ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ଶନିବାର ରାତି ତମାମ ବର୍ଷା ଲାଗି ରହିଥିବାରୁ ଏବଂ ଜଳେଶ୍ୱର ପୌରାଞ୍ଚଳରେ ଜଳନିଷ୍କାସନରେ ବିଶେଷ ବ୍ୟବସ୍ଥା ନ ଥିବାରୁ ଅବସ୍ଥା ସଂଗୀନ ହୋଇଛି । ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବାସଗୃହକୁ ପାଣି ପଶିଯାଇଥିବାରୁ ବହୁ କଚ୍ଚା ଘର କ୍ଷଟିଗ୍ରସ୍ତ ହୋଇଛି । କେତେକ ପକ୍କା ଘରେ ପାଣି ପଶିଥିବାରୁ ଅରାନ୍ଧ ଅବାଢ ଅବସ୍ଥା ସୃଷ୍ଟି ହୋଇଛି । ଆଜି କେତେକ ସ୍ଥାନରେ କର୍ତ୍ତୃପକ୍ଷ ଜେସିବି ବ୍ୟବହାର କରି ଅସ୍ଥାୟୀ ପାଣି ନିଷ୍କାସନର ବ୍ୟବସ୍ଥା କରିଛନ୍ତି । ଶନିବାର ଦିନରେ ଜଳେଶ୍ୱରରେ କିଛି ସମୟପାଇଁ ବର୍ଷା ହୋଇଥିବା ବେଳେ ସଂଧ୍ୟାରୁ ରବିବାର ସକାଳ ପର୍ଯ୍ୟନ୍ତ ଲଗାତର ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଏହି ବର୍ଷା ଫଳରେ ଜଳନିଷ୍କାସନର ବ୍ୟବସ୍ଥା ନ ଥିବାରୁ ୱାର୍ଡ ନଂ-୧, ୩, ୫, ୬, ୮, ୯, ୧୦, ୧୩ରେ ବହୁ ସ୍ଥାନରେ ଘରେ ପାଣିପଶିବା ସହ ବହୁ କଚ୍ଚାଘର ନଷ୍ଟ ହୋଇଛି । କିନ୍ତୁ ୧୭ଟି ଯାକ ୱାର୍ଡର ବିଭିନ୍ନ ଗଳିରାସ୍ତା, ସାହି ରାସ୍ତା ଓ ମୁଖ୍ୟ ରାସ୍ତାରେ ବର୍ଷାପାଣି ପ୍ରବାହିତ ହେଉଅଛି । ପରିସ୍ଥିତି ଗମ୍ଭୀର ଥିବାରୁ ଆଜି ମ୍ୟୁନିସିପାଲ୍ଟିର କାର୍ଯ୍ୟନିର୍ବାହୀ ଅଧିକାରୀ ହୃଷିକେଷ ପାଣି , ଯୁବନେତା ପ୍ରତୀପ ପ୍ରଧାନ ବିଭିନ୍ନ ୱାର୍ଡ ବୁଲି ଜଳନିଷ୍କାର ବ୍ୟବସ୍ଥା କରିଥିଲେ । ୧ନଂ ୱାର୍ଡରେ ନିର୍ମାଣ ହୋଇଥିବା ବିନା ପ୍ଲନାରେ ଗୃହ ଗୁଡିକ ନିର୍ମାଣ ହୋଇଥିବାରୁ ଜଳ ନିସ୍କ।।ସନ ହୋଇ ପାରୁନଥିବା ଦେଖିବାକୁ ମିଳିଥିଲା । ଆଜି ୧ନଂ ୱାର୍ଡର ସେକ୍ ଅବଦୁଲ ରହିମ୍, ସେକ୍ ମୁସୁଲିମ୍, ୱାସିମ୍ ଖାଁ, ଅମିରୁଦ୍ଦିନ ହୁସେନ୍, ସେକ୍ ମଙ୍ଗଲୁ, ସେକ୍ ସିରାଜୁଦ୍ଦିନ, ସାଇନିମା ବିବି ପ୍ରମୁଖଙ୍କ ଗୃହ ଭିତରେ ପାଣି ପଶିଥିବାରୁ ସେମାନେ ଦିନ ତମାମ ଅଧିକଅ ଅବସ୍ଥାରେ ରହିଛନ୍ତି । ୩ନଂ ୱାର୍ଡରେ ତନ୍ତୀ ସାହି ଓ ଭାଟି ସାହିରେ ବହୁ ଲୋକଙ୍କ ଘରେ ପାଣି ପଶିଛି । ସେମାନଙ୍କ ମଧ୍ୟାରୁ ଉମେଶ ପାତ୍ର, ଭଗବାନ ପାତ୍ର, ମୁଟିଆ ପାତ୍ରଙ୍କ ଘରେ ପାଣିର ଲହଡି ଖେଳୁଥିବା ଜଣାଯାଇଛି । ଏଠାରେ ଗରିବ ଲୋକଙ୍କ କଚ୍ଚା ଘର ଗୁଡିକର ମାଡି ଧସି ଯାଇଥିବାର ଦେଖିବାକୁ ମିଳିଛି । ୮ନଂ ୱାର୍ଡ ଦେଉଳିପଂଚୁଘଣ୍ଟାର ଜେଲରୋଡ, ବଡବଜାର ଛକଠାରୁ ବାସନ୍ତୀ ପଡିଆ ମଧ୍ୟରେ ରାସ୍ତାର ତଳି ଅଂଚଳରେ ଥିବା ଲୋକମାନଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । ସେହିପରି ୯ନଂ ୱାର୍ଡର ବ୍ଲକ ସନ୍ନିକଟସ୍ଥ ଅଂଚଳ, ୧୦ନଂ ୱାର୍ଡର ଶାନ୍ତିଆ, ୧୩ନଂ ୱାର୍ଡର ନନ୍ଦିକା ଅଂଚଳରେ କେତେକ ଲୋକଙ୍କ ଘରେ ପାଣିପଶିଥିବା ଜଣାଯାଇଛି । ଜଳେଶ୍ୱର ପୌରପରିଷଦରେ ପ୍ଲନିଂ ଭାବରେ ଗୃହ ନିର୍ମାଣ ହେଉନଥିବା, ପାଣିନଷ୍କାସନ ସ୍ଥାନରେ ଗୃହ ନିର୍ମାଣ ହେବା, ଡ୍ରେନ୍ ସଫା ନ ହେବା କାରଣରୁ ସମାନ୍ୟ ବର୍ଷରେ ମଧ୍ୟ ଲୋକଙ୍କ ଘରେ ପାଣି ପଶୁଥିବାର ଦେଖାଯାଇଛି । ତେଣୁ ପ୍ରଶାସନ ଗୁରୁତ୍ୱ ଦେଇ କାର୍ଯ୍ୟକରିବାକୁ ନିବେଦନ କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା