଆପଣେଇବାକୁ ଚାହୁଁଛୁ । ସାରା ବିଶ୍ୱବାସୀଙ୍କୁ ଏକାଠୀ କରିବାକୁ ଚାହୁଁଛୁ । ସାରା ବିଶ୍ୱରେ ମାନବତାର ସୁଗନ୍ଧ ଆମେ ଭରି ଦେବାକୁ ଚାହୁଁଛୁ । ଏହା ହେଉଛି ସ୍ୱଦେଶୀ । ଆପଣମାନେ ହେଉଛନ୍ତି ଏହାର ପ୍ରଥ ପ୍ରଦର୍ଶକ । ମେଳାର ଅଧ୍ୟକ୍ଷ ଇଂ. ଅଭୟ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱଦେଶୀ ମେଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର  ଅତିଥି ରୂପେ ଯୋଗ ଦେଇ କହିଲେ ଯେ,ଏହି ମେଳାର ଉଦ୍ଧେଶ୍ୟ ନିଶ୍ଚିତ ଭାବେ ଭାରତୀୟ ଅର୍ଥନୀତିକୁ ପରିପୁଷ୍ଠ କରିବ । ତାହାର କାରଣ ହେଉଛି ଏହି ମେଳାରେ ଯେଉଁ ଷ୍ଟଲଗୁଡିକ ଲାଗିଛି ସେଗୁଡିକ ଆମ ରାଜ୍ୟ ଓ ଦେଶର ।  ସେମାନେ ନିଜସ୍ୱ ପ୍ରସ୍ତୁତ ସାମଗ୍ରିକୁ କ୍ରୟ ବିକ୍ରୟ କରୁଛନ୍ତି । ଏହାଦ୍ୱାରା ଆମ ରାଜ୍ୟର ଓ ଦେଶର ଆର୍ଥôକ ସ୍ଥିତିର ବିକଶିତ ହେବ । ସ୍ଥାନୀୟ ଲୋକମାନେ ସଠିକ୍ ଦରରେ ଭଲ ସାମଗ୍ରୀ ପାଇପାରିବେ ଏବଂ ଏଠାରେ ଭାବର ଆଦାନ ପ୍ରଦାନ ମଧ୍ୟ ହେବ । ଏହି ମେଳା ମାଧ୍ୟମରେ ସ୍ୱରୋଜଗାର ମାଧ୍ୟମ ମିଳି ପାରିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତାରୂପେ ସ୍ୱଦେଶୀ ଜାଗରଣ ମଂଚ ରାଷ୍ଟ୍ରୀୟ ସଂଘର୍ଷ ବାହୀନି ପ୍ରମୁଖ ଅନ୍ନଦା ଶଂଙ୍କର ପାଣିଗ୍ରାଣୀ କହିଲେ ଯେ, ସ୍ୱଦେଶୀ ମେଳା ହେଉଛି ମେଡ୍ ବାଇ ଇଣ୍ଡିଆର ପ୍ରତୀକ । ମେଡ୍ ଇନ୍  ଇଣ୍ଡିଆର ପ୍ରତୀକ ନୁହେଁ । ଭାରତୀୟମାନଙ୍କ ଦ୍ୱାରା ତିଆରି ବସ୍ତୁ ହିଁ ଏଠାରେ ପ୍ରଦର୍ଶିତ ହେଉଛି । ଯେଉଁଥିରେ ଦେଶର ରୋଜଗାର ନିର୍ମାଣ ହେବ । ପ୍ରତିବର୍ଷ ଦେଶ ପାଇଁ ୮୦ ଲକ୍ଷ ରୋଜଗାର ଆବଶ୍ୟକ ଅଛି ।  ଯଦି ୮୦ ଲକ୍ଷ ରୋଜଗାର ଆବଶ୍ୟକ ଅଛି ତେବେ ସେଥିପାଇଁ ଦେଶର ମ୍ୟାନୁଫକଚରିଂ ସେକ୍ଟରକୁ ବଦଳାଇବା ଆବଶ୍ୟକ । ସେହି ମ୍ୟାନୁଫକଚରିଂ ସେକ୍ଟର ଭାରତୀୟଙ୍କ ଦ୍ୱାରା ତିଆରି ହେଉ । ଭାରତୀୟମାନଙ୍କ ପୁଞ୍ଜିରେ ହିଁ ହେଉ । ଯାହା ଫଳରେ ଦେଶର ପଇସା ଦେଶରେ ରହିଯିବ । ଏଠି ମ୍ୟାନୁଫକଚରିଂ ହବ୍ ହୋଇ ବିଦେଶକୁ ଟଙ୍କା ନଯାଉ । ତାର ପ୍ରୟାସ ହେଉଛି ସ୍ୱଦେଶୀ ଜାଗରଣ ମଂଚ । ଗାନ୍ଧୀଜୀ, ଦୀନଦୟାଲ ଉପାଧ୍ୟାୟ, ଦନ୍ତପନ୍ଥ ଠେଙ୍ଗୀଡି ଆଦି ମହାନ ଚିନ୍ତାନୟକଙ୍କର ଅର୍ଥରେ ସ୍ୱଦେଶୀ ହେଉଛି ଅନ୍ତିମ ବ୍ୟକ୍ତିର ବିକାଶ । ବିକାଶ କିପରି ଅନ୍ତିମ ବ୍ୟକ୍ତି ପାଖରେ ପହଁଚିବ ତାହା ହେଉଛି ସ୍ୱଦେଶୀ । ଦେଶର ତିଆରି ସାମଗ୍ରୀକୁ ବଜାରରେ ପହଁଚାଇବା କାମ ସ୍ୱଦେଶୀ ମେଳା କରୁଛି । ଯାହା ଫଳରେ ଏଦେଶର ପୁଞ୍ଜି, ଏ ଦେଶର ସାମଗ୍ରୀ ଏ ଦେଶର ବିକାଶରେ ଲାଗିବ । ଏ ଦେଶର ଲୋକଙ୍କ ହାତକୁ କାମ ଆସିବ । ଫଳରେ ରୋଜଗାର ମିଳିବ । ଯାହାଦ୍ୱାରା ଅନ୍ତିମ ବ୍ୟକ୍ତିର ବିକାଶ ହୋଇ ପାରିବ । ଅନ୍ତିମ ବ୍ୟକ୍ତିର ବିକାଶ ହେଲେ ଦେଶର ବିକାଶ ସମ୍ଭବ ହୋଇପାରିବ । ତେଣୁ ସ୍ୱଦେଶୀ ଜାଗରଣ ମଂଚ ୧୯୯୧ ମସିହା ଠାରୁ ଏହି କାମରେ ଲାଗିଛି ବୋଲି ଶ୍ରୀ ପାଣିଗ୍ରାହି ପ୍ରକାଶ କରିଥିଲେ ।ମେଳାର ଆବାହକ ଶିଶିର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ,ରାଜ୍ୟ ସଂଗଠନ ମନ୍ତ୍ରୀ ନିର୍ମଳ ଚନ୍ଦ୍ର ଷଡଙ୍ଗୀ, ନଗର ସଂଯୋଜକ ବିଜୟ ରାଉତ୍ ରାୟ ପ୍ରମୁଖ ମଂଚାସୀନ ଥିବା ବେଳେ ପ୍ରଫେସର ପଂଚାନନ ମହାନ୍ତିଙ୍କ ଏକ ପୁସ୍ତକ ମଂଚାସୀନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା ।  ପଟିଆ ଗ୍ରାମ୍ୟମଙ୍ଗଳ ସମିତିର ସଭାପତି ସନ୍ତୋଷ କୁମାର ମହାନ୍ତି, ରସୁଲଗଡ ଦୁର୍ଗାପୂଜା କମିଟିର ସଭାପତି ଓ ସଂପାଦକ ତଥା ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏହି ମଂଚରେ ସମ୍ମାନୀତ କରାଯାଇଥିଲା । ମେଳାରେ ପ୍ରାୟ ୮୦ରୁ ଉଦ୍ଧ୍ୱର୍ ଷ୍ଟଲ ଲାଗିଥିବା ବେଳେ ରାଜ୍ୟପାଳ ଏହି ସବୁ ଷ୍ଟଲ ଗୁଡିକ ବୁଲି ଦେଖିଥିଲେ ।ଏହି ମେଳା  ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ପଟିଆ ସ୍ଥିତ କ୍ଳବ୍ ଟାଉନ୍ ପଡିଆରେ ଅନୁଷ୍ଠିତ ହେଉଅଛି । ଏହି ମେଳାରେ ଦେଶର ସବୁଠାରୁ ବଡ ସ୍ୱଦେଶୀ ଉତ୍ପାଦନ ଓ ବିକ୍ରୟ ହେଉଅଛି । ମେଳାରେ ସାରା ଭାରତରୁ ବଛା ବଛା କମ୍ପାନୀ ଓ ସଂସ୍ଥାମାନେ ଯୋଗ ଦେଇଛନ୍ତି । ଏହି ମେଳାରେ ଗୃହ ଉପକରଣ, ଖାଉଟୀ ସାମଗ୍ରୀ, ଶୈକ୍ଷିକ ସାମଗ୍ରୀ, ସ୍ୱଦେଶୀ ଯନ୍ତ୍ରପାତି, ଖାଦ୍ୟ ସାମଗ୍ରୀ ଆଦିର ବହୁଳ ପ୍ରଦର୍ଶନ ଓ ବିକ୍ରୟ ହେଉଛି । ୧୦ ଦିନ ବ୍ୟାପୀ ଏହି ମେଳାରେ ସବୁ ସଂଧ୍ୟାରେ ରଙ୍ଗାରଙ୍ଗ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ସ୍କୁଲ ଓ କଲେଜ ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତ୍ୟହ ସଂଗୀତ, ନୃତ୍ୟ, ଚିତ୍ରାଙ୍କନ, ପ୍ରବନ୍ଧ, ରେଙ୍ଗାଲୀ, ଓ ସାଧାରଣ ଜ୍ଞାନ ପ୍ରତିଯୋଗୀତା ହୋଇ ପୁରସ୍କାର ବିତରଣ କରାଯିବ । ଶେଷ ଦିନରେ ଏକ ଚିତାର୍କଷକ ସ୍ୱଦେଶୀ ସନ୍ଦେଶ ଯାତ୍ରା ସହର ପରିକ୍ରମା କରାଯିବ । ଭୂବନେଶ୍ୱର ପଟିଆ ଅଂଚଳରେ ପ୍ରଥମଥର ପାଇଁ ସ୍ୱଦେଶୀ ମେଳା ଆୟୋଜନ ହେଉଥିବାରୁ ସ୍ଥାନୀୟ ଅଂଚଳର ବାସିନ୍ଦାମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି ।