ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ଉପରମୁହାଁ ପାରଦ ହୋଇଥିବାରୁ ଆଜି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ଆରମ୍ଭ ହୋଇଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତି ଯୋଗୁଁ ଆଜି ବିଜୁଳି ଓ ଘଡ଼ଘଡ଼ି ସହ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଥିବା ଜଣାପଡିଛି । କାଳବୈଶାଖୀ ସତ୍ତ୍ୱେ ଆଗାମୀ ଦିନରେ ଉପକୂଳ ଓଡ଼ିଶାରେ ତାତି କମି ୪୦ ଡିଗ୍ରୀ ସେଲସିୟସ୍ ତଳେ ରହିବ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି । ଶନିବାର ତଥା ଆଜି ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ଗଜପତି ଜିଲ୍ଲାରେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଯାଇଥିବା ଜଣାପଡିଛି । ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ସେହିପରି ଧୀବରମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି । ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୩୭ରୁ ୩୮ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ । ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ରହିବ । ଯାହା ବର୍ତ୍ତମାନ ସମୟରେ ୪୧ ଓ ୪୨ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବା କଥା, ସେଭଳି ରହିବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଥିବା ଜଣାଇଛନ୍ତି । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ୩୭ରୁ ୩୮ ଡିଗ୍ରୀ ସେଲସିୟସ୍ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଶୁକ୍ରବାର ରାଜ୍ୟର ୭ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ଅପରପକ୍ଷେ ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ୍ ସହ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ଅନୁଗୁଳ ଓ ବଲାଙ୍ଗୀରରେ ୪୧.୫ ଡିଗ୍ରୀ ସେଲସିୟସ୍, ତାଳଚେରରେ ୪୧.୪ ଡିଗ୍ରୀ ସେଲସିୟସ୍, ଟିଟିଲାଗଡ଼ ଓ ବୌଦ୍ଧରେ ୪୧.୨ ଡିଗ୍ରୀ ସେଲସିୟସ୍ ଓ ମାଲକାନଗିରିରେ ୪୦ ଡିଗ୍ରୀ ସେଲସିୟସ୍ ସର୍ବୋଚ୍ଚ ତାପମାତ୍ରା ରହିଥିଲା । ଝାରସୁଗୁଡ଼ାରେ ସକାଳ ୮ଟା ୩୦ ସୁଦ୍ଧା ୬ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଥିବା ଜଣାଯାଇଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା