ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି: ଗ୍ରୀନ ମହାନଦୀ ମିସନରେ ଖର୍ଚ୍ଚ ହେବ ୪୪୫ କୋଟି ଟଙ୍କା

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ମହାନଦୀର କୂଳେ କୂଳେ ଗଛ ଲଗାଇ ସବୁଜ ବଳୟ ନିର୍ମାଣ ଲକ୍ଷ୍ୟରେ ଗଠନ ହେବ ଗ୍ରୀନ୍‌ ମହାନଦୀ ମିସନ। ଏହି ମିସନରେ ୪୪୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଜିଲ୍ଲାସ୍ତରରେ ଗ୍ରୀନ୍‌ ମହାନଦୀ ମିସନ କମିଟି ଗଠନ ହେବ। ଏଥିରେ ଜିଲ୍ଲାପାଳ ମୁଖ୍ୟ ରହିବେ। ସେହିପରି ବ୍ରାହ୍ମଣୀ, ବୈତରଣୀ ଏବଂ ଋଷିକୁଲ୍ୟା ନଦୀର ଦୁଇ ପାର୍ଶ୍ବରେ ବୃକ୍ଷରୋପଣ ହେବ।ରାଜ୍ୟ କ୍ୟାବିନେଟ୍‌ରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ସବୁ ପୌରାଞ୍ଚଳରେ ଏଲଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିବ। ଏଥି ପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଭବାନୀପାଟଣା ଠାରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। କଟକ ଶିଶୁ ଭବନରେ ନୂଆ କୋଠା ନିର୍ମାଣ ପାଇଁ ୧୧୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ରିପୋର୍ଟ : ଶରତ କୁମାର ବେହେରା