ରାଜ୍ୟସ୍ତରୀୟ ଜୟନ୍ତୀରେ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର(ସମୃଦ୍ଧଓଡିଶା) କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ଥିଲେ ମହାନ୍‌ ବିପ୍ଳବୀ ଚକ୍ରଧର ବେହେରା । ଏହି ମହାନାୟକଙ୍କ ତ୍ୟାଗ, ତିତିକ୍ଷା, ନିଷ୍ଠା, ସଂଘର୍ଷ, ସାହସ, ସ୍ୱାଭିମାନ ଓ ଦେଶପ୍ରେମ ଅବର୍ଣ୍ଣନୀୟ ଅଟେ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଓ ଗରିବ କୃଷକ ସମାଜର ଶୁଭଚିନ୍ତକ ଭାବେ ସେ ସର୍ବଦା ଏ ଜାତିର ଚିରନମସ୍ୟ ଓ ପ୍ରାତଃସ୍ମରଣୀୟ । ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଆଜୀବନ ପ୍ରଜାଙ୍କ ହିତ ପାଇଁ ଲଢେଇ କରିଥିଲେ ବୋଲି ଆଜି ମହାନ୍‌ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଅତିଥିମାନେ ମତପ୍ରକାଶ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ମହାନ୍‌ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଚକ୍ରଧର ବେହେରାଙ୍କ ତ୍ୟାଗପୂତ ଜୀବନାଦର୍ଶର ଅନାଲୋଚିତ ଦିଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ କନିକା ପ୍ରଜା ଆନ୍ଦୋଳନର ମହାନାୟକ ଚକ୍ରଧର ବେହେରା ଥିଲେ ଜଣେ ସ୍ପର୍ଦ୍ଧିତ ଓ ଅନନ୍ୟ ବ୍ୟକ୍ତିତ୍ୱ । ବାମଦେବ ପାଟ୍ଟଯୋଶୀ ଚକ୍ରଧର ବେହେରାଙ୍କ ଆଦର୍ଶ ଥିଲେ । କନିକା ପ୍ରଜା ଆନ୍ଦୋଳନ ପାଇଁ କେବଳ ଚକ୍ରଧର ବେହେରା ନୁହଁନ୍ତି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ମଧ୍ୟ କାରାବରଣ କରିଥିଲେ । ତାଙ୍କ ଜୀବନର ଅନାଲୋଚିତ ଦିଗଗୁଡିକୁ ଲୋକଲୋଚନକୁ ଆଣିବା ଆମମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ଏଣୁ ଚକ୍ରଧର ବେହେରାଙ୍କ ଜୀବନୀ ଉପରେ ଅଧିକ ଗବେଷଣା କରି ତାଙ୍କ ଆଦର୍ଶ ଓ କର୍ମମୟ ଜୀବନକୁ ଉତ୍ତରପିଢ଼ିଙ୍କ ନିକଟରେ ପହଞ୍ଚାଯାଇପାରିଲେ ତାହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତି୍ୟକ ଡ. ଗୌରହରି ଦାସ କହିଲେ ଯେ ଚକ୍ରଧର ବେହେରା ଥିଲେ କନିକାର ସୂର୍ଯ୍ୟ । କନିକା ମାଟି ଆଜି ବି ତାଙ୍କୁ ଝୁରୁଛି । ତାଙ୍କରି ନେତୃତ୍ୱରେ ପାଞ୍ଚମୂକାରେ ଅସହଯୋଗ ଆନ୍ଦୋଳନର ଆରମ୍ଭ ହୋଇଥିଲା । କନିକା ପ୍ରଜାମୁକ୍ତି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସେହି ଅଞ୍ଚଳର ପ୍ରଜାଙ୍କୁ ସ୍ୱାବଲମ୍ବୀ କରିବା । ତାଙ୍କୁ ଜଣେ ସଚ୍ଚା ଦେଶପ୍ରେମୀ, ନିଃସ୍ୱାର୍ଥପର ଦେଶସେବକ ଓ ସ୍ୱାଧୀନତାର ପୂଜାରୀ ବୋଲି ଉଲ୍ଲେଖ କରି ଏହା ମହାନ ବ୍ୟକ୍ତିତ୍ୱଙ୍କ ବିଷୟରେ ଆଗାମୀ ପିଢ଼ି ଜାଣିବା ନିହାତି ଆବଶ୍ୟକ ବୋଲି ଡ. ଦାସ ଉଲ୍ଲେଖ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସ୍ୱାଗତ ଭାଷଣରେ କହିଥିଲେ କି ଚକ୍ରଧର ବେହେରା ଥିଲେ ଜଣେ କ୍ରାନ୍ତିର ପୁରୁଷ ଏବଂ କନିକା ଜନଆନ୍ଦୋଳନକୁ ସେ ସାମାଜିକ କ୍ରାନ୍ତିରେ ପରିଣତ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସଙ୍ଗୀତଜ୍ଞ ସିତଂଶୁ ରାଉତ ଏବଂ ସାଥୀ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଚକ୍ରଧର ବେହେରାଙ୍କ ନାତି ପ୍ରଭାକର ପରିଡ଼ା ଉତ୍ତରୀୟ ଦେଇ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ( ବୈଷୟିକ ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଲୋକସମ୍ପର୍କ ଅଧିକାରୀ ବିନାୟକ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ଏବଂ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଆଜି ସକାଳେ ରାଜଭବନ ଛକସ୍ଥିତ ବିପ୍ଳବୀ ଚକ୍ରଧର ବେହେରାଙ୍କ ପ୍ରତିମୂର୍ତ୍ତିରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଦାସ, ଉପନିର୍ଦ୍ଦେଶକ ଶ୍ରୀମତୀ ପ୍ରିୟଦର୍ଶିନୀ ଓ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର