ରାଜ୍ୟ ସରକାର କେତେ ଜମି ଚାଷୀଙ୍କଠୁ ଛଡାଇ ଆଣି ଶିଳ୍ପ ହାତରେ ଦେଇଛନ୍ତି ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ମୁଖ୍ୟମନ୍ତ୍ରୀ: ବିଜେପି …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନବୀନ ସରକାର ଅତୀତରେ ଶିଳ୍ପ ସଂସ୍ଥାମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଚାଷୀମାନଙ୍କୁଠାରୁ ହଜାର ହଜାର ଏକର ଉର୍ବର ଓ ଜଳସେଚିତ ଜମି ନେଇ ଶିଳ୍ପସଂସ୍ଥାମାନଙ୍କ ହାତକୁ ଟେକି ଦେଇଛନ୍ତି । ସେ ମଧ୍ୟରୁ ଅର୍ଦ୍ଧାଧିକ ଜମି ବ୍ୟବହାର ହୋଇନପାରି ଅଯଥାରେ ଶିଳ୍ପସଂସ୍ଥାଙ୍କ ପାଖରେ ପଡିରହିଛି । ନିଜ ଦ୍ୱାରା ହୋଇଥିବା ଏଭଳି ଦୋଷ ତୃଟିକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ହାତୀ ମାରି କୁଲା ଘୋଡାଇବା ନୀତିକୁ ଆପାଣାଇବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ଏହି ବିଷୟରେ ମୁଖ୍ୟମନ୍ତ୍ରୀ ନିଜେ ନିଜର ଅଗଣାକୁ ଦେଖନ୍ତୁ ବୋଲି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏମ୍ସିଏଲ୍ ଅଧିନରେ ବ୍ୟବହୃତ ହୋଇନପାରି ପଡି ରହିଥିବା ଜମିକୁ ପୁନଃ ନିର୍ଦ୍ଧାରଣ କରି ଚାଷୀକୁଳ ଫେରାଇଦେବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚଳିତ ମାସ ୪ ତାରିଖ ଦିନ କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ୍ ଗୋଏଲଙ୍କୁ ଏକ ଚିଠି ଲେଖିଥିଲେ । ମୁଖ୍ୟମନ୍ତ୍ରୀ ଶିଳ୍ପାୟନ ନାଁରେ ମିଛ କହି ସରଳ ଓ ନିରୀହ ଚାଷୀକୂଳଠୁ ହାତେଇଥିବା ହଜାର ହଜାର ଏକର ଚାଷଜମିକୁ ପୁନଃ ନିର୍ଦ୍ଧାରଣ କରି କାହିଁକି ଚାଷୀକୂଳକୁ ଫେରାଇ ଦେଉ ନାହାନ୍ତି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ଜମି ଅଧିଗ୍ରହଣ ଆଇନ-୨୦୧୩କୁ ଅପବ୍ୟବହାର କରି ରାଜ୍ୟ ସରକାର ୩୦ ହଜାର ୯ଶହ ଏକର ଚାଷ ଜମିକୁ ୫୪ଟି ବଡ ବଡ ଶିଳ୍ପାନୁଷ୍ଠାନକୁ ପ୍ରଦାନ କରିଥିଲେ । ସେଥିମଧ୍ୟରୁ ୧୪ ହଜାର ୨ଶହ ୯୬ ଏକର ଚାଷ ଜମି ପବ୍ଲିକ ପ୍ରପୋଜ୍ କ୍ଲଜ୍ ମାଧ୍ୟମରେ ଅଧିକୃତ କରିଥିଲେ । ସେହିପରି ୭ ହଜାର୨୫ ଏକର ଚାଷ ଜମିକୁ ଏମରଜେନ୍ସି ପ୍ରୋଭିଜନ ଆଳ କରି ହାତେଇବା ସହ ସାଧାରଣ ଚାଷୀକୂଳକୁ ଠକି ଥିଲେ । ଏମ୍ଜିଏମ୍ ଷ୍ଟିଲ୍ ,ମୋନେଟ୍ ପାୱାର ଏବଂ ମୋନେଟ୍ ଏର୍ନେଜି ଭଳି ଘରୋଇ ସଂସ୍ଥାମାନଙ୍କୁ ଅହେତୁକ ଅନୁକଂପା ପ୍ରଦର୍ଶନ କରି ଆବଶ୍ୟକଠାରୁ ଅଧିକ ୧ହଜାର ୩ଶହ ୨୪ ଏକର ପ୍ରଦାନ କରିଥିଲେ । ଏ ସମସ୍ତ ଜମି ୬ ମାସ ମଧ୍ୟରେ ବ୍ୟବହାର କରିବାର ଜରୁରୀ ହୋଇଥିଲେ ସୁଦ୍ଧା ୬ ବର୍ଷ ପରେ ମଧ୍ୟ ଅଦ୍ୟାବିଧି ୧୬୮୨୮ ଏକର ଜମି ବ୍ୟବହାର ହୋଇନପାରିବା କାରଣରୁ ଅଯଥାରେ ପଡି ରହିଛି । ଏ ସମସ୍ତ ତଥ୍ୟ ତକ୍ରାଳୀନ ଏଜି ଏବଂ ବର୍ତମାନ ଶାସକ ବିଜେଡିର ନେତା ସେତେବେଳେ ନିଜ ରିପୋର୍ଟରେ ପ୍ରକାଶ କରିଥିଲେ । ନିଜ ଦୋଷ ପଦାରେ ପଡି ଯାଇଥିବା କାରଣରୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ନିଜ ଦୋଷ ଘୋଡାଇବାକୁ ଅପପ୍ରୟାସ କରିଛନ୍ତି ।ରାଜ୍ୟସରକାର କେତେ ଜମି ଚାଷୀଙ୍କଠୁ ଛଡାଇ ଆଣି ଶିଳ୍ପ ହାତରେ ଦେଇଛନ୍ତି, କେତେ ଜମି ବ୍ୟବହାର ହୋଇନପାରି ଅଯଥାରେ ଶିଳ୍ପ ସଂସ୍ଥାମାନଙ୍କ ପାଖରେ ପଡି ରହିଛି, ଅବ୍ୟବହୃତ ଜମିକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କଣ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ? ଏ ସମସ୍ତ ବିଷୟରେ ସ୍ପଷ୍ଟ ମତ ରଖି ଏକ ଶ୍ୱେତ ପତ୍ର ପ୍ରକାଶ କରିବାକୁ ଡ.ଲେଖାଶ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର