ରାଜ୍ୟ ସରକାର ଯେଉଁ ବିଜ୍ଞାପନ ଦେଉଛନ୍ତି ତାହା ମିଥ୍ୟା ଏବଂ ବିଭ୍ରାନ୍ତିକର – କଂଗ୍ରେସ

ଭ୍ବବନେଶ୍ୱର(ଆକାଶ ମିଶ୍ର) – ଓଡିଶା ସରକାର ପ୍ରତିଦିନ ଖବରକାଗଜରେ ଯେଉଁ ବିଜ୍ଞାପନ ଦେଉଛନ୍ତି ତାହା ମିଥ୍ୟା ଏବଂ ବିଭ୍ରାନ୍ତିକର । ଏଭଳି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ସତ୍ୟ ନାୟକ ଆରୋପ କରି କହିଛନ୍ତି ଯେ ପୃଷ୍ଟିହୀନତା ଦୂର, ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ଦିଗରେ ଉଲ୍ଲେଖନୀୟ ସଫଳତା ପାଇଛି ବୋଲି ଦୈନିକ ଖବରକାଗଜରେ ବିଜ୍ଞାପନ ଦେଇଛନ୍ତି ରାଜ୍ୟ ସରକାର ।ଅସଲରେ ଏଥିରେ ସରକାର ତଥ୍ୟ ସହ ଚଂଚକତା କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ ଆଣିଛି । ମାତୃ ମୃତ୍ୟୁହାର ୨୦୧୧-୧୨ ରୁ ୨୦୧୪-୧୬ ପର୍ଯ୍ୟନ୍ତ ଜାତୀୟ ଓ ରାଜ୍ୟର ତଥ୍ୟ ଦିଆଯାଇଛି । ୨୦୧୨-୧୩ ରେ ଜାତୀୟ ହାର ୧୬୭ ପ୍ରତି ଏକ ଲକ୍ଷରେ ଥିବା ବେଳେ ରାଜ୍ୟରେ ଥିଲା ୨୨୨ ।ଏହା ୨୦୧୪-୧୬ ରେ ହ୍ରାସ ପାଇ ୧୮୦ ରେ ପହଂଚିଛି ବୋଲି ନବୀନ ବାବୁ ବିଜ୍ଞାପନରେ ନିଜ ଫଟୋ ଲଗାଇ ବାହାବା ନେଉଛନ୍ତି । କିନ୍ତୁ ଚଂଚକତା କରି ଜାତୀୟ ହାର ଯାହାକି ୧୩୦ ରହିଛି ତାହାକୁ ସରକାର ବିଜ୍ଞାପନରେ ଦର୍ଶାଇ ନାହାନ୍ତି ।ସବୁଠାରୁ ଦୁର୍ଭାଗ୍ୟର କଥା ହେଲା ରାଜ୍ୟର ପ୍ରସୂତି ମହିଳା ଏବଂ ନବଜାତ ଶିଶୁଙ୍କ ଦୁର୍ଦ୍ଦଶାର ମୁଖ୍ୟ କାରଣ ହେଲା ଆବଶ୍ୟକ ଡାକ୍ତରଙ୍କର ଅଭାବ । ମାର୍ଚ୍ଚ ୨୨ ତାରିଖ ୨୦୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଦେଇଥିବା ଉତରରୁ ସ୍ପଷ୍ଟ ଦର୍ଶାଇଛି ରାଜ୍ୟ ସରକାରଙ୍କ ବିଫଳତାକୁ ।ରାଜ୍ୟରେ ଜିଲ୍ଲାସ୍ତର ଠାରୁ ବ୍ଲକସ୍ତର ପର୍ଯ୍ୟନ୍ତ ଥିବା ବିଭିନ୍ନ ଡାକ୍ତରଖାନାରେ ୬୭୧୯ ଜଣ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ବର୍ତମାନ ଅଛନ୍ତି ମାତ୍ର ୫୩୫୧ ଜଣ । ଆବଶ୍ୟକ ଭେଷଜ ବିଶେଷଜ୍ଞଙ୍କ ସଂଖ୍ୟା ୪୮୨ ଥିବା ବେଳେ ଅବସ୍ଥାପିତ ଡାକ୍ତରଙ୍କ ସଂଖ୍ୟା ୧୬୦ ଓ ଖାଲିଥିବା ଡାକ୍ତରଙ୍କ ସଂଖ୍ୟା ୩୨୨ । ଅର୍ଥାତ୍ ୬୬.୮୦ ପ୍ରତିଶତ ଖାଲି ପଡିଛି ।ସେହିଭଳି ଆବଶ୍ୟକ ଶିଶୁରୋଗ ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ୫୯୫ ଥିବାବେଳେ ଅବସ୍ଥାପିତ ଡାକ୍ତରଙ୍କ ସଂଖ୍ୟା ୧୮୯ ଓ ଖାଲିଥିବା ଡାକ୍ତରଙ୍କ ସଂଖ୍ୟା ୪୦୬ । ଯାହାକି ୬୮.୨୩ ପ୍ରତିଶତ ଖାଲି ପଡିଛି ।ବିଭିନ୍ନ ସମୟରେ କଟକ ଶିଶୁଭବନରେ ଶିଶୁମୃତ୍ୟୃ ହେଉ କିମ୍ବା ଉପାନ୍ତ ଅଂଚଳରେ ଥିବା ଡାକ୍ତରଖାନାଗୁଡିକରେ ଯେଭଳି ଭାବେ ଶିଶୁମୃତ୍ୟୁ ହେଉଛି, ତାହାର ନିରାକରଣ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକରେ ଅତି କମ୍ରେ ଜଣେ ଶିଶୁ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବା ପାଇଁ କହି ଆସୁଥିଲେ ହେଁ ତାହା ଏପର୍ଯ୍ୟନ୍ତ ପୂରଣ ହେଲା ନାହିଁ । ଅନ୍ୟ ପକ୍ଷରେ ଆବଶ୍ୟକ ପ୍ରସୂତି ବିଭାଗ ଡାକ୍ତରଙ୍କ ସଂଖ୍ୟା ୫୭୦ ରହିଥିବା ବେଳେ ଅବସ୍ଥାପିତ ଡାକ୍ତରଙ୍କ ସଂଖ୍ୟା ୩୭୭ ଓ ଖାଲି ପଡିଥିବା ଡାକ୍ତରଙ୍କ ସଂଖ୍ୟା ୨୦୦ । ଯାହାକି ୩୪ ପ୍ରତିଶତ ।ରାଜ୍ୟର ସ୍ୱାସ୍ଥ୍ୟ ଛବି ଅତ୍ୟନ୍ତ ନୈରାଶ୍ୟଜନକ ଥିବା ବେଳେ ରାଜ୍ୟ ସରକାର ଯେଭଳି ଭାବେ ସ୍ୱାସ୍ଥ୍ୟ ଚିତ୍ରକୁ ନେଇ ସନ୍ତୋଷ ପ୍ରକଟ କରୁଛନ୍ତି ତାହା ସତ୍ୟର ଅପଳାପ ସଦୃଶ । ଗ୍ରାମାଂଚଳରେ ଶିଶୁମାନେ ୩୫.୩ ପ୍ରତିଶତ ପୃଷ୍ଟିହୀନତାର ଶିକାର ହେଉଥିବା ବେଳେ ମାଲକାନଗିରିରେ ଏହାର ହାର ୪୭.୨ ପ୍ରତିଶତ ।ସେହପରି ରାଜ୍ୟର ଶିଶୁମାନେ ଉଦ୍ବେଗଜନକ ଭାବେ ରକ୍ତହୀନତାର ଶିକାର ହେଉଛନ୍ତି । ଗ୍ରାମାଂଚଳରେ ଏହି ହାର ୪୫.୭ ପ୍ରତିଶତ ଥିବା ବେଳେ ସୁନ୍ଦରଗଡରେ ସର୍ବାଧିକ ୮୦.୩ ପ୍ରତିଶତ ରହିଛି । ସେହିଭଳି ଗ୍ରାମାଂଚଳରେ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ହାର ୫୧.୮ ହୋଇଥିବା ବେଳେ ସମ୍ବଲପୁରରେ ଏହାର ହାର ୭୫.୬ ପ୍ରତିଶତ ରହିଛି ।୨୦୧୧ ଜନଗଣନା ଅନୁସାରେ ରାଜ୍ୟର ୫୦ ଲକ୍ଷ ଶିଶୁମାନଙ୍କ ଭିତରୁ ୧୧ ଲକ୍ଷ ଶିଶୁ ଅପପୃଷ୍ଟିର ଶିକାର ହେଉଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାର ପ୍ରତିଦିନ ଖବର କାଗଜରେ ବିଜ୍ଞାପନ ଦେଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଜର ସଫଳତାକୁ ଯେପରି ଭାବରେ ବଖାଣୁଛନ୍ତି ସେ ସଂପର୍କରେ ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ନିନ୍ଦା କରରାଯାଇଛି ।