ଆପଣମାନେ କିରୋସିନି ଚାଳିତ ଫ୍ରିଜ ବା ରେଫ୍ରିଜେରେଟର ଦେଖିଛନ୍ତି,ପୁଣି କିରୋସିନି ଚାଳିତ ପଙ୍ଖା ବା ଫ୍ୟାନ୍ ଦେଖିଛନ୍ତି,ଏସବୁ ଦେଖି ପାରିବେ ଖୋର୍ଦ୍ଧା, ବୋଲଗଡ଼ରେ ସ୍ଥାପିତ ରାଜ୍ୟର ପ୍ରଥମ ଯାନ୍ତ୍ରୀକ ସଂଗ୍ରହାଳୟରେ । ଏଇଭଳି ଫ୍ରିଜ୍ ପୁଣି ତିଆରି ହେଉ ଥିଲା ଆମ ରାଜ୍ୟ ଓଡ଼ିଶାରେ, ସ୍ବର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ଥାପିତ କଳିଙ୍ଗ ରେଫ୍ରିଜେରେଟରରେ । ଏମିତି ଆହୁରିକେତେ ବିଚିତ୍ର,ଅଦ୍ଭୁତ,ଅବିଶ୍ଵାସ୍ୟ ଜିନିଷ ଯେ ସେଠା ରେ ଅଛି,ଯଦି ଦେଖିବାକୁଚାହାଁନ୍ତି, ଥରେ ଚାଲନ୍ତୁ ନାଁ ବୋଲଗଡ଼ !ରାଜଧାନୀରୁବଲାଙ୍ଗୀର ଜାତୀୟ ରାଜପଥରେ ନୟାଗଡ଼ପଟେ ଗଲେ ଖୋର୍ଦ୍ଧାଠୁ ୪୦କିମିପରେ ଖୋର୍ଦ୍ଧା,ବଲାଙ୍ଗୀର ରେଳପଥ ଯୋଉଠି ଜାତୀୟ ରାଜପଥ ୫୭କୁ ଛେଦ କରୁଛି ତା’ର ୧୦୦ ମିଟର ପୂର୍ବରୁ ଆରମ୍ଭ ବୋଲଗଡ଼ ଏକ ଛୋଟ ସହର ଯୋଉଠି ପ୍ରାୟ ସବୁ ସାଧାରଣ ଅଫିସ୍ ଅଛି। ଏଇଠି ରହିଛି ରାଜ୍ୟର ୧ମ ତଥା ଦେଶର ୩ୟ ଯାନ୍ତ୍ରୀକ(ମେକାନିକାଲ)ସଂଗ୍ରହାଳୟ ଯାହାର ପ୍ରତିଷ୍ଠାତା ହେଲେ ଜଣେ ଇଞ୍ଜିନିୟର, ରାଜନେତା, ସମାଜସେବୀ, ସଂଗଠକ ତଥା ସଂଗ୍ରାହକ ଶ୍ରୀ ଅକ୍ଷୟ ପଟ୍ଟନାୟକ(୮୫)। କେତେ ବର୍ଷହେଲା ଫେବୃଆରୀ ମାସରେ ଭୁବନେଶ୍ୱରରେ ‘ଆଉଟରିଚ୍’ପକ୍ଷରୁ ହେଉଥିବା”ରେଡ଼ିଓ ମେଳା”ର ଜଣେ ନିୟମିତ ଅଂଶଗ୍ରହଣକାରୀ ଥିଲେ ଏଇ ବର୍ଷୀୟାନ ସଗ୍ରାହକ,ମାତ୍ର ଚଳିତବର୍ଷ ସେଇସମୟରେ,୦୯-୦୨-୨୦୨୪ରେ ତାଙ୍କର ପତ୍ନୀ(ମୋର ଖୁଡି)ବିୟୋଗ ହେତୁ ସିଏ ଅନୁପସ୍ଥିତ ଥିଲେ,ଯିଏ ପୂର୍ବରୁ ୨ଥର ଶ୍ରେଷ୍ଠ ସଂଗ୍ରାହକଭାବେ ସମ୍ମାନିତ ହୋଇଥିଲେ ସେଇ ରେଡ଼ିଓ ମେଳାରେ । ଅକ୍ଷୟ ପଟ୍ଟନାୟକଙ୍କର ସେଇ ଅନାମଧ୍ୟେୟ ସଂଗ୍ରହାଳୟରେ କ’ଣ ଅଛି ଜାଣନ୍ତି, ସେଠାରେ ଅଛି ୫୦୦ପ୍ରକାର ରେଡ଼ିଓ,୩୦ପ୍ରକାର ଟେଲିଫୋନ,୨୦କିସମର କ୍ୟାମେରା, ୧୫ପ୍ରକାରର ଫିଲ୍ମ ପ୍ରୋଜେକ୍ଟର,୧୦ପ୍ରକାର ଗ୍ରାମଫୋନ୍,ସ୍ବିଡେନ୍ ତିଆରି ଏକ କିରୋସିନି ଚାଳିତ ରେଫ୍ରିଜେରେଟର,ଶହେ ବର୍ଷ ପୁରୁଣା ୧୫ପ୍ରକାରର ଟେବୁଲ୍ ଘଣ୍ଟା,ଆମେରିକା, ଜର୍ମାନ,ଅଷ୍ଟ୍ରେଲିଆ ଓ ଭାରତ ତିଆରି ୧୦କିସମ ଲଣ୍ଠନ,୨୦ ପ୍ରକାରର ଓଜନ ଯନ୍ତ୍ର,ଏକ କୋଇଲା ଚାଳିତ ପ୍ରେସର କୁକର,ହସ୍ତ ଚାଳିତ କାଲକୁଲେଟର,୧୦ କିସମର ଚରଖା (ସୂତାକଟା ଅରଟ),ସ୍ପେନ ତିଆରି ଟାଇପ୍ ରାଇଟର,ଇଂଲଣ୍ଡ ତିଆରି ଏକ ସେରାମିକ୍ (ଚୀନା ମାଟି)ୱାଟରଫିଲଟର,କାଠର ଇଲେକ୍ଟ୍ରିକ୍ ସ୍ବୀଚ୍,ହୋଲଡର ଓଏକ ଗ୍ରାମୋଫୋନ ୧,୦୦୦ ନୋଟ୍,ପ୍ରାୟ ୪୫ ଦେଶର ୧୨୦୦ ମୁଦ୍ରା, ବିଭିନ୍ନପ୍ରକାର ବାଦ୍ୟଯନ୍ତ୍ର,୧୦୦ରୁ ଉର୍ଦ୍ଧ୍ବ ତାଳପତ୍ର ପୋଥି,୪୦୦ରୁ ଉର୍ଦ୍ଧ୍ୱ ବହି,ଅନେକ ଦୁର୍ଲଭ ଚିଠି ଓ ଦୁଷ୍ପ୍ରାପ୍ୟ ଫଟୋ,୨୦ ପ୍ରକାର ହାତଘଣ୍ଟା,୧୦ପ୍ରକାରର କାନ୍ଥ ଘଣ୍ଟା,୮୦ପ୍ରକାରର ତାଲା ଚାବି,୧୫ ରାଜ୍ୟର ମାଟିଦୀପ, ବିଭିନ୍ନପ୍ରକାର ପୌରାଣିକ ମୁଖା(ରାମାୟଣ),ଅନେକପ୍ରକାର ଶିକ୍ଷା ଉପକରଣ(ଗ୍ଲୋବଭଳି କୃଷି ଉପକରଣ,ରେଳବାଇ ସିଗ୍ନାଲ ଲଣ୍ଠନ,ଫାୟାର ସାଇରନ୍ ମେସିନ୍,ଦେଢ଼ଶହ ବର୍ଷ- ତଳେ ନିର୍ମିତ ତମ୍ବାର ଚଷମା,ଏସି/ଡିସିରେ ଚାଲୁଥିବା ଇଲେକ୍ଟ୍ରିକ୍ ପଙ୍ଖା,ଯାହାର ଓଜନ ୩୦କେଜି ଇତ୍ୟାଦି ।ସବୁଠୁ ବିରଳ ହେଲା ୧୮୯୭ର ଏକ ୨.୫ଟଙ୍କିଆ ମୁଦ୍ରା,ଆଉ ଏକ ବିଚିତ୍ର ଏକ ଟଙ୍କିଆ ତମ୍ବା ମୁଦ୍ରା ଯାହାର ଏକ ପାର୍ଶ୍ଵରେ ବ୍ରିଟିଶସମ୍ରାଟ ପଞ୍ଚମଜର୍ଜ ଓ ଅନ୍ୟ ପାର୍ଶ୍ଵରେ ଏକଘୁଷୁରୀର ଚିତ୍ରରହିଛି,ପରେ ସଂଖ୍ୟାଲଘୁଙ୍କ ଵିରୋଧପରେ ତା’ର ପ୍ରଚଳନ ବନ୍ଦ ହୋଇଯାଇଥିଲା ।୧୯୪୪ର ଏକ ଜାପାନୀ ମୁଦ୍ରା ଅଛି ଯୋଉଥିରେ ୟେନ୍(ଜାପାନୀ ମୁଦ୍ରାର ନାମ)ବଦଳରେ ‘ରୁପି’ ଲେଖାଯାଇଛି,ସମ୍ଭବତଃ ତତ୍କାଳୀନ ସମୟରେ ନେତାଜୀ ସୁବାଷ ବୋଷ ରେଙ୍ଗୁନପଟୁ ଭାରତମାଟିରେ ପାଦଦେଇସାରିଥିଲେ ଜାପାନ ସହାୟତାରେ ଓ ସେ ସମୟରେ ଆଜାଦ ହିନ୍ଦ୍ ବାହିନୀର ଭାରତୀୟ ସେନାକୁ ଦରମା ତାହା ଜରିଆରେ ଦିଆଯାଉଥାଇପାରେ।ପୁନଶ୍ଚ ବ୍ରିଟିଶ ଅମଳର ଓ ସ୍ବାଧୀନ ଭାରତର ପ୍ରଥମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସି.ଡି.ଦେଶମୁଖଙ୍କ ସ୍ବାକ୍ଷରସମ୍ବଳିତ ଏକ ଦଶଟଙ୍କିଆ ନୋଟ ଏଇସଂଗ୍ରହାଳୟର ବିରଳ ସଂଗ୍ରହ ମଧ୍ୟରୁ ଅନ୍ୟତମ । ଏଇ ସଂଗ୍ରହାଳୟଟିର ନାମ ମଧ୍ୟ କୌତହଳଦ୍ଦିପକ,”ଶ୍ରୀ ଘନଶ୍ୟାମ ପଟ୍ଟନାୟକ ପିଣ୍ଡିକଶ୍ରୀଚନ୍ଦନ ସଂଗ୍ରହାଳୟ”।ଏଥିରେ ବି ଏକ କାହାଣୀ ରହିଛି, ଘନଶ୍ୟାମ ପଟ୍ଟନାୟକ ହେଲେ ଅକ୍ଷୟ ପଟ୍ଟନାୟକଙ୍କର ଜେଜେ ଓ ସୌଭାଗ୍ୟକ୍ରମେ ମୋର(ଏହି ଲେଖକର)ବୃଦ୍ଧ ପ୍ରପିତାମହ ଓ ଅକ୍ଷୟ ପଟ୍ଟନାୟକ ହେଲେ ମୋର ଦାଦା ।ଏଵେ କାହାଣୀଟି ଶୁଣନ୍ତୁ,ଘନ- ଶ୍ୟାମ ଥିଲେ ତାଙ୍କ ସମୟର ଜଣେ ପ୍ରଚଣ୍ଡ ଜ୍ଞାନୀ,ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଯିଏ ଆୟୁର୍ବେଦ ଓ ଜ୍ୟୋତିଷ ବିଦ୍ୟାରେ ଵି ପାରଙ୍ଗମଥିଲେ।ଘନଶ୍ୟାମ ବ୍ୟାସଦେବକୃତ ଗରୁଡ ପୁରାଣର ଓଡ଼ିଆ ଅନୁଵାଦ କରିଥିଲେ ଓ କରଣ ପ୍ରଵନ୍ଧର ରଚୟିତା ।ପିଣ୍ଡିକଶ୍ରୀଚନ୍ଦନ ହେଉଛନ୍ତି ବୋଲଗଡ଼ ସନ୍ନିକଟ ସାନପଦର(ସ୍ୱର୍ଗୀୟ ବହୁଵାରର ବିଧାୟକ ଓ କମ୍ୟୁନିଷ୍ଟ ନେତା ଗଙ୍ଗାଧର ପାଇକରାୟଙ୍କ ଗାଁ)ଗ୍ରାମର ଜମିଦାର-ସାଆନ୍ତେ ଯିଏ ଘନଶ୍ୟାମ ପଟ୍ଟନାୟକଙ୍କ ଜେଜେ।ପ୍ରକୃତରେ ପିଣ୍ଡିକ ଶ୍ରୀଚନ୍ଦନ ସାଙ୍ଗିଆଟି ଘଟଣାକ୍ରମେ ତତ୍କାଳୀନ ଗଜପତି ରାମ- ଚନ୍ଦ୍ର ଦେବଙ୍କ ସମୟରେ ତାଙ୍କର ଦକ୍ଷିଣପଟ ସାମ୍ରାଜ୍ୟ ସମ୍ଭାଳୁଥିବା ଘୁମୁସର ରାଜବଂଶର ଜନୈକ ଦାୟାଦ ପୁରୀ ଶ୍ରୀକ୍ଷେତ୍ର ଦର୍ଶନ କରିବାକୁ ଆସିଥିବା ସମୟରେ ସାନପଦରରେ ଆଶ୍ରୟ ନେଇଥିଲେ ଓ ରହିଯାଇଥିଲେ ।ମୋର ବୃଦ୍ଧ ପ୍ରପିତାମହ(ଘନଶ୍ୟାମ)ଙ୍କ ଜେଜେ ସେଠା(ସାନପଦର)କୁ ପୋଷ୍ୟପୁତ୍ର ହୋଇଯାଇଥିଲେ,ସିଏ ଅନେକ କଥା ।ସେହି ପିଣ୍ଡିକ ଶ୍ରୀଚନ୍ଦନ ମଧ୍ୟ ଥିଲେ ଲେଖକ,ଯିଏ ରଚନା କରିଥିଲେ ବସନ୍ତ ରାସ ଓ ଶରତ ରାସ । ଏସବୁ ସଂଗ୍ରହ କରିବା ଅବସରରେ ଅକ୍ଷୟ ବାବୁଙ୍କର ରହିଛି ଅନେକ ତିକ୍ତ/ମଧୁର ଅନୁଭୂତି।ଏସବୁ ଦେଖିବାକୁ ଅନେକ ଆଡୁ ଆସିଛନ୍ତି ବହୁ ପର୍ଯ୍ୟଟକ,କେତେକ ବିଦେଶୀ/ବିଦେଶିନୀ ମଧ୍ୟ ଓ ତାଙ୍କ ସହିତ ଫଟୋ ଉଠାଇଛନ୍ତି ଓ ଅତିସୁନ୍ଦର ମନ୍ତବ୍ୟ ଦେଇଛନ୍ତି ତାଙ୍କର ଏହି ସାଧୁ ଉଦ୍ୟମ ସମ୍ବନ୍ଧରେ ।ଅନେକ ସମ୍ବାଦପତ୍ର ପ୍ରତିନିଧି ଓ ଟିଭି ଚାନେଲର ପ୍ରତିନିଧି ମଧ୍ୟ ଆସିଛନ୍ତି ଓ ଏ ସମ୍ବନ୍ଧୀୟ ସଚିତ୍ର/ରଙ୍ଗୀନ ବିବରଣୀ ଓ ସାକ୍ଷାତକାର ଛାପି ଛନ୍ତି ।ଏ ସମସ୍ତ ପଦାର୍ଥ ସଂଗ୍ରହ କରିବାରେ ଅକ୍ଷୟ ବାବୁ ତାଙ୍କ ଜୀବନର ପ୍ରାୟ ଚାରି ଦଶନ୍ଧି ଲଗାଇବା ସହ ଅଜସ୍ର ଅର୍ଥ ବ୍ୟୟ କରିଛନ୍ତି ଏ ଦିଗରେ ।ମାତ୍ର ଭାରତର ପ୍ରାୟ ଅନେକ ରାଜ୍ୟ ବୁଲି ଛନ୍ତି ସେଇ ବାହାନାରେ,କୋଉଠୁ କେତେ ଜିନିଷ ସଂଗ୍ରହ କରିଛନ୍ତି ।ଥରେ ଜଣେ ଘନିଷ୍ଠ ସଂପର୍କୀୟ ଗୋଟିଏ ପୁରୁଣା ଚେର୍ଭୋଲେଟ୍ କାର ତାଙ୍କୁ ଦେବେ ଦେଵେ କହି କବାଡିଆ ହାତରେ ଟେକି ଦେଲେ ସିନା ଦେଲେ ନାହିଁ,ତା’ ବଡ଼ ମର୍ମାନ୍ତିକ ପୀଡ଼ା ଥିଲା।ଅନେକ ରାଜ ଉଆସକୁ ଯାଇଛନ୍ତି ଏଇ ଉପଲକ୍ଷେ,କୋଉଠି ସଫଳତା ମିଳିଛି ଅଳ୍ପକରେ ତ କୋଉଠି ବହୁ ଚେଷ୍ଟା ସତ୍ତ୍ବେ ମିଳିଛି ବିଫଳତା।ପ୍ରଥମେ ନିଜ ଘରେ ଥିବା ପେଡ଼ି,ପେଟରା,ସିନ୍ଦୁକରେ ପୁରୁଣା ଜିନିଷ ଦେଖି ପୁରୁଣା ଜିନିଷ ସଂଗ୍ରହର ନିଶା ଘାରିଥିଲା,ତା’ପରେ ଆରମ୍ଭ ହେଲା ବୁଲି ବୁଲି ସଂଗ୍ରହ ।ଗୋଟେ ଗୋଟେ ଜିନିଷ ପାଇଁ ଜଣକ ପାଖକୁ ବାରମ୍ବାର,୫/୭ ଥର ଯିବାକୁ ପଡିଛି,ଏହା ଅତି କଷ୍ଟକର ଥିଲା ।ଏଥି ନିମନ୍ତେ,ବାଇଆ,ପାଗଳ,ମଗାଟେ,ଏମିତି ଅନେକ କଥା ଶୁଣିବାକୁ ପଡିଛି,ସବୁକୁ ଚନ୍ଦନ ଭଳି ବୋଳି ହୋଇଥିବାରୁ ଆଜି ସଫଳତା ପ୍ରାପ୍ତ ହୋଇଛନ୍ତି !କେମିତି ଏସଵୁ ନିଶାରେ ପରିଣତ ହେଲା ଶୁଣନ୍ତୁ । ୧୯୬୧ ମସିହାରେ ଝାରସୁଗୁଡ଼ାରୁ ଇଞ୍ଜିନିୟରିଂ ଡିପ୍ଲୋମା ଶେଷକରି’ସେଲ’ରେ କିଛିଦିନ ରହିବାପରେ ହଦଗଡ଼ ଡ଼୍ୟାମରେ ଯୋଗ ଦେଇଥିଲେ ।୩ଵର୍ଷର ଚାକିରୀ ଛାଡି ଅନ୍ୟ କିଛିର ସନ୍ଧାନରେ ଚେନ୍ନାଇ (ତତ୍କାଳୀନ ମାଡ୍ରାସ) ଚାଲିଯାଇଥିଲେ।ସେଠାରୁ ନିରାଶ ହୋଇ ଫେରିବାପରେ ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ ଆରମ୍ଭ କରିଥିଲେ ଭାଗୁଆଳିରେ। ସାଥିଙ୍କ ଦ୍ଵାରା ପ୍ରତାରିତ ହୋଇ ବୋଲଗଡ଼ ଫେରିଥିଲେ,୧୯୭୫ରେ ଅପ୍ରତିଦ୍ଵନ୍ଦୀଭାଵେ ବୋଲଗଡ଼ ସରପଞ୍ଚ ଓ ୧୯୮୪ରେ ନିର୍ବାଚିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ହୋଇଥିଲେ ଅକ୍ଷୟ ସେଇଠୁ ଆରମ୍ଭ ହୋଇଥିଲା ଏଇ ପୁରୁଣା, ଦୁର୍ଲଭ, ଦୁଷ୍ପ୍ରାପ୍ୟ ଜିନିଷ ସଂଗ୍ରହର ନିଶା, ଯାହାକୁ ରାଜନୀତିର ପଥ ହିଁ ସୁଲଭ,ସୁଗମ ଓ ସରଳ କରିଦେଇଥିଲା ।ମାତ୍ର ଚେନ୍ନାଇରେ ୪ ବର୍ଷ ରହି ସବୁ ସଂଗ୍ରହାଳୟ ବୁଲିବାରେ ଏ ନିଶା ଦାନା ବାନ୍ଧିଥିଲା ତାଙ୍କ ମନର ଅଭ୍ୟନ୍ତରରେ ! ଗାଁରେ ରହି ରାଜନୀତି ସହିତ ଜଳ ଓ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ମନ ବଳାଇ ଥିଲେ ଅକ୍ଷୟ ବାବୁ । ସାରା ପଞ୍ଚାୟତରେ ବୁଲି ବୁଲି ଲକ୍ଷେରୁ ଉର୍ଦ୍ଧ୍ଵ ଆମ୍ବଚାରା ରୋପଣ କରିଥିଲେ ଏଥିପାଇଁ ସେ ‘ପ୍ରକୃତିବନ୍ଧୁ’ଭାବେ ପୁରସ୍କୃତ ହୋଇଥିଲେ ।ବୋଲଗଡ଼ ଅଞ୍ଚଳରେ କୌଣସି ନଦୀ,ନାଳ ନଥିବାରୁ ଫସଲ ପାଇଁ ସବୁଵେଳେ ବର୍ଷାଜଳ ଉପରେ ନିର୍ଭର କରିବାକୁ ପଡ଼େ ୧୯୯୭ରେ ୩,୦୦୦ କୃଷକଙ୍କର ଏକ ବିଶାଳ ସାଇକଲ ଶୋଭାଯାତ୍ରାର ନେତୃତ୍ଵ ନେଇ ଭୁବନେଶ୍ଵରରେ ରାଜ୍ୟପାଳଙ୍କୁ ସ୍ଥାନୀୟ ଜଳକଷ୍ଟର ନିବାରଣ ନିମନ୍ତେ ଅଭିଯୋଗ କରି- ଥିଲେ ଶ୍ରୀ ଅକ୍ଷୟ ପଟ୍ଟନାୟକ,ଏଥିପାଇଁ ଲୋକମୁଖରେ ସେ ପାଲଟିଯାଇଥିଲେ”ଜଳଦୂତ” ବା ୱାଟର ଆମ୍ବାସ୍ୟାଡର । ଆଉ ଏକ କଥା,ଦଶପଲ୍ଲା ନିକଟସ୍ଥ ଉଦୟପୁରରେ ସ୍ବର୍ଗତ ଦାସିଆ ଅଜା ବା ଦାଶରଥି ପଟ୍ଟନାୟକ(ଦଶ ପଇସିଆ ରାଜା)ପ୍ରତିଷ୍ଠା କରିଥିବା ଦାଶରଥି ସଂଗ୍ରହାଳୟ ଓ ପୁସ୍ତକାଗାର” ହିଁ ଥିଲା ତାଙ୍କ ପାଇଁ ପ୍ରେରଣାର ଉତ୍ସ । ସେଇଥିରୁ ପ୍ରେରିତ ହୋଇ ୧୯୮୮ ମସିହାରେ ସମ୍ପୂର୍ଣ୍ଣ ନିଜସ୍ବ ଉଦ୍ୟମରେ ସେ ପ୍ରତିଷ୍ଠା କରିଥିଲେ ଏହି ଅନନ୍ୟ “ଘନଶ୍ୟାମ ପଟ୍ଟନାୟକ,ପିଣ୍ଡିକଶ୍ରୀଚନ୍ଦନ ସଂଗ୍ରହାଳୟ”, ଯାହା ୨୦୦୮ମସିହାରେ “NIF-National Innovation Foundation ବା ଜାତୀୟ ଉଦ୍ଭାବନ ସଂସ୍ଥା”ର ନିର୍ବାହୀ ଉପ ସଭାପତି ଓ IIM-Indian Institute of Management ବା ଭାରତୀୟ ପରିଚାଳନା ପ୍ରତିଷ୍ଠାନର ପ୍ରଫେସର ଅନିଲ ଗୁପ୍ତାଙ୍କଠାରୁ “ସୃଷ୍ଟି ସମ୍ମାନ”ଲାଭ କରିବାପରେ ସଂଗ୍ରହାଳୟଟି ବାହାରର ଦୃଷ୍ଟି ଗୋଚରକୁ ଆସିଲା । ଗୋଟିଏ କଥା ଜାଣନ୍ତି, ମିଷ୍ଟଭାଷୀ, ପ୍ରଗଳଭ୍, ନିରଳସ,୮୫ ବର୍ଷରେ ମଧ୍ୟ କର୍ମଚଞ୍ଚଳ ଅକ୍ଷୟ ବାବୁ କିନ୍ତୁ ଯଦି କେଵେ ଆପଣଙ୍କୁ ଦର୍ଶକଭାବେ ପାଆନ୍ତି,ତେବେ ସମ୍ପୂର୍ଣ୍ଣ ସଂଗ୍ରହାଳୟ ନବୁଲାଇ ଛାଡ଼ିବେ ନାହିଁ ।ଏଇ କଥା ମଧ୍ୟ ପ୍ରକାଶ କରିଛନ୍ତି ସମ୍ବାଦ, ପ୍ରଗତିବାଦୀ, ସୋପାନ(ଚେନ୍ନାଇରୁ ପ୍ରକାଶିତ ଓଡ଼ିଆ ପତ୍ରିକା) ପାୟୋନିଅର,ଟେଲିଗ୍ରାଫ୍,ଉଦୟ(ଇଂରାଜୀ ପତ୍ରିକା) ଓ ଅନେକ ଟିଭି ଚ୍ୟାନେଲ । ଏଇ ସଂଗ୍ରହାଳୟଟି ଆମ ଦେଶର ତୃତୀୟ ଯାନ୍ତ୍ରୀକ ବା ବିଜ୍ଞାନଭିତ୍ତିକ ସଂଗ୍ରହାଳୟ ବୋଲି କହନ୍ତି ଶ୍ରୀ ପଟ୍ଟନାୟକ,ମାତ୍ର ମୋ ମତରେ ବ୍ୟକ୍ତିଗତ ସ୍ତରରେ ପ୍ରତିଷ୍ଠିତ ଦେଶର ଏହା ପ୍ରଥମ ଯାନ୍ତ୍ରୀକ ବା ବିଜ୍ଞାନ ସଂଗ୍ରହାଳୟ।କାରଣ ପ୍ରଥମଟି ବେଙ୍ଗାଳୁରୁରେ ପ୍ରତିଷ୍ଠିତ ଏକ ବିତ୍ତଶାଳୀ ରାଜ୍ୟ ସରକାର, କର୍ଣ୍ଣାଟକର,ଦ୍ଵିତୀୟଟି କୋଲକାତାରେ ପ୍ରତିଷ୍ଠିତ ବି.ଏମ୍ ବିର୍ଲା ବିଜ୍ଞାନ ସଂଗ୍ରହାଳୟ,ବି.ଏମ୍,ବିର୍ଲା ଏକ ବିଶାଳ ଶିଳ୍ପ ପ୍ରତିଷ୍ଠାନ । ଏଇ ଅନୁଷ୍ଠାନଟିକୁ ବିରଳ,ବିଚିତ୍ର ତଥା ବିବିଧତାପୂର୍ଣ୍ଣ କରିବାରେ ଅକ୍ଷୟ ବାବୁ ତାଙ୍କ ଜୀବନର ପ୍ରାୟ ଚାରି ଦଶନ୍ଧି ବାଜିରେ ଲଗାଇ ଦେଇଛନ୍ତି ଓ ଏ ଦିଗରେ ଅଦ୍ୟାବଧି ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟ କରି ସାରିଛନ୍ତି ।ମାତ୍ର କିଛି ସରକାରୀ ପ୍ରୋତ୍ସାହନ ବା ପୃଷ୍ଠପୋଷକତା ନିମନ୍ତେ ରାଜ୍ୟର ଅନେକ ବିଭାଗରେ ଵହୁତ ଥର ଚକ୍କର ଲଗାଇଥିଲେ ମଧ୍ୟ ବିଫଳ ହୋଇଥିଲେ। କିନ୍ତୁ ଏଵେ ଏତେ ବର୍ଷପରେ ସଫଳତା ମିଳିଛି,ବୋଲଗଡ଼ରେ ଏକ ସରକାରୀ ଘର ମିଳିଛି ଏହି ସଂଗ୍ରହାଳୟର ସୁପରିଚାଳନା ସକାଶେ।ଆସନ୍ତା ୦୬-୦୩-୨୦୨୪, ବୁଧବାର, ଘନଶ୍ୟାମ ପଟ୍ଟନାୟକ,ପିଣ୍ଡିକଶ୍ରୀଚନ୍ଦନ ସଂଗ୍ରହାଳୟର ଶୁଭ ଉଦଘାଟନ ହେବ ଯାହା ଏହି ଅଞ୍ଚଳ ନିମନ୍ତେ ଏକ ଶୁଭ ଖବର ନିଶ୍ଚିତ। ସମସ୍ତଙ୍କର ଶୁଭକାମନା ମିଳିଲେ ଏଇ କ୍ଷୁଦ୍ର ଅନୁଷ୍ଠାନଟି ଯେ ଦିନେ ଏକ ବିଶାଳ ବଟବୃକ୍ଷରେ ପରିଣତ ହୋଇ ବୋଲଗଡ଼ ପାଇଁ ଗର୍ଵ ଓ ଗୌରଵ ଆଣିଦେବ ଏଥିରେ ଦ୍ଵିରୁକ୍ତି ନାହିଁ।କଳା ସାଆନ୍ତେ କରୁଣା କରନ୍ତୁ,ଏହି ସଂଗ୍ରହାଳୟଟିର ଉତ୍ତରୋତ୍ତର ଉନ୍ନତି ହେଉ,ବୋଲଗଡ଼ ମାଟି ଧନ୍ୟ ହେଉ,ଏଇ ମାଟିର ସନ୍ତାନଭାବେ ଏତିକି କାମନା ବିଭୁ ପାଦରେ। ଲେଖକ -ଜୟନ୍ତ ପଟ୍ଟନାୟକ ୯୦୯୦୧ ୯୦୦୬୯