ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀଅବସରରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବାଚସ୍ପତି

ଭୁବନେଶ୍ୱର(ସମୃଦ୍ଧଓଡିଶା) ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ, ଭାରତ ଆଞ୍ଚଳିକ ସମ୍ମିଳନୀ ଅବସରରେ ଆଜି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ  ବାଚସ୍ପତି ରାଜ୍ୟ ବିଧାନ ସଭାରେ ଗ୍ରହଣ କରା ଯାଇଥିବା ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ଓଡ଼ିଶାର ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ବିଧାନ ସଭାର ଅବଦାନ ରହୁ ବୋଲି ଏହି ଆଲୋଚନା ସମୟରେ ମହାମହିମ ରାଷ୍ଟ୍ରପତି ମତ ଦେଇ ଥିଲେ । ଓଡ଼ିଶା ବିଧାନ ସଭାକୁ ନୂଆ କରି ନିର୍ବାଚିତ ହୋଇ ଥିବା ବାଚସ୍ପତି ଓ ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇଙ୍କୁ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରି ଥିଲେ । ପରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଉପରାଷ୍ଟ୍ରପତି ତଥା ରାଜ୍ୟ ସଭାର ଉପାଧ୍ୟକ୍ଷ ଶ୍ରୀଜଗଦୀପ୍‌ ଧନକଡ଼ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ଅବସରରେ ଓଡ଼ିଆର ପର୍ଯ୍ୟଟନ ବୈଭବ ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଓଡ଼ିଶା ଗସ୍ତରେ ଆସି କୋଣାର୍କ, ଶିମିଳିପାଳ ଓ କୋରାପୁଟ ପରି ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ବୁଲି ଦେଖିବାକୁ ଉପରାଷ୍ଟ୍ରପତି ଶ୍ରୀ ଧନକଡ଼୍‌ଙ୍କୁ ଅନୁରୋଧ କରି ଥିଲେ । ଆଲୋଚନା ସମୟରେ ବିଧାନ ସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ଓ ଯୁଗ୍ମ ସଚିବ ଶ୍ରୀସତୀଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ : ରଜତ ମହାପାତ୍ର ଓ ବିଭୂତି ନାୟକ, ଲୋକସଂପର୍କ ଅଧିକାରୀ