ରାଜ୍ୟସରକାରଙ୍କ ନିଷ୍ପତି ଅସାମ୍ବିଧାନିକ ଏବଂ ମୌଳିକ ଅଧିକାରର ବିରୁଦ୍ଧାଚରଣ: ବିଜେପି

ଭୁବନେଶ୍ୱର : ଓଡିଶା ସରକାର ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବ୍ରହ୍ମ ବିଭ୍ରାଟ ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ ନକରିବା ଏବଂ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ବି ନଦେବା ନିଷ୍ପତିକୁ ରାଜ୍ୟ ବିଜେପି କଟୁ ଭାଷାରେ ସମାଲୋଚନା କରିଛି । ସରକାରଙ୍କ ଏଭଳି ନିଷ୍ପତି ବ୍ୟଭିଚାରୀ, ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ଏବଂ ମୌଳିକ ଅଧିକାରର ବିରୁଦ୍ଧାଚରଣ କରୁଛି ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିବା ସହ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଚାଟୁକାର ପ୍ରଶାସକମାନେ ଜଗନ୍ନାଥ ସଂସ୍କୃତି ବିରୁଦ୍ଧରେ ଏକ ବିରାଟ ଷଡଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଜୁନ୍ ୨୦୧୫, ନବକଳେବର ସମୟରେ ଘଟିଥିବା ବ୍ରହ୍ମ ବିଭ୍ରାଟ ସମଗ୍ର ଓଡିଆ ଜାତି, ଜଗନ୍ନାଥ ସଂସ୍କୃତି ପ୍ରେମୀ ବିଶେଷତଃ ସନାତନ ଧର୍ମାବିଲମ୍ବୀ ହିନ୍ଦୁ ସମାଜକୁ ଗଭୀର ଭାବେ ଆନ୍ଦୋଳିତ କରିଥିଲା । ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ସାଢେ ୩ ବର୍ଷ ବିତିଥିଲେ ମଧ୍ୟ ରାଜ୍ୟ ସରକାର ଏ ବାବଦରେ କୈାଣସି ଅନୁସନ୍ଧାନ କଲେ ନାହିଁ କି ଏହା ପଛରେ ଥିବା ବିଶୃଙ୍ଖଳିତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ସେହିପରି ବ୍ରହ୍ମ ବିଭ୍ରାଟ ପରେ ପରେ ନିଳାଦ୍ରୀ ବିଜେ ଏବଂ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ କ୍ରମାନ୍ୱୟରେ ଘଟିଥିବା ଘଟଣାବଳୀ କଟା ଘା’ ରେ ଚୂନ ଦେବା ଭଳି ଓଡିଆ ଜାତିକୁ ବ୍ୟଥିତ କରିଛି । ଏ ପର୍ଯନ୍ତ ୩ଟି ଯାକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୁହଁ ନଖୋଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଶ୍ରୀ ମନ୍ଦିର ହୁଣ୍ଡି କମିଟିର ଅଧ୍ୟକ୍ଷ ଖୋଦ୍ ମୁଖ୍ୟମନ୍ତ୍ରୀ ହୋଇଥିବା ସତ୍ୱେ ଦାନ ସୂତ୍ରରେ ପ୍ରାପ୍ତ ସୁନା ଗହଣାର ଦୁରୂପଯୋଗକୁ ଭିତି କରି ରୁଜୁ ହୋଇଥିବା ଏତଲା ମଧ୍ୟ ଏପର୍ଯ୍ୟନ୍ତ ଦରଜ କରାଗଲା ନାହିଁ । ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଯେମିତି କମିସନ ଆଳରେ ଚାଲାକ ଭାବେ ଦବାଇ ଦେବା ପାଇଁ ଅପଚେଷ୍ଟା ଚାଲିଛି । ସେହିପରି ତୃତୀୟ ମହଳାର କୁଚକ୍ରୀ ପ୍ରଶାସକଙ୍କ ଇଙ୍ଗିତରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କିଛି ଉଚ୍ଛୁଙ୍ଖଳିତ ସେବାୟତଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି ଏକ ବ୍ୟଭିଚାରୀ ନିଷ୍ପତି ନେଇଛନ୍ତି ଯାହାକି କେବଳ ଆଇନତଃ ଅସିଦ୍ଧ ନୁହେଁ ବରଂ ସମ୍ବିଧାନ ପ୍ରଦତ ଧାରା ୧୯(୧)(କ) ଅର୍ନ୍ତଭୃକ୍ତ ମୌଳିକ ଅଧିକାରର ତୀବ୍ର ବିରୁଦ୍ଧାଚରଣ କରୁଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଆଜି ପର୍ଯ୍ୟନ୍ତ ବିଭିନ୍ନ ବିଭ୍ରାଟକୁ ନେଇ ବିଜେପି ଯେଉଁ ଅଭି ଯୋଗ ବାଢି ଆସୁଛି ତାହା ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତିରୁ ସ୍ପଷ୍ଟ ହୋଇଛି । ଏ ସରକାର ସମ୍ବିଧାନ, ପାର୍ଲାମେଂଟ ଏବଂ ସୁପ୍ରିମକୋର୍ଟ ଭଳି କୌଣସି ଅନୁଷ୍ଠାନ ପ୍ରତି ସମ୍ମାନ ନାହିଁ । ଯେଉଁଥି ପାଇଁ ରାଜ୍ୟରେ ସମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି ବୋଲି ବିଜେପି ଅଭିଯୋଗ କରିଛି । ସମ୍ବିଧାନର ଧାରା ୨୫ ଏବଂ ୨୬ ଅର୍ନ୍ତଭୃକ୍ତ ଧର୍ମ ସଂପର୍କୀତ ମୌଳିକ ଅଧିକାର ଅନୁଯାୟୀ ପ୍ରତ୍ୟେକ ଓଡିଆ ଜଗନ୍ନାଥ ଧର୍ମ ଏବଂସଂସ୍କୃତିରେ ବିଶ୍ୱାସ ରଖୁଥିବା ଜଗନ୍ନାଥ ପ୍ରେମୀଙ୍କର ଜଗନ୍ନାଥ ବ୍ୟାପାର ସଂପର୍କରେ ଜାଣିବା ସମ୍ବିଧାନିକ ଅଧିକାର ରହିଛି । ଏ ଅଧିକାରକୁ ମୁଖ୍ୟମନ୍ତ୍ରୀ ତଥା ତୃତୀୟ ମହଳା ଇଙ୍ଗିତରେ କାର୍ଯ୍ୟକରୁଥିବା ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଛଡାଇ ନେଇ ପାରିବେ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜନୀନ ହେଲେ ସରକାରଙ୍କ ଅସଲ ଗୁମର ଫିଟି ଯିବା ଭୟରେ ତାମିଲ ପ୍ରଶାସକଙ୍କ ଇଙ୍ଗିତରେ ଶ୍ରୀ ମହାପାତ୍ର ଏଭଳି ଏକ ବ୍ୟଭିଚାର ନିଷ୍ପତି ନେଇଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କଟୁ ଭାଷାରେ ସମାଲୋଚନା କରିଛନ୍ତି । ଏ ପ୍ରଶାସକଙ୍କ ସହ ଘନିଷ୍ଠ ସଂପର୍କ ଥିବା ଜଣେ ସେବାୟତ ଯେ କି ନିଜକୁ ସେବାୟତ ନିଯୋଗର ନେତା ବୋଲି ଦାବି କରନ୍ତି ଏବଂ ପ୍ରଶାସକର ପୃଷ୍ଠପୋଷକତାରେ ଏକ ସରକାରୀ ନିଗମର ଅଧ୍ୟକ୍ଷ ଦାୟୀତ୍ୱ ନିଭାଉଛନ୍ତି । ତାଙ୍କର ଏହି ସଂପର୍କୀୟଙ୍କୁ ସୁରକ୍ଷା ଦେବା ପାଇଁ ଏହି ରିପୋର୍ଟକୁ ଲୁଚାଇଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ପୂର୍ବରୁ ସେବାୟତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ ବି ପରେ ତୃତୀୟ ମହଳା ଚାପରେ ଏହି ନିଷ୍ପତି ପ୍ରତ୍ୟାହୃତ ହୋଇଥିଲା । ରତ୍ନ ଭଣ୍ଡାର ଚାବି ଗଜପତିଙ୍କ ପାଖରେ ଅଛି ବୋଲି ମିଥ୍ୟା କଥା ରାଜ୍ୟବାସୀଙ୍କ ଆଗରେ ରଖିଥିଲେ । ଆଉ ଏବେ ବିଜେଡିର ସମର୍ଥୀତ କେତେକ ସେବାୟତଙ୍କୁ ସୁରକ୍ଷା ଦେବା ପାଇଁ ଗୋପନୀୟତା ଆଳରେ ସମସ୍ତ ରିପୋର୍ଟକୁ ଚପାଇ ଦେବା ଭଳି ହୀନ ଉଦ୍ୟମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଯଦି ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ନିଷ୍ପତିକୁ ପ୍ରତ୍ୟାହାର କରାଯିବା ସହ ସାଢେ ୪ କୋଟି ଓଡିଆଙ୍କୁ ବ୍ରହ୍ମ ବିଭ୍ରାଟ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ ନକରାଗଲେ ରାଜ୍ୟ ବିଜେପି ଜନସ୍ୱାର୍ଥ ମାମଲା ଜରିଆରେ ଓଡିଆବାସୀଙ୍କୁ ନ୍ୟାୟ ଦେବା ପାଇଁ ହାଇକୋର୍ଟରେ ଦ୍ୱାରସ୍ଥ ହେବ ବୋଲି ଶ୍ରୀ ଆଚାର୍ଯ୍ୟ ଚେତାବନୀ ଦେଇଛନ୍ତି । ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଏବଂ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।