ରାଜ୍ୟପାଳ ପୁରୁସ୍କାର ପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ରଣାଙ୍କ ପରଲୋକରେ ଶୋକର ଛାୟା…

ଜଳେଶ୍ୱର(ସମୃଦ୍ଧ ଓଡିଶା)ଜଳେଶ୍ୱର ଅଂଚଳର ବିଶିଷ୍ଟ ଶିକ୍ଷାବିତ୍ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ରଣାଙ୍କର ୯୨ ବର୍ଷ ବୟସରେ ଜଳେଶ୍ୱର ସ୍ଥିତ ବାସଭବନରେ ଦିବା ଘ.୧୨.୩୦ମି. ସମୟରେ ପରଲୋକ ହୋଇଛି । ୧୯୫୨ ମସିହାରେ ନିଳଗିରିର କେସି ହାଇସ୍କୁଲ ଶିକ୍ଷକତା ଆରମ୍ଭ କରି ୩୪ ବର୍ଷ ପରେ ୧୯୮୬ ଅକେ୍ାଟବର ୩୧ରେ ଅବସର ନେଇଥିଲେ । ନୀଳଗିରି ପରେ କରଞ୍ଜିଆ ହାଇସ୍କୁଲ, ରାଇରଙ୍ଗପୁର ହାଇସ୍କୁଲ ଓ ବାରିପଦାର ଏମ.କେ.ସି ହାଇସ୍କୁଲରେ ଶିକ୍ଷକତା କାଳରେ ସେ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଦୀନକୃଷ୍ଣ ସ୍ମୃତି ପରିଷଦର ରାଜ୍ୟ ସ୍ତରୀୟ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା । ସେ ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପୋ ଗ୍ରାମର ବିଶିଷ୍ଟ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଗୁରୁ ଲାଲମୋହନ ରଣା ଓ ମୋଖଦା ରଣାଙ୍କ ଜ୍ୟେଷ୍ଠପୁତ୍ର ଥିଲେ । ଚାକିରୀରୁ ଅବସରପରେ ସେ ଜଳେଶ୍ୱରରେ ଅବସ୍ଥାନ କରି ଆସୁଥିଲେ । ତାଙ୍କ ଶିକ୍ଷକତା କାଳରେ ବହୁ ଛାତ୍ରଙ୍କୁ ଉଚ୍ଚ ଶିକ୍ଷିତ କରାଇବାରେ ସହାୟକ ହୋଇଥିଲେ ଯେଉଁମାନେ ଆଜି ବିଭିନ୍ନ ସ୍ଥାନରେ ଉଚ୍ଚ ପଦପଦବୀରେ ରହିଛନ୍ତି । ଗତ କିଛିଦିନ ଧରି ସେ ବାର୍ଦ୍ଧକ୍ୟ ରୋଗରେ ପିଡିତ ଥିଲେ । ଆଜି ମୁୃତ୍ୟୁ ସମୟରେ ତାଙ୍କ ଜ୍ୟେଷ୍ଠପୁତ୍ର ସାମ୍ବାଦିକ ସୁକୁମାର ରଣା ପୁତ୍ରବଧୁୁ ବିଜେଡି ର ରାଜ୍ୟ ମହିଳା ସଂପାଦିକା ଆରତୀ ଦାସ, କନିଷ୍ଠ ପୁତ୍ର ରୋଟାରିଆନ୍ ସୁବ୍ରତ ରଣା, ପୁତ୍ରବଧୁ ଇନର୍ହୁଇଲ୍ର ସଭାନେତ୍ରୀ ଜୟନ୍ତୀ କାମିଳା, ସ୍ତ୍ରୀ ସୁପ୍ରଭା ରଣା ଓ ନାତି ନାତୁଣୀମାନେ ଉପସ୍ଥିତ ଥିଲେ ।ତାଙ୍କ ମୃତ୍ୟ ପରେ ଦୀନକୃଷ୍ଣ ସ୍ମୃତିପରିଷଦର ପ୍ରତିଷ୍ଠାତା ସଂପାଦିକା ବିପିନ ବିହାରି ବିଶ୍ବାଳ, ଦିଗମ୍ବରୀଦେବୀ ଗ୍ରୁପ ଅଫ ଇନିଷ୍ଟିଚ୍ୟୁଟ୍ର ପ୍ରତିଷ୍ଠାତା ଅଜିତ୍ କୁମାର ମହାନ୍ତି, ସଂପାଦିକା ମଧୁଛନ୍ଦା ମହାନ୍ତି, ଇଂ ହୃଷିକେଶ ସାହୁ ଓ ଜଳେଶ୍ୱରର ବିଭିନ୍ନ ବର୍ଗ ଓ ଗୋଷ୍ଠିର ଜନସାଧାରଣ ତାଙ୍କର ଶେଷ ଦର୍ଶନ କରିଥିଲେ । ସୁବର୍ଣ୍ଣରେଖା ନଦୀ କୂଳରେ ତାଙ୍କର ଶେଷ କୃତ୍ୟ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ମୁଖାଗ୍ନି ଦେଇଥିଲେ । ପ୍ରକାଶ ଯୋଗ୍ୟ ତାଙ୍କର ସାନଭାଇ ରମେଶ କୁମାର ରଣା ଦୀର୍ଘବର୍ଷ ଖଡଗପୁରସ୍ଥିତ ଓଡିଆ ବିଦ୍ୟାପୀଠରେ ଶିକ୍ଷକତା କରିଆସିଥିବା ବେଳେ ଗତବର୍ଷ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଜି ଜଳେଶ୍ୱର ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା