ଛତ୍ରପୁର(ସମୃଦ୍ଧ ଓଡିଶା)୭୦ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗଞ୍ଜାମ ପୋଲିସ ଜିଲ୍ଲାର ଜୈନେକ କନଷ୍ଟେବଳ ସୋମନାଥ ସ୍ୱାଇଁଙ୍କୁ ଭୁବନେଶ୍ୱରରେ ସମ୍ମାନିତ କରିଛନ୍ତି । ଶ୍ରୀ ସ୍ୱାଇଁ ୨୦୦୨ ମସିହାରେ ଓଡ଼ିଶା ପୋଲିସରେ କନଷ୍ଟେବଳ ଭାବେ ଯୋଗଦେଇଥିଲେ । ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକାଳ ମଧ୍ୟରେ ଉପରିସ୍ଥ ଅଧିକାରୀମାନଙ୍କୁ ରାଜପଥ ରାହାଜାନି ଓ ସମ୍ପତି ହଡ଼ପ ଇତ୍ୟାଦି ମାମଲାରେ ସମୟୋପଯୋଗୀ ସହାୟତା ପ୍ରଦାନ କରି ଉଚ୍ଚକୋଟୀର ଦାୟିତ୍ୱବୋଧ ତଥା କର୍ତବ୍ୟ ନିଷ୍ଠାର ସହ କାର୍ଯ୍ୟ କରି ନିଜର ଉତ୍ତମ ପରିଚୟ ଦେଇଥିଲେ । ତାଙ୍କର ବୃତିଗତ ଦକ୍ଷତା ପାଇଁ ସେ ୨୦୧୩ ମସିହାରେ ଶ୍ରେଷ୍ଠ ଓ. ଆର. କନଷ୍ଟେବଳ ଓ ୨୦୧୪ ମସିହାରେ ଡି.ଜି.ପି ଡ଼ିସ୍କରେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ବର୍ତମାନ ଶ୍ରୀ ସ୍ୱାଇଁ କନଷ୍ଟେବଳ ଭାବେ ଗଞ୍ଜାମ ଜିଲ୍ଲାର ସାଇବର ଅପରାଧ ଶାଖାରେ କୃତିତ୍ୱର ସହ କାର୍ଯ୍ୟରତ ଅଛନ୍ତି । ଶ୍ରୀ ସ୍ୱାଇଁଙ୍କର କାର୍ଯ୍ୟଦକ୍ଷତା, କର୍ତବ୍ୟନିଷ୍ଠା ଓ ସାଧୁତାର ସ୍ୱୀକୃତି ସ୍ୱରୂପ ଓଡ଼ିଶା ସରକାର ତାଙ୍କୁ ୨୦୧୮ମସିହା ନିମନ୍ତେ ରାଜ୍ୟପାଳ ପଦକରେ ସମ୍ମାନିତ କରିଛନ୍ତି । ଏହା ସହ ଶ୍ରୀ ସ୍ୱାଇଁଙ୍କୁ ଦକ୍ଷିଣାଂଚଳ ଡ଼ିଆଇଜି ଆଶିଷ କୁମାର ସିଂ ଓ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଶୁଭେଚ୍ଛା ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା